ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ଆଶ୍ବସ୍ତି, ମାମଲା ଖାରଜ କଲେ ହାଇକୋର୍ଟ

ଜୟପୁର: ଆଜି ରାଜସ୍ଥାନ ହାଇକୋର୍ଟ ଯୋଧପୁରର ଲୁନି ପୁଲିସ ଷ୍ଟେସନରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରକୁ ଖାରଜ କରି ଉଭୟ କ୍ରିକେଟରଙ୍କୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଶୋ କଫି ଉଇଥ କରଣରେ ଉଭୟଙ୍କ ବିବାଦୀୟ ମନ୍ତବ୍ୟ ପରେ ମାମଲା ରୁଜୁ ହୋଇଥିଲା | ଏହି ମାମଲାରେ ଲୁନି ପୁଲିସ ଷ୍ଟେସନରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ ଏବଂ କରଣ ଜୋହରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ତେବେ ଆଜି ଯୋଧପୁର ହାଇକୋର୍ଟ ଏହି ତିନିଜଣଙ୍କୁ ଆଶ୍ବସ୍ତି ପ୍ରଦାନ କରି ଏଫଆଇଆର ଖାରଜ କରିଦେଇଛନ୍ତି। ବାସ୍ତବରେ ୨୦୧୮ ରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କେ.ଏଲ୍ ରାହୁଲ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଶୋ କଫି ଉଇଥ କରଣ ଶୋ’ରେ ଅତିଥି ଭାବରେ ଯାଇଥିଲେ ।

ତେବେ ଶୋ ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଆକାଉଣ୍ଟରୁ ଏକ ଟ୍ୱିଟ କରି ଭୀମରାଓ ଆମ୍ବେଦକରଙ୍କ ଉପରେ ଅପମାନଜନକ ମନ୍ତବ୍ୟ ସହିତ ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ପରେ ଯୋଧପୁରର ଡିଆର ମେଘୱାଲ ଲୁନି ପୁଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟୁଇଟକୁ ଏସସି / ଏସଟି ଆଇନର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ।

ମାମଲା ପଞ୍ଜିକରଣ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପକ୍ଷରୁ ଯୋଧପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ଦର୍ଶାଯାଇଥିଲା ଯେ ଯେଉଁ ଟ୍ୱିଟର ଆକାଉଣ୍ଟରୁ ବିବାଦୀୟ ଟ୍ୱିଟ କରାଯାଇଥିଲା ତାହା ତାଙ୍କ ଆକାଉଣ୍ଟ ନୁହେଁ। ଏହା ଏକ ନକଲି ଆକାଉଣ୍ଟ ହୋଇଥିବାବେଳେ ଏହି ଯୁକ୍ତି ପରେ ଯୋଧପୁର ହାଇକୋର୍ଟ ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ ଏବଂ କରଣ ଜୋହରଙ୍କୁ ଆଶ୍ବସ୍ତି କରି ଏଫ୍ଆଇଆର୍ ଖାରଜ କରିଦେଇଥିଲେ।

ସମ୍ବନ୍ଧିତ ଖବର