ୱାସିଂଟନ୍: ମାଞ୍ଚେଷ୍ଟର ୟୁନାଇଟେଡ୍କୁ ବିପୁଳ ପରିମାଣର ଅର୍ଥରେ ସ୍ଥାନାନ୍ତର ହୋଇଥିବା କ୍ରିଷ୍ଟିଆନ୍ ରୋନାଲ୍ଡୋ ବିଶ୍ବର ସର୍ବାଧିକ ଆୟକାରୀ ଫୁଟ୍ବଲର୍ଙ୍କ ତାଲିକାରେ ଲିଓନେଲ୍ ମେସିଙ୍କୁ ପଛକୁ ଠେଲି ଦେଇଛନ୍ତି। ଫୋର୍ବସ ଦ୍ବାରା ବୁଧବାର ପ୍ରକାଶିତ ସଦ୍ୟ ମାନ୍ୟତା ତାଲିକାରୁ ଏହା ପ୍ରମାଣିତ ହୋଇଯାଇଛି। ୨୦୨୧-୨୨ ଋତୁରେ ଟିକସ ପୂର୍ବରୁ ପର୍ତୁଗାଲ ତାରକା ରୋନାଲ୍ଡୋଙ୍କ ଆୟ ୧୨୫ ମିଲିଅନ୍ ଡଲାରରେ ପହଞ୍ଚିଯାଇଛି। ସେଥିରେ ମାଞ୍ଚେଷ୍ଟର ୟୁନାଇଟେଡ୍କୁ ଫେରିବା ପରେ ଭତ୍ତା ଏବଂ ବୋନସ୍ରୁ ୭୦ ମିଲିଅନ୍ ଡଲାର ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ ଏହି ୩୬ ବର୍ଷ ବୟସ୍କ ଫୁଟ୍ବଲର୍ ବ୍ୟାବସାୟିକ ଚୁକ୍ତିରୁ ଅବଶିଷ୍ଟ ୫୫ ମିଲିଅନ୍ ଡଲାର ଆୟ କରିବେ। ଫୁଟ୍ବଲର୍ ଭାବେ ରୋନାଲ୍ଡୋ ସର୍ବାଧିକ ବ୍ୟାବସାୟିକ ଆୟକାରୀ ହୋଇଥିଲା ବେଳେ କେବଳ ଅନ୍ୟ ତିନି ସକ୍ରିୟ କ୍ରୀଡ଼ାବିତ୍ ତାଙ୍କଠୁ ଅଧିକ ବ୍ୟାବସାୟିକ ଆୟ କରୁଛନ୍ତି।
ସେମାନେ ହେଲେ ସ୍ବିଜରଲାଣ୍ଡ୍ ଟେନିସ୍ ତାରକା ରୋଜର୍ ଫେଡେରର୍ (୯୦ ମିଲିଅନ୍ ଲାର), ଲିବର୍ଣ୍ଣ ଜେମ୍ସ (୬୫ ମିଲିୟନ୍ ଡଲାର) ଏବଂ ଗଲ୍ଫ ତାରକା ଟାଇଗର୍ ଉଡ୍ସ (୬୦ ମିଲିଅନ୍ ଡଲାର)। ତେବେ ରୋନାଲ୍ଡୋ (୧୨୫ ମିଲିଅନ୍ ଡଲାର)ଙ୍କ ଲମ୍ବା ସମୟର ପ୍ରତିଦ୍ବନ୍ଦ୍ବୀ ଆର୍ଜେଣ୍ଟିନା ତାରକା ମେସି ଚଳିତ ଋତୁରେ ୧୧୦ ମିଲିଅନ୍ ଡଲାର ଆୟ କରିବେ। ସେଥିରେ ମେସିଙ୍କର ଭତ୍ତା ଓ ବୋନସ୍ ବାବଦରେ ୭୫ ମିଲିଅନ୍ ଡଲାର ସାମିଲ ରହିଛି। ଏହା ବ୍ୟତୀତ ଏହି ପୂର୍ବତନ ବାର୍ସିଲୋନା ତାରକା ପିଏସ୍ଜି (ପ୍ୟାରିସ୍ ସେଣ୍ଟ୍ ଜର୍ମେନ୍) ପାଇଁ ବ୍ୟାବସାୟିକ ଚୁକ୍ତିରୁ ୩୫ ମିଲିଅନ୍ ଡଲାର ଆୟ କରିବେ। ତେବେ ପିଏସ୍ଜିରେ ଏବେ ବିଶ୍ବର ୫ ସର୍ବାଧିକ ଆୟକାରୀ ଖେଳାଳିଙ୍କୁ ଦେଖିବାକୁ ମିଳିଛି। ମେସିଙ୍କ ବ୍ୟତୀତ ଅନ୍ୟ ଦୁଇ ମହାନ୍ ତାରକା ନେମାର (ତୃତୀୟ ସ୍ଥାନ, ୯୫ ମିଲିଅନ୍ ଡଲାର) ଏବଂ କିଲିଆନ୍ ଏମ୍ବାପେ (ଚତୁର୍ଥ ସ୍ଥାନ, ୪୩ ମିଲିଅନ୍ ଡଲାର) ରହିଛନ୍ତି।