ସର୍ବୋଚ୍ଚ ଭାଗୀଦାରି, ଦ୍ବିତୀୟ ଥର ୨ ଶତକ

ୱାର୍ନର-ବେୟାରଷ୍ଟୋଙ୍କ ଝଡ଼ରେ ବାଙ୍ଗା‌େଲାର ଛିନ୍‌ଛତ୍ର, ହାଇଦ୍ରାବାଦର ବିଜୟ

ହାଇଦ୍ରାବାଦ: ଆଇପିଏଲ୍‌ ଇତିହାସରେ ଦ୍ବିତୀୟ ଥର ପାଇଁ ଗୋଟିଏ ପାଳିରେ ଦୁଇ ଜଣ ଶତକ ହାସଲ କରିଛନ୍ତି। ରବିବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାର୍ନର ଏବଂ ଜନି ବେୟାରଷ୍ଟୋ ଏହି ଧାରାକୁ ଆସିଛନ୍ତି। ପୂର୍ବରୁ ୨୦୧୬ ଋତୁରେ ଆରସିବି ‌ଯୋଡ଼ି ବିରାଟ କୋହଲି ଏବଂ ଏବି ଡି’ଭିଲିୟର୍ସ ଗୁଜରାଟ ଲାୟନ୍ସ ବିପକ୍ଷରେ ଶତକ ଜମାଇଥିଲେ। ଟ୍ବେଣ୍ଟି-୨୦ରେ ମଧ୍ୟ ଦ୍ବିତୀୟ ପ୍ରାରମ୍ଭିକ ଯୋଡ଼ି ଭାବେ ଉଭୟ ଶତକ ହାସଲ କରିବାର ଉଦାହରଣ ଆସିଛି। ୨୦୧୧ ମସିହାରେ ମିଡଲସେକ୍ସ ବିପକ୍ଷରେ ଗ୍ଲସେଷ୍ଟରସାୟାର୍ ଯୋଡ଼ି କେଭିନ୍ ଓ’ବ୍ରାଏନ୍‌ ଏବଂ ହାମିଶ ମାର୍ସାଲ ଶତକ ହାସଲ କରିଥିଲେ। ସମସ୍ତ ଭାଗୀଦାରିକୁ ମିଶାଇଲେ‌ ଟ୍ବେଣ୍ଟି-୨୦ରେ ଏହା ଚତୁର୍ଥ ଉଦାହରଣ।

୧୮୫: ଆଇପିଏଲ୍‌ ଇତିହାସରେ କିନ୍ତୁ ସର୍ବୋଚ୍ଚ ଭାଗୀଦାରି ପ୍ରତିଷ୍ଠା କରିଛନ୍ତି ୱାର୍ନର-ବେୟାରଷ୍ଟୋ। ମାତ୍ର ଗୋଟିଏ ରନ୍ ପାଇଁ ଏମାନେ ଗୌତମ ଗମ୍ଭୀର-କ୍ରିସ୍ ଲିନ୍‌ଙ୍କୁ ପଛରେ ପକାଇଥିଲେ। ୨୦୧୭ ମସିହାରେ ଗମ୍ଭୀର-ଲିନ୍‌ ଗୁଜରାଟ ଲାୟନ୍ସ ବିପକ୍ଷରେ ୧୮୪ ରନ୍‌ କରିଥିଲେ। ଆଇପିଏଲ୍‌ରେ କିନ୍ତୁ ରବିବାରର ୧୮୫ ରନ୍ ଯେ କୌଣସି ୱିକେଟ୍ ପାଇଁ ସର୍ବୋଚ୍ଚ ଭାଗୀଦାରି।

୩: ଡେଭିଡ୍‌ ୱାର୍ନର-ଜନି ବେୟାରଷ୍ଟୋ ଆଇପିଏଲ୍‌ ଇତିହାସରେ ପ୍ରଥମ ଯୋଡ଼ି ଭାବେ ଲଗାତାର ୩ ପାଳିରେ ଶତକୀୟ ଭାଗୀଦାରି କଲେ। ଚଳିତ ଋତୁରେ କେକେଆର୍ ବିପକ୍ଷରେ ୧୧୮ ଏବଂ ରାଜସ୍ଥାନ ବିପକ୍ଷରେ ୧୧୦ ରନ୍ କରିଥିଲେ ଏହି ଯୋଡ଼ି। ବ୍ୟକ୍ତିଗତ ଭାବେ ୱାର୍ନର ଆଇପିଏଲ୍‌ରେ ୧୮ତମ ଥର ଶତକୀୟ ଭାଗୀଦାରିରେ ସାମିଲ ହୋଇ ବିରାଟ କୋହଲିଙ୍କ ସହିତ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି। ୨୩୧: ସନ୍ ରାଇଜର୍ସ ହାଇଦ୍ରାବାଦର ୨୩୧ ରନ୍‌ ଆଇପିଏଲ୍‌ ଇତିହାସରେ ମଧ୍ୟ ଏହି ଦଳର ସର୍ବୋଚ୍ଚ ସ୍କୋର୍‌।

୪: ଆଇପିଏଲ୍‌ରେ ୱାର୍ନର ନିଜର ଚତୁର୍ଥ ଶତକ ହାସଲ କରିଛନ୍ତି। ବିରାଟ କୋହଲି ଏବଂ ସେନ୍‌ ୱାଟସନ୍‌ଙ୍କ ସହିତ ସେ ସମକକ୍ଷ ହୋଇଛନ୍ତି। କେବଳ ଆଗରେ ରହିଛନ୍ତି କ୍ରିସ୍ ଗେଲ୍ ଯିଏକି ୬ ଶତକ ମାରି ସାରିଛନ୍ତି। ମୋଟ ଉପରେ‌ ଟ୍ବେଣ୍ଟି-୨୦ ଖେଳ ଜୀବନରେ ୱାର୍ନର ୭ ଶତକ ହାସଲ କରିଛନ୍ତି। ଏ ‌କ୍ଷେତ୍ରରେ ମଧ୍ୟ ଗେଲ୍‌ (୨୧) ଆଗରେ ରହିଛନ୍ତି। ମାଇକେଲ୍‌ କ୍ଲିଙ୍ଗର, ବ୍ରେଣ୍ଡନ୍ ମ୍ୟାକଲମ, ଲୁକ୍ ରାଇଟ୍‌ ୭ ଲେଖାଏଁ ଶତକ ମାରି ୱାର୍ନରଙ୍କ ସମକକ୍ଷ ରହିଛନ୍ତି।

ହାଇଦ୍ରାବାଦ ଜନି ବେୟାରଷ୍ଟୋ ଏବଂ ଡେଭିଡ୍ ୱାର୍ନରଙ୍କ ବ୍ୟକ୍ତିଗତ ଶତକ ଓ ଶତକୀୟ ଭାଗୀଦାରି ଜରିଆରେ ଆସିଥିବା ରନ୍‌ ଝଡ଼ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି। ଚଳିତ ଋତୁର ସର୍ବନିମ୍ନ ସ୍କୋର୍ (୭୦) କରିଥିବା ବିରାଟ କୋହଲିଙ୍କ ଦଳକୁ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଆଉ ଏକ ଲଜ୍ଜା ସହ ୧୧୮ ରନ୍‌ରେ ହରାଇଦେଇଛି। କେବଳ ବେୟାରଷ୍ଟୋଙ୍କ ବ୍ୟକ୍ତିଗତ ସ୍କୋର୍‌ ୧୧୪ ପର୍ଯ୍ୟନ୍ତ ବି ପହଞ୍ଚି ପାରିନଥିଲା ସମ୍ପୂର୍ଣ୍ଣ ଆରସିବି। ହାଇଦ୍ରାବାଦର ୨୩୧ ରନ୍ ଜବାବରେ ଦଳ ଗୋଟିଏ ବଲ୍‌ ପୂର୍ବରୁ ସମସ୍ତ ୱିକେଟ୍‌ ହରାଇ କରିଥିଲା ମାତ୍ର ୧୧୩ ରନ୍‌। ୱାର୍ନର-ବେୟାରଷ୍ଟୋ ଯୋଡ଼ିଙ୍କ ଜରିଆରେ ହାଇଦ୍ରାବାଦ ମଧ୍ୟ ଏକାଧିକ କୀର୍ତିମାନକୁ ନିଜ ନାମରେ କରି ନେଇଥିଲା। ହାଇଦ୍ରାବାଦ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହିତ ଦ୍ବିତୀୟକୁ ଉଠିଥିବା ବେଳେ କୋହଲିଙ୍କ ଦଳ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି।

ଉପ୍ପଲର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହାଇଦ୍ରାବାଦକୁ ପ୍ରଥମ ୱିକେଟ୍‌ ପାଇଁ ୧୬.୨ ଓଭରରେ ୧୮୫ ରନ୍ ଦେଇଥିଲେ ୱାର୍ନର ଏବଂ ବେୟାରଷ୍ଟୋ। ୱାର୍ନରଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ବେୟାରଷ୍ଟୋ ୨୮ ବଲରୁ ୫୦ ଏବଂ ୫୨ ବଲରୁ ୧୦୦ ଅତିକ୍ରମ କରିଥିଲେ। ଚହଲଙ୍କ ଶିକାର ହେବା ପୂର୍ବରୁ ‌ବେୟାରଷ୍ଟୋ ୫୬ ବଲରୁ ୧୨ ଚୌକା, ୭ ଛକା ସହାୟତାରେ ୧୧୪ ରନ୍ କରିଥିଲେ। ଯାହା ଥିଲା ତାଙ୍କ ପ୍ରଥମ ଆଇପିଏଲ୍ ଶତକ। ଅନ୍ୟପକ୍ଷରେ ପାଳି ସାରା ଅପରାଜିତ ରହିଥିବା ୱାର୍ନର ୩୨ ବଲ୍‌ରୁ ୫୦ ଟପିଯିବା ପରେ ଦ୍ବିତୀୟ ୫୦ ରନ୍ ପାଇଁ ମାତ୍ର ୨୨ ବଲ୍‌ ଖେଳିଥିଲେ। ୫୫ ବଲ୍‌ରୁ ୫ ଲେଖାଏଁ ଚୌକା ଓ ଛକା ମାରି ୧୦୦ ରନ୍‌ କରିଥିଲେ। ଏହା ଥିଲା ତାଙ୍କ ଚତୁର୍ଥ ଆଇପିଏଲ୍ ଶତକ। ଫଳରେ ହାଇଦ୍ରାବାଦ ୨ ୱିକେଟ୍‌ ବିନିମୟରେ ୨୩୧ ରନ୍‌ର ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ବ୍ୟାଟିଂ ଗଭୀରତା ପାଇଁ ପରିଚିତ ଆର୍‌ସିବି ଦଳ ୩୫ ରନ୍‌ରେ ୬ ୱିକେଟ୍‌ ହରାଇଦେବା ପରେ ପରାଜୟ କେବଳ ଏକ ‌ଔପଚାରିକତା ହୋଇଯାଇଥିଲା। ଆଫଗାନିସ୍ତାନ ସ୍ପିନର୍ ମହମ୍ମଦ ନବି (୪-୦-୧୧-୪) ବା‌ଙ୍ଗାଲୋର୍ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ପାର୍ଥିବ ପଟେଲ, ସିମରନ୍‌ ହେଟମେୟର, ଏବି ଡି’ଭିଲିୟର୍ସ, ଶିଭମ ଦୁବେ ତାଙ୍କ ଥଳିରେ ପଡ଼ିଥିଲେ। ବିରାଟ କୋହଲିଙ୍କୁ ସନ୍ଦୀପ ଶର୍ମା ଆଉଟ୍‌ କରିଥିଲେ। କାହାରି ବ୍ୟାଟ୍ ଚାଲିନଥିଲା ବଡ଼ ସ୍କୋର୍ ଦେଖି। ଶେଷ ଭାଗରେ କଲିନ୍ ଗ୍ରାଣ୍ଡହୋମ୍‌ (୩୭, ୩୨ ବଲ, ୩ ଚୌକା, ୨ ଛକା) ଦଳକୁ ୧୦୦ ପାର୍ କରାଇଥିଲେ। ‌ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବେୟାରଷ୍ଟୋ (୧୧୪) ଏବଂ ପରାଜୟ ବ୍ୟବଧାନ (୧୧୮)ଠାରୁ ଆରସିବି ସ୍କୋର୍ (୧୧୩) ପଛରେ ରହିଥିଲା।

ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୩୧/୨ (ଜନି ବେୟାରଷ୍ଟୋ-୧୧୪, ଡେଭିଡ୍‌ ୱାର୍ନର-୧୦୦*, ୟୁଜବେନ୍ଦ୍ର ଚହଲ-୧/୪୪)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧୯.୫ ଓଭରରେ ୧୧୩ (କଲିନ୍ ଗ୍ରାଣ୍ଡହୋମ୍‌-୩୭, ମହମ୍ମଦ ନବି-୪/୧୧, ସନ୍ଦୀପ ଶର୍ମା-୩/୧୯)।

ସମ୍ବନ୍ଧିତ ଖବର