ଇତିହାସ ରଚିଲେ ହିମା

ନୂଆଦିଲ୍ଲୀ : ଭାରତୀୟ ଧାବିକା ହିମା ଦାସ ଗୁରୁବାର ଇତିହାସ ରଚିଛନ୍ତି। ଆସାମର ଏହି ୧୮ ବର୍ଷୀୟା ଝିଅ ଫିନ୍‌ଲାଣ୍ଡ୍‌ର ଟାମ୍ପରେଠାରେ ଆୟୋଜିତ ଆଇଏଏଏଫ୍‌ ବିଶ୍ୱ ୨୦ ବର୍ଷରୁ କମ୍‌ ଦୌଡ଼କୁଦ ପ୍ରତିଯୋଗିତାର ୪୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ସଫଳତାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଯୋଗ୍ୟତା ପର୍ଯ୍ୟାୟର ଦ୍ରୁତତମ ଧାବିକା ଭାବେ ଫାଇନାଲ୍‌ ଯାଇଥିବା ହିମା ସେଠାରେ ୫୧.୪୬ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ଭାରତ ବର୍ଷକୁ ଗର୍ବିତ କରିଥିଲେ। ଏହି ଅନନ୍ୟ ସଫଳତା ପାଇ ସେ ଜାଭେଲିନ୍‌ ତାରକା ନିରଜ ଚୋପ୍ରାଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ନିରଜ ୨୦୧୬ରେ ପୋଲାଣ୍ଡରେ ଆୟୋଜିତ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ପୁରୁଷ ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ହେଲେ ହିମାଙ୍କ ପୂର୍ବରୁ ଦୌଡ଼କୁଦରେ କୌଣସି ଭାରତୀୟ ପଦକ ଜିତିବାର ସୌଭାଗ୍ୟ ଲାଭ କରି ନଥିଲେ। କେବଳ ୨୦୦୨ରେ ସୀମା ପୁନିଆ ଏବଂ ୨୦୧୪ରେ ନଭଜ୍ୟୋତ ସିଂହ ଢିଲୋଁ ଡିସ୍‌କସ୍‌ରେ କାଂସ୍ୟ ପଦକ ଜିତିଥିଲେ।

ରୋମାନିଆର ଆନ୍ଦ୍ରିଆ ମିକାଲୋସ୍‌ (୫୨.୦୭ ସେକେଣ୍ଡ) ରୌପ୍ୟ ଏବଂ ଆମେରିକାର ଟେଲର ମାନସନ୍‌ (୫୨.୨୮ ସେକେଣ୍ଡ) ଏହି ବର୍ଗରେ କାଂସ୍ୟ ପଦକ ପାଇଥିଲେ। ହିମାଙ୍କୁ ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋଭିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ହିମା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ। ଜାକର୍ତା ଏସୀୟ କ୍ରୀଡ଼ା ଲାଗି ବି ସେ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

ସମ୍ବନ୍ଧିତ ଖବର