ରୁଗୁଗୈରା ଶିଖର ଛୁଇଁଲା ବିଜୁ ପଟ୍ଟନାୟକ ହିମାଳୟନ ଅଭିଯାନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ତୃତୀୟ ବିଜୁ ପଟ୍ଟନାୟକ ହିମାଳୟନ ଅଭିଯାନ ଗୁରୁବାର ସଫଳତାର ସହ ଉତ୍ତରକାଶୀର ମାଉଣ୍ଟ୍ ରୁଦୁଗୈରା ଶିଖର ଛୁଇଁଛି। ପୂର୍ବ ଭାରତର ପ୍ରଥମ ପୁରୁଷ ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଯାଇଥିବା ୧୨ ଜଣିଆ ଓଡ଼ିଶା ଦଳ ଗୁରୁବାର ଏହି ସଫଳତା ଅର୍ଜନ କରିଛି। ଫଳରେ ଗତବର୍ଷ ଦ୍ୱିତୀୟ ସଂସ୍କରଣରେ ବିଫଳ ଏହି ଅଭିଯାନର ତିକ୍ତତା ପଛରେ ପଡ଼ିଯାଇଛି। ପ୍ରତିକୂଳ ପାଗ ଓ ପରିବେଶ ମଧ୍ୟରେ ଏହି ଅଭିଯାନ ବଡ ଆହ୍ବାନଭରା ଓ ରୋମାଞ୍ଚକର ଥିଲା ବୋଲି ପ୍ରକାଶ କରିଛନ୍ତି ଗଣେଶ ଚନ୍ଦ୍ର ଜେନା।

ପ୍ରବଳ ବର୍ଷା ଏବଂ ବରଫପାତ କାରଣରୁ ଆମକୁ ଦୀର୍ଘ ୮୦ ଘଣ୍ଟା କାଳ ବେସ୍ କ୍ୟାମ୍ପରେ ଅଟକି ରହିବାକୁ ପଡ଼ିଥିଲା। ୩ରୁ ସାଢ଼େ ୩ ଫୁଟର ବରଫ ପଡ଼ିବା କଷ୍ଟକର ଥିଲା ତଥାପି ଆମେ ଲକ୍ଷ୍ୟଚ୍ୟୁତ ହୋଇନଥିଲୁ। ଅନେକ ପ୍ରତିବଂଧକ ଆସିବା ସତ୍ତ୍ୱେ ଆମେ ଏକାଗ୍ରତା ଓ ସଙ୍କଳ୍ପବଦ୍ଧ ଥିବାରୁ ଏହି ଅଭିଯାନ ସଫଳ ହେଲା ବୋଲି କହିଥିଲେ ଶ୍ରୀ ଜେନା। ଓଡ଼ିଶା ସରକାର ଏବଂ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍‌ର ଏହି ନିରଂତର ପ୍ରୟାସ ଲାଗି ସେ କୃତଜ୍ଞତା ଜଣାଇଥିଲେ। ଏହାଦ୍ୱାରା ପ୍ରତିବର୍ଷ ଅଧିକରୁ ଅଧିକ ଓଡ଼ିଶା ପିଲା ଦୁଃସାହସିକ କ୍ରୀଡ଼ା ତଥା ପର୍ବତାରୋହଣକୁ ଆସିପାରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଦଳପତି ଗଣେଶ ଚନ୍ଦ୍ର ଜେନାଙ୍କ ଅଧିନ ଏହି ଦଳରେ ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ନିରଂଜନ ଦାସ, ଚନ୍ଦନ କୁମାର ପ୍ରଧାନ, ରାହୁଲ ପ୍ରଧାନ, ସାନ୍ତା ସରଣ, ସୋମନାଥ ମୁଣ୍ଡାରି, ସସ୍ମିତା ସାହୁ, ସଂଘମିତ୍ରା ଦଳାଇ, ରୋଜାଲିନ୍ ଗୋଚ୍ଛାୟତ, ସୁଦେଶ୍ନା ସାହୁ ସାମିଲ ଥିଲେ। ଓଡ଼ିଶା ଦଳ ଅକ୍ଟୋବର ୨ ତାରିଖରେ ଭୁବନେଶ୍ବର ଫେରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର