ଭୁବନେଶ୍ୱର: ପ୍ରତିକୂଳ ପାଗ ପାଇଁ ଏଥରର ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଅଧାରେ ଅଟକିଗଲା। ସେପ୍ଟେମ୍ବର ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଉତ୍ତରକାଶୀର ରୁଦୁଗୈରାରେ ଆୟୋଜିତ ହୋଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଦୁଃସାହସିକ ପ୍ରତିଷ୍ଠାନ (ଟିଏସ୍ଏଏଫ୍)ର ମିଳିତ ସହଯୋଗରେ ଆୟୋଜିତ ଏହି ଦ୍ୱିତୀୟ ସଂସ୍କରଣର ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ କିନ୍ତୁ ଶିଖର ପହଞ୍ଚିବାରେ ସକ୍ଷମ ହୋଇନାହାନ୍ତି। ୧୪୫୦୦ରେ ଥିବା ବେସ୍କ୍ୟାମ୍ପ୍ରେ ସେପ୍ଟେମ୍ବର ୨୧ ତାରିଖରେ ପହଞ୍ଚିଥିଲେ। ୧୫ ଜଣିଆ ଏହି ଓଡ଼ିଶା ଦଳ ୧୭୦୦୦ ଫୁଟ ଅତିକ୍ରମ କରିଥିବାବେଳେ ପ୍ରତିକୂଳ ପାଗ କାରଣରୁ ଫେରି ଆସିବାକୁ ବାଧ୍ୟ ହୋଇଛନ୍ତି। ଦୁର୍ଭାଗ୍ୟଜନକ ଭାବେ ହିମାଳୟ ପର୍ବତାଶ୍ରେଣୀରେ ପାଗ ସମ୍ପୂର୍ଣ୍ଣ ବଦଳିଯିବାରୁ ଉତ୍ତରକାଶୀ ଜିଲ୍ଲା ହାଇ ଆଲର୍ଟ ଜାରି କରିଥିଲା। ୧୪,୫୦୦ ଫୁଟ ଉଚ୍ଚତା ବିଶିଷ୍ଟ ବେସ୍କ୍ୟାମ୍ପ୍ରେ ୩ ଦିନ ଧରି ଅପେକ୍ଷା କରିବା ପରେ ପ୍ରବଳ ବର୍ଷା, ତୁଷାର ଝଡ଼, ପବନକୁ ଏହି ଦଳ ସାମ୍ନା କରିଥିଲେ ମଧ୍ୟ ପାଗ କ୍ରମେ ଅଧିକ ଭୟଙ୍କର ରୂପ ନେବାରୁ ସେମାନେ ଅଭିଯାନର ମୁଖ୍ୟ ଟିଏସ୍ଏଏଫ୍ ଅଧିକାରୀ ଆର୍ ଏସ୍ ପାଲ୍ ଓ ଦଳପତି ଯୋଗବ୍ୟାସ ଭୋଇ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ବେସ୍କ୍ୟାମ୍ପ୍ରେ ୪/୫ ଫୁଟ୍ ବରଫ ଜମାହେବା ଏବଂ ତାପମାତ୍ରା -୫ରୁ -୧୦କୁ ଖସିଯିବାରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ ବୋଲି କୁହାଯାଇଛି। ତଥାପି ଏହି ଅଭିଯାନ ସଫଳ ହୋଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଦଳପତି ଯୋଗବ୍ୟାସ ଭୋଇ। ସେପ୍ଟେମ୍ବର ୨୭ ତାରିଖରେ ଦଳ ୧୧,୦୦୦ ଫୁଟ ଉଚ୍ଚତା ବିଶିଷ୍ଟ କାଫଲୋନ୍ ବେସ୍କ୍ୟାମ୍ପ୍ରେ ପହଞ୍ଚି ବିଜୟ ଉତ୍ସବ ପାଳିଥିଲେ। ଏହି ଦଳରେ କ୍ରୀଡ଼ା ଓ ଯୁବସେବା ବିଭାଗର ହରିଶ କୁମାର ମିଶ୍ର ମଧ୍ୟ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଗତବର୍ଷଠାରୁ ଏହା ଆରମ୍ଭ କରାଯାଇଥିଲା।
ଅଭିଯାତ୍ରୀ ଦଳ: ଯୋଗାବ୍ୟାସ ଭୋଇ (ଦଳପତି), ଭବାନୀ ଶଙ୍କର ରାଣା, ଦେବାଶିଷ ପଣ୍ଡା, ପପୁନ ଦାଶ, ରାଜୁ କୁମାର ବେହେରା, ରୋମାଞ୍ଚଳ ଭୋଇ, ସୁନୀଲ କୁମାର ସାହୁ, ଲକ୍ଷ୍ମୀଧର ନାଥ, ତାରାକାନ୍ତ ପରିଡ଼ା, ରାଜେଶ ବହଳିଆ, ଲାଲୁ ପ୍ରସାଦ ଭୋଇ, ସଲିମ୍ ଡାର୍କା, ସ୍ମ୍ୃତିରଂଜନ ସିଂହ, ପ୍ରିୟଙ୍କା ମିଶ୍ର, ସସ୍ମିତା ରାଉତରାୟ ଏବଂ ଇପ୍ସାମୟୀ ଦୁବେ।
ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ, ପ୍ରତିକୂଳ ପାଗ ପାଇଁ ଅଧାରୁ ଫେରିଲେ
/sambad/media/post_attachments/wp-content/uploads/2017/10/3-biju-himalayan-expedition.jpg)