ହିଙ୍ଗୁଳା କପ୍‌ ଜିତିଲା ଟାଉନ୍‌ କ୍ଲବ୍‌

ଭୁବନେଶ୍ବର: ଢେଙ୍କାନାଳର ମୃଦଙ୍ଗାରେ ଆୟୋଜିତ ମା ହିଙ୍ଗୁଳା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭୁବନେଶ୍ବର ଟାଉନ୍‌ କ୍ଲବ୍‌ ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ଏହି ଦଳ ୬ ୱିକେଟ୍‌ରେ ଭଦ୍ରକର ଚରମ୍ପା ଏକାଡେମିକୁ ପରାସ୍ତ କରି ହିଙ୍ଗୁଳା କପ୍‌ ହାସଲ କରିନେଇଛି। ଚରମ୍ପା ଏକାଡେମି ୨୧.୪ ଓଭରରେ ୧୩୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ବସନ୍ତ ୩୮ ରନ୍‌ କରିଥିଲା ବେଳେ ବିଜେତା ଦଳ ପକ୍ଷରୁ ସଫଳ ବୋଲର ଭାବେ ମାନସ ଦାସ ୩୦ ରନ୍‌ରେ ୩, ବିଶାଳ କର ୨୯ ରନ୍‌ରେ ୩ ଓ ଦୀପକ ମାଝୀ ୩୪ ରନ୍‌ଷର ୨ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ବିନାୟକ ମହାନ୍ତିଙ୍କ ଅପରାଜିତ ୫୫, ବିଶାଳ କରଙ୍କ ୨୦ ଓ ଶୁଭାଶିଷ ଖଣ୍ଡାୟତରାୟଙ୍କ ଅପରାଜିତ ୧୮ ରନ୍‌ ବଳରେ ଟା‌ଉନ୍‌ କ୍ଲବ୍‌ ୧୮ ଓଭରରେ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୧୩୨ ରନ୍‌ରେ ପହଞ୍ଚି ଯାଇଥିଲା। ଚରମ୍ପା ଏକାଡେମି ପକ୍ଷରୁ ଆର୍‌କେ ମହାରାଣା ଓ ସାହିଲ ଖାନ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଶାଳ କରଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ବିନାୟକ ମହାନ୍ତିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର