ଆସ୍ତାନା (କାଜାଖସ୍ଥାନ): ଏସୀୟ ଟେବୁଲ୍‌ ଟେନିସ୍‌ (ଟିଟି)ରେ ଭାରତୀୟ ମହିଳା ଦଳ ବୁଧବାର କାଂସ୍ୟ ପଦକ ଜିତି ଇତିହାସ ରଚିଛି। ଏଠାରେ ଚାଲିଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ମନିକା ବାତ୍ରା, ଆହିକା ମୁଖାର୍ଜୀ ଓ ସୁତୀର୍ଥା ମୁଖାର୍ଜୀଙ୍କୁ ନେଇ ଗଠିତ ଭାରତୀୟ ମହିଳା ଦଳ ୧-୩ରେ ଜାପାନଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛି। ତେବେ ଏସୀୟ ଚାମ୍ପିଅନ୍‌ସିପ୍‌ ମହିଳା ଦଳଗତରେ ଏହା ଭାରତର ସର୍ବପ୍ରଥମ ପଦକ ହୋଇଥିବାରୁ ଘରୋଇ କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳିଯାଇଛି। 

Advertisment

ବୁଧବାରର ପ୍ରଥମ ମ୍ୟାଚ୍‌ରେ ଆହିକା କଡ଼ା ସଂଘର୍ଷ କରି ୨-୩ (୮-୧୧, ୧୧-୯, ୮-୧୧, ୧୩-୧୧, ୭-୧୧)ରେ ମିୱା ହାରିମୋତୋଙ୍କଠୁ ପରାସ୍ତ ହୋଇଥିଲେ। ଭାରତର ତାରକା ଖେଳାଳି ମନିକା ୩-୦ (୧୧-୬, ୧୧-୫, ୧୧-୮)ରେ ସାତ୍‌ସୁକି ଓଡୋଙ୍କୁ ହରାଇ ସ୍ଥିତି ସମାନ କରିଥିଲେ। ପରବର୍ତ୍ତୀ ମ୍ୟାଚ୍‌ରେ ସୁତୀର୍ଥା ୦-୩ (୯-୧୧, ୪-୧୧, ୧୩-୧୫)ରେ ମିମା ଇତୋଙ୍କଠୁ ଏବଂ ମନିକା ୧-୩ (୩-୧୧, ୧୧-୬, ୨-୧୧, ୩-୧୧)ରେ ହାରିମୋତୋଙ୍କଠୁ ହାରି ଯିବାରୁ ଭାରତ ୧-୩ରେ ପଛରେ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା।