ପ୍ୟାରିସ୍‌: ଚଳିତ ପାରାଲିମ୍ପିକ୍ସରେ ଭାରତକୁ ବୁଧବାର ରାତିରେ ଚତୁର୍ଥ ସ୍ବର୍ଣ୍ଣ ପଦକ ମିଳିଛି। ଟୋକିଓରେ କାଂସ୍ୟ ଜିତିଥିବା ହରଭିନ୍ଦର ସିଂହ ସପ୍ତମ ଦିନରେ ତୀରନ୍ଦାଜି ଇଭେଣ୍ଟ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସ ଇତିହାସରେ ଭାରତ କେବେ ତୀରନ୍ଦାଜିରୁ ସ୍ବର୍ଣ୍ଣ ପଦକ ଜିତିନଥିଲା।

Advertisment

ପୁରୁଷ ଇଣ୍ଡିଭିଜୁଆଲ୍‌ ରିକର୍ଭ ଇଭେଣ୍ଟ୍‌ରେ ହରଭିନ୍ଦର କ୍ରମାଗତ ୫ ବିଜୟ ସହ ସେ ଏହି ସଫଳତା ଅର୍ଜନ କରିଛନ୍ତି। ଫାଇନାଲ୍‌ରେ ହରଭିନ୍ଦର ୬-୦ରେ ଏକତରଫା ଭାବେ‌ ପୋଲାଣ୍ଡ୍‌ର ଲୁକାଜ୍‌ ସିଜେକଙ୍କୁ ପରାସ୍ତ କରିଥିଲେ। ଏଥି ସହ ଭାରତର ମୋଟ ପଦକ ୨୨ରେ ପହଞ୍ଚିଛି। ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟ ପାଇଁ ହରଭିନ୍ଦରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ଅତି ସ୍ବତନ୍ତ୍ର ସ୍ବର୍ଣ୍ଣ ପଦକ ବୋଲି ମୋଦୀ ପ୍ରକାଶ କରିଛନ୍ତି।