ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଲନ୍‌ ବଲ୍‌ରୁ ଐତିହାସିକ ପଦକ ନିଶ୍ଚିତ

ଅଜୟ ସିଂହ ଅଳ୍ପକେ ବଞ୍ଚିତ, ବର୍ତିଗଲେ ବିଶ୍ବଜିତ୍

ବର୍ମିଂହାମ୍‌ ନିଜ ପରିଚୟ ପାଇଁ ସଂଘର୍ଷ କରୁଥିବା ଲନ୍‌ ବଲ୍‌ରୁ ଭାରତ ଏକ ଐତିହାସିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟକୁ ନିଶ୍ଚିତ କରିଛି। ଲନ୍‌ ବଲ୍‌ର ମହିଳା ଫୋର୍‌ସ ପ୍ରତିଯୋଗିତାରେ ଭାରତୀୟ ଦଳ ସୋମବାର ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ୧୬-୧୩ରେ ପରାସ୍ତ କରି ସର୍ବପ୍ରଥମ ଥର ପାଇଁ ଫାଇନାଲ୍‌କୁ ଉଠିଛି। ଅର୍ଥାତ୍‌ ଭାରତକୁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ମିଳିବା ନିଶ୍ଚିତ ହୋଇଛି। ଲଭଲି ଚୌବେ (ଲିଡ୍), ପିଙ୍କି (ସେକଣ୍ଡ୍‌), ନୟନମଣି ସାଇକିଆ (ଥାର୍ଡ) ଏବଂ ରୂପାରାଣୀ ତିର୍କି (ସ୍କିପ୍‌)ଙ୍କୁ ନେଇ ଗଠିତ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ୍‌ ହାତରୁ ବିଜୟ ଛଡ଼ାଇ ଆଣିଥିଲେ। ମଙ୍ଗଳବାର ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ମୁକାବିଲା (ଫାଇନାଲ୍‌)ରେ ଦକ୍ଷିଣ ଅଫ୍ରିକାକୁ ଭେଟିବ। ଭାରତୀୟ ଦଳର ଏହି ପ୍ରଦର୍ଶନ ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଅଭିନନ୍ଦନ ଓ ଶୁଭଚ୍ଛୋ ଜଣାଇଛି। ନୂଆ ଇତିହାସ ଲେଖିଲ ବୋଲି ଟ୍ବଟ୍‌ କରିଛି ସାଇ। ପ୍ରଥମରୁ ନ୍ୟୁଜିଲାଣ୍ଡ୍‌ ୦-୭ରେ ପଛରେ ପଡ଼ିଯାଇଥିଲେ ମଧ୍ୟ ଭାରତ ଏହାକୁ ନବମ ଏଣ୍ଡ୍‌ ସୁଦ୍ଧା ୭-୭ରେ ପରିଣତ କରି ଦେଇଥିଲା। ଦଶମ ଏଣ୍ଡ୍ ବେଳକୁ ଭାରତ ୧୦-୭ରେ ଆଗୁଆ ହୋଇ ଚାପ ପକାଇଥିଲା। ୧୪ ଏଣ୍ଡ୍ ବେଳକୁ ନ୍ୟୁଜିଲାଣ୍ଡ୍‌ ଅଳ୍ପକେ (୧୩-୧୨)ରେ ଅଗ୍ରଣୀ ନେଇ ପ୍ରତ୍ୟାବର୍ତନ କରିଥିଲା। ତେବେ ରୂପାରାଣୀ ତିର୍କିଙ୍କ ଚମତ୍କାର ସଟ୍‌ କାରଣରୁ ଭାରତ ଶେଷକୁ ୧୬-୧୩ରେ ବାଜି ମାରି ନେଇଥିଲା। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ କିନ୍ତୁ ନିରାଶ କରିଛନ୍ତି। ପୁରୁଷ ପେୟାର୍‌ରେ ରବିବାର କ୍ବାର୍ଟରଫାଇନାଲ୍‌ରେ ଭାରତକୁ ନର୍ଦର୍ଣ୍ଣ ଆୟର୍ଲାଣ୍ଡ୍‌ ୨୬-୮ରେ ଶୋଚନୀୟ ଭାବେ ହରାଇ ଦେଇଥିଲା।

ଅଜୟ ସିଂହ ଅଳ୍ପକେ ବଞ୍ଚିତ
ସ୍ନାଚ ବେଳେ ଅଳ୍ପ ଉଠାଇବା ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ବିଫଳ ହେବାରୁ ଭାରତୀୟ ଭାରୋତ୍ତୋଳକ ଅଜୟ ସିଂହ ଅଳ୍ପକେ ପଦକରୁ ବଞ୍ଚିତ‌ ହୋଇଛନ୍ତି। ପ୍ରଥମ ଥର ପଦାର୍ପଣ କରିଥିବା ଅଜୟ ୮୧ କିଲୋଗ୍ରାମ ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିବାର ସୁଯୋଗ ହାତଛଡ଼ା କରିଥିଲେ। ସୋମବାର ୨୫ ବର୍ଷୀୟ ଅଜୟ ସ୍ନାଚରେ ୧୪୩ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୭୬ କିଲୋଗ୍ରାମ ସହ ମୋଟ ୩୧୯ କିଲୋ ଉଠାଇ ଚତୁର୍ଥରେ ରହିଥିଲେ। ମାତ୍ର ଗୋଟିଏ କିଲୋ ଅଧିକ (୩୨୦)ଉତ୍ତୋଳନ କରି କାନାଡ଼ାର ନିକୋଲାସ୍‌ ଭଞ୍ଚନ୍‌ (୧୪୦ ଓ ୧୮୦ କିଲୋଗ୍ରାମ) କାଂସ୍ୟ ପଦକର ହକ୍‌ଦାର ହୋଇଥିଲେ। ଇଂଲଣ୍ଡର କ୍ରିସ୍‌ ମରେ ମୋଟ ୩୨୫ କିଲୋଗ୍ରାମ ଉତ୍ତୋଳନ (୧୪୪ ଓ ୧୮୧ କିଲୋଗ୍ରାମ) କରି ସ୍ବର୍ଣ୍ଣ ପଦକ ଜିତି ଘରୋଇ ଦର୍ଶକଙ୍କ ପାଇଁ ଖୁସିର କାରଣ ହୋଇଥିଲେ। ଅଷ୍ଟ୍ରେଲିଆର କାଇଲ୍ ବ୍ରୁସ୍‌ ମୋଟ ୩୨୩ କିଲୋ ଉତ୍ତୋଳନ (୧୪୩ ଓ ୧୮୦ କିଲୋଗ୍ରାମ୍‌) କରି ରୌପ୍ୟ ପଦକ ହାସଲ କରିଥିଲେ। କ୍ଲିନ୍‌ ବେଳେ ପ୍ରଥମରୁ ସ୍ବଳ୍ପ ଓଜନ ୧୩୭ କିଲୋଗ୍ରାମ ଧାର୍ଯ୍ୟ କରି ବିଫଳ ହେବା ପରେ ଅଜୟ ସିଂହ ସୋମବାର ପରବର୍ତୀ ଦୁଇଟି ପ୍ରୟାସରେ ୧୪୦ ଓ ୧୪୩ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ତଥା ଜାତୀୟ କୀର୍ତ୍ତିମାନଠାରୁ ସେ ୪ କିଲୋ ପଛରେ ପଡ଼ିଯାଇଥିଲେ। ଶେଷକୁ କ୍ଲିନ୍ ଆଣ୍ଡ୍ ଜର୍କରେ ହୋଇଥିବା ୪ ଜଣିଆ ପ୍ରତିଦ୍ବନ୍ଦ୍ବିତାରେ ପଛରେ ପଡ଼ିଯାଇଥିଲେ।

ବର୍ତିଗଲେ ବିଶ୍ବଜିତ୍
ଭାରତୀୟ ସାଇକ୍ଲିଷ୍ଟ୍‌ ବିଶ୍ବଜିତ୍‌ ସିଂହହ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ପୁରୁଷ ୧୫ କିଲୋମିଟର୍‌ ସ୍କ୍ରାଚ୍‌ ରେସ୍‌ ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବିଶ୍ବଜିତ୍‌ ଦୁର୍ଘଟଣା ବେଳେ ପଛରେ ଥିବାରୁ ଆହତ ହୋଇନଥିଲେ। ଲଣ୍ଡନ୍‌ର ଲି ଭ୍ୟାଲି ଭେଲୋ ପାର୍କରେ ଏହି ରେସ୍‌ବେଳେ ୮ ଜଣ ଚାଳକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ୨୪ ବର୍ଷୀୟ ଅଲିମ୍ପିକ୍‌ ବିଜେତା ଇଂଲଣ୍ଡର ମ୍ୟାଟ୍‌ ୱାଲ୍ସଙ୍କ ସହିତ ଅନ୍ୟ ୨ ଜଣ ସାଇକ୍ଲିଷ୍ଟ୍ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିଛି ଦର୍ଶକ ମଧ୍ୟ ଆହତ ହୋଇଥିଲେ। ପଛରେ ଥିବାରୁ ଏବଂ ଉପସ୍ଥିତି ବୁଦ୍ଧି କାରଣରୁ ବିଶ୍ବଜିତ ଦୁର୍ଘଟଣାରୁ ଏଡ଼ାଇଯାଇଥିଲେ ବୋଲି ଭାରତୀୟ ଦଳ ପ୍ରଶିକ୍ଷକ ଦୟାରାମ ଜାଠ୍‌ ପ୍ରକାଶ କରିଛନ୍ତି। ୬୦ ଲ୍ୟାପି ବିଶିଷ୍ଟ ଏହି ପ୍ରତିଯୋଗିତାରେ ଶେଷଟିରେ ପେନାଲ୍ଟି ପଏଣ୍ଟ ପାଇବାରୁ ‘ସମ୍ପୂର୍ଣ୍ଣ କରିପାରିଲେ ନାହିଁ’ ବର୍ଗରେ ରହିଥିଲେ। ପ୍ରଥମ ଥର ଫାଇନାଲ୍ ଉଠି ଐତିହାସିକ ସଫଳତା ପାଇଥିବା ବିଶ୍ବଜିତ କିନ୍ତୁ ନିଜ ପ୍ରଦର୍ଶନରେ ସନ୍ତୋଷ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର