ବର୍ମିଂହାମ୍‌: ଯୁବ ଦଳ, ଅନଭିଜ୍ଞ ଅଧିନାୟକ, ବୁମ୍‌ରାଙ୍କ ଅନୁପସ୍ଥିତିର ଚାପ ସହିତ ଅଭେଦ୍ୟ ଦୁର୍ଗ ବର୍ମିଂହାମ୍‌ର ଏଜ୍‌ବାଷ୍ଟନ୍‌ରେ ଭାରତର ବିଜୟ ଅସମ୍ଭବ ଲାଗୁଥିଲା। ସବୁକିଛି ଥିଲା ଭାରତ ବିପକ୍ଷରେ। କିନ୍ତୁ ନୂଆ ଭାରତର ଏହି ଯୁବବାହିନୀ ଅସମ୍ଭବକୁ ସମ୍ଭବ କରି ଦେଖାଇଦେଲେ। ଯେଉଁ ମାଟିରେ ଦୀର୍ଘ ୫୮ ବର୍ଷ ଧରି କେବଳ ପରାଜୟ ମିଳୁଥିଲା, ସେଠାରେ ବିଜୟର ଖାତା ଖୋଲିଛି ଶୁବମନ ଗିଲ୍‌ଙ୍କ ଦଳ। ଏଜ୍‌ବାଷ୍ଟନ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତୀୟ ଦଳ ୩୩୬ ରନ୍‌ର ବଡ଼ ବିଜୟ ସହ ତେନ୍ଦୁଲକର ଆଣ୍ଡରସନ୍‌ ଟ୍ରଫି ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଶୁବମନ ଗିଲ୍‌ଙ୍କ ଉଭୟ ପାଳି ଶତକ (୨୬୯ ଓ ୧୬୧) ସହିତ ମହମ୍ମଦ ସିରାଜଙ୍କ ପ୍ରଥମ ପାଳି ୬ ୱିକେଟ୍‌ ଏବଂ ବୁମ୍‌ରାଙ୍କ ବଦଳରେ ଖେଳିଥିବା ଆକାଶ ଦୀପଙ୍କ ପ୍ରଥମ ୧୦ ୱିକେଟ୍‌ ସଫଳତା (୪/୮୮ ଓ ୬/୯୯) ଏହି ଐତିହାସିକ ବିଜୟରେ ବଡ଼ ଯୋଗଦାନ ରଖିଛି। ୨୦୨୧ ମସିହାରେ ଶୁବମନ ଗିଲ୍‌, ମହମ୍ମଦ ସିରାଜ, ଋଷଭ ପନ୍ତ ଗାବାରେ ଅଭେଦ୍ୟ ଦୁର୍ଗ ଭେଦ କରିବା ଭଳି ଏଠାରେ ଗିଲ‌୍, ସିରାଜ, ଆକାଶ ଦୀପ ସ୍ମରଣୀୟ ଛାପ ଛାଡ଼ିଛନ୍ତି। ନୂଆ ଫର୍ଦ ଯୋଡ଼ିଛି ଭାରତୀୟ କ୍ରିକେଟ୍। କାରଣ ବର୍ମିଂହାମ୍‌ରେ ଭାରତ ୧୯୬୭ ମସିହାଠାରୁ ଆରମ୍ଭ କରି ୮ ଟେଷ୍ଟ୍ ଖେଳିଥିବା ବେଳେ ୭ ପରାଜୟ ଓ ଗୋଟିଏ ଡ୍ର’ ରଖିଥିଲା। ଏଥର ନବମ ପ୍ରୟାସରେ ପ୍ରଥମ ବିଜୟର ସ୍ପର୍ଶ ପାଇଛି। ଲିଡ୍‌ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ର ଶେଷ ଦିନରେ ପ୍ରଭାବହୀନ ବୋଲିଂ ପାଇଁ ପରାଜିତ ଭାରତ କିନ୍ତୁ ଏଥର ୬୦୮ ରନ୍‌ର ବଡ଼ ଲକ୍ଷ୍ୟ ଦେଇ ଅସମ୍ଭବକୁ ସମ୍ଭବ କରିଛି।

Advertisment

ରବିବାର କିନ୍ତୁ ଏଜ୍‌ବାଷ୍ଟନ୍‌ରେ ଭାରତୀୟଙ୍କ ସକାଳ ନୈରାଶ୍ୟଜନକ ଭାବେ ଆସିଥିଲା। ପ୍ରବଳ ବର୍ଷାରେ ବୁଡ଼ିଯାଇଥିଲା ପଡ଼ିଆ। ଇନ୍ଦ୍ର‌ଦେବଙ୍କ ଅପାର କରୁଣାରୁ ମେଘ ଛାଡ଼ିଯାଇଥିଲା। ଗ୍ରାଉଣ୍ଡ୍ ଷ୍ଟାଫ୍‌ଙ୍କ ଆକ୍ଲାନ୍ତ ପରିଶ୍ରମ  ପରେ ଭାରତୀୟ ବୋଲର ଅବଶିଷ୍ଟ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇ ନେଇଥିଲେ। ବିଶେଷ କରି ଆକାଶ ଦୀପ ତାଙ୍କ ପ୍ରତ୍ୟାବର୍ତ୍ତନ ଟେଷ୍ଟ୍‌ରେ ୧୦ଟି ୱିକେଟ୍ ଅକ୍ତିଆର କରିବା ନିର୍ଣ୍ଣାୟକ ହୋଇଥିଲା। ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଇଂଲଣ୍ଡ ପାଳିକୁ ଭାରତୀୟ ବୋଲର ୨୭୧ ରନ୍‌ରେ ଶେଷ କରି ଦେଇଥିଲେ। ବୁମ୍‌ରାଙ୍କ ବିନା ଯେ ଭାରତୀୟ ବୋଲିଂ ସମସ୍ୟାରେ ନାହିଁ, ଏହାର ବଡ଼ ପ୍ରମାଣ ବି ପାଇଗଲା ଭାରତ। ବର୍ମିଂହାମରେ ବିଜୟ ପାଇବାରେ ଭାରତ ମଧ୍ୟ ପ୍ରଥମ ଏସୀୟ ଦଳ। ଗୋଟିଏ ମ୍ୟାଚ୍‌ରୁ ୪୩୦ ରନ୍ କରିବା ଏବଂ ପ୍ରଥମ ଥର ଭାରତକୁ ୧୦୦୦ରୁ ଊର୍ଧ୍ବ ରନ୍ (୧୦୧୪) ସ୍କୋର୍‌ ଦେଇଥିବା ଗିଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସିରାଜ ଓ ଆକାଶ ଦୀପ କ୍ରିକେଟ୍‌ପ୍ରେମୀଙ୍କ ହୃଦୟ ଜିତିଯାଇଛନ୍ତି। ଲର୍ଡସ୍‌ରେ ତୃତୀୟ ‌ଟେଷ୍ଟ୍‌ ଜୁଲାଇ ୧୦ ତାରିଖରୁ ଆରମ୍ଭ ହେବ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୫୮୭ (ଶୁବମନ ଗିଲ୍‌-୨୬୯, ରବୀନ୍ଦ୍ର ଜାଡ଼େଜା-୮୯, ଯଶସ୍ବୀ ଜୟସ୍ବାଲ-୮୭, ସୋଏବ୍‌ ବସିର୍‌-୩/୧୬୭, କ୍ରିସ୍ ୱକ୍ସ-୨/୮୧, ଜୋସ୍ ଟଙ୍ଗ୍‌-୨/୧୧୯)। ଇଂଲଣ୍ଡ ପ୍ରଥମ ପାଳି: ୪୦୭ (ଜାମି ସ୍ମିଥ୍‌-୧୮୪*, ହ୍ୟାରି ବ୍ରୁକ୍‌-୧୫୮, ମହମ୍ମଦ ସିରାଜ-୬/୭୦, ଆକାଶ ଦୀପ-୪/୮୮)। ଭାରତ ଦ୍ବିତୀୟ ପାଳି: ୮୩ ଓଭରରେ ୪୨୭/୬, ଘୋଷଣା (ଶୁବମନ ଗିଲ୍‌-୧୬୧, ରବୀନ୍ଦ୍ର ଜାଡ଼େଜା-୬୯*, ଋଷଭ ପନ୍ତ-୬୫, କେଏଲ୍ ରାହୁଲ୍‌-୫୫, ଯଶସ୍ବୀ ଜୟସ୍ବାଲ-୨୮, ଜୋସ୍ ଟଙ୍ଗ୍‌-୨/୯୩, ସୋଏବ୍‌ ବସିର୍‌-୨/୧୧୯, ବ୍ରାଏଡନ୍ କାର୍ସ-୧/୫୬, ଜୋ ରୁଟ୍‌-୧/୬୫)। ଇଂଲଣ୍ଡ ଦ୍ବିତୀୟ ପାଳି : ୬୮.୧ ଓଭରରେ ୨୭୧/୧୦ (ଜାମି ସ୍ମିଥ୍‌-୮୮, ବ୍ରାଡନ୍ କାର୍ସ-୩୮, ବେନ୍‌ ‌ଷ୍ଟୋକ୍ସ-୩୩, ହାରି ବ୍ରୁକ୍‌-୨୩, ବେନ୍ ଡକେଟ୍‌-୨୫, ଓଲି ପୋପ୍‌-୨୪, ଆକାଶ ଦୀପ-୬/୯୯, ୱାସିଂଟନ୍ ସୁନ୍ଦର-୧/୨୮, ପ୍ରସିଦ୍ଧ କୃଷ୍ଣ-୧/୩୯, ରବୀନ୍ଦ୍ର ଜାଡ଼େଜା-୧/୪୦, ମହମ୍ମଦ ସିରାଜ-୧/୫୭)।