ହାଇଦ୍ରାବାଦ: ଆଇପିଏଲ୍ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବୋଚ୍ଚ ସ୍କୋର କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନ୍ରେ ପରାସ୍ତ କରିଛି। ବୁଧବାର ଆଇପିଏଲ୍ର ଏକ ରୋମାଞ୍ଚକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର୍ଙ୍କୁ ଟ୍ରାଭିସ୍ ହେଡ୍ (୬୨, ୨୪ ବଲ୍, ୯ ଚୌକା, ୩ ଛକା), ଅଭିଷେକ ଶର୍ମା (୬୩, ୨୩ ବଲ୍, ୩ ଚୌକା, ୭ ଛକା), ଐଡ଼େନ୍ ମାରକ୍ରମ (୪୨*, ୨୮ ବଲ୍, ୨ ଚୌକା, ୧ ଛକା) ଓ ହେନରିକ କ୍ଲାସେଁ (୮୦*, ୩୪ ବଲ୍, ୪ ଚୌକା, ୭ ଛକା) ଧୂଲେଇ କରିଥିଲେ। ଏହାଫଳରେ ହାଇଦ୍ରାବାଦ୍ ୩ ୱିକେଟ୍ ବିନିମୟରେ ୨୭୭ ରନ୍ ସଂଗ୍ରହ କରିବା ସହ ୧୧ ବର୍ଷର କୀର୍ତ୍ତିମାନ ଭାଙ୍ଗିଛି। ପୂର୍ବରୁ ଆର୍ସିବି ୨୦୧୩ରେ ପୁନେ ୱାରିଅର୍ସ ବିପକ୍ଷରେ ୨୬୩/୫ ସ୍କୋର କରିଥିଲା। ବୁଧବାର ଯଶପ୍ରୀତ୍ ବୁମ୍ରା (୯.୦୦)ଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଇକୋନୋମି ୧୦ ଉପରେ ରହିଥିଲା।
ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରୋହିତ ଶର୍ମା ଓ ଈଶାନ କିଶନ ମଧ୍ୟ ଚୌକା, ଛକାରେ ବୋଲର୍ଙ୍କୁ ଜବାବ ଦେଇଥିଲେ। ପ୍ରଥମ ୨୦ ବଲ୍ରୁ ୫୬ ରନ୍ର ଭାଗୀଦାରି କରି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ଈଶାନ (୩୪)ଙ୍କୁ ଆଉଟ୍ କରି ଶାହବାଜ ଅହମଦ ଯୋଡ଼ି ଭାଙ୍ଗିବା ସହ ମୁମ୍ବାଇ ରନ୍ ଗତିରେ ସାମୟିକ ବିରାମ ଲଗାଇଥିଲେ। ପରବର୍ତ୍ତୀ ଓଭରରେ ରୋହିତ ଶର୍ମା (୨୬) ମଧ୍ୟ ପାଭିଲିଅନ୍ ଫେରିଥିଲେ। ନମନ ଧୀର (୩୦), ତିଳକ ବର୍ମା (୬୪), ଟିମ୍ ଡେଭିଡ୍ (୪୨*) ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନଥିଲେ। ଦଳ ୨୪୬/୫ ରନ୍ କରିପାରିଥିଲା। ଯାହା ଆଇପିଏଲ୍ ଇତିହାସରେ ସର୍ବୋଚ୍ଚ ଦ୍ବିତୀୟ ପାଳି ସ୍କୋର୍। ଏହି ମ୍ୟାଚ୍ରେ ହୋଇଥିବା ୫୨୩ ରନ୍ ଟ୍ବେଣ୍ଟି-୨୦ ଓ ଆଇପିଏଲ୍ରେ ଇତିହାସରେ ପ୍ରଥମ। ଉଭୟ ପଟରୁ ଆସିଥିବା ୩୮ ଛକା ଆଇପିଏଲ୍ ଓ ଟ୍ବେଣ୍ଟି-୨୦ରେ ସର୍ବାଧିକ। ଏହି ମ୍ୟାଚ୍ରେ ୩୧ ଚୌକା ସହ ମୋଟ ୬୯ ବାଉଣ୍ଡରି ଦେଖିବାକୁ ମିଳିଥିଲା।
ସଂକ୍ଷିପ୍ତ ସ୍କୋର:ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୭୭/୩ (ହେନରିକ କ୍ଲାସେଁ-୮୦*, ଅଭିଷେକ ଶର୍ମା-୬୩, ଟ୍ରାଭିସ୍ ହେଡ୍-୬୨, ପୀୟୂଷ ଚାୱଲା-୧/୩୪)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୪୬/୫ (ତିଳକ ବର୍ମା-୬୪, ଟିମ୍ ଡେଭିଡ୍-୪୨*, ପ୍ୟାଟ୍ କମିନ୍ସ-୨/୩୫, ଜୟଦେବ ଉନାଡ଼କଟ୍-୨/୪୭)।