କିମ୍ବଦନ୍ତୀ: ମୁଣ୍ଡଭୁସା ସତ୍ତ୍ୱେ ମହାନ

ଫରାସି ଫୁଟ୍‌ବଲ୍‌ର ଜିନେଦିନ୍‌ ଜିଦାନ୍‌ଙ୍କୁ ବିଶ୍ୱ ଫୁଟ୍‌ବଲ୍‌ର ଅନ୍ୟତମ ମହାନ ତାରକାର ମାନ୍ୟତା ମିଳେ। ୪୫ ବର୍ଷୀୟ ଜିଦାନ୍‌ ଖେଳାଳି ଭାବେ ଯେତିକି ଚର୍ଚିତ ହୋଇଥିଲେ ପ୍ରବନ୍ଧକ ଭାବେ ମଧ୍ୟ ସେତିକି ସଫଳତା ସାଉଣ୍ଟିଛନ୍ତି। ଆକ୍ରମଣାତ୍ମକ ଖେଳ ଖେଳି ପ୍ରତିପକ୍ଷର ମନୋବଳ ଭାଙ୍ଗିଦେବାରେ ସେ ସିଦ୍ଧହସ୍ତ ଥିଲେ। ମଧ୍ୟଭାଗରେ ଖେଳୁଥିଲେ ମଧ୍ୟ ଜିଦାନ୍‌ ଅଗ୍ରଭାଗ ଖେଳାଳିଙ୍କଠାରୁ କୌଣସି ଗୁଣରେ କମ୍‌ ନଥିଲେ। କେନ୍ସ, ବର୍ଡେକ୍ସ, ଜୁଭେଣ୍ଟସ୍‌ ଏବଂ ରିଅଲ ମାଦ୍ରିଦ ଭଳି କ୍ଲବ୍‌ ସ୍ତରୀୟ ଦଳ ସହ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଫ୍ରାନ୍ସ ଜାତୀୟ ଦଳର ମେରୁଦଣ୍ଡ ଥିଲେ। ନିଷ୍ଠା, ଦୂରଦର୍ଶିତା, ବିଚକ୍ଷଣ ବଲ୍‌ ନିୟନ୍ତ୍ରଣ ଏବଂ ବୈଷୟିକ କଳା କୌଶଳ ପାଇଁ ପରିଚିତ ଜିଦାନ୍‌ ୧୦୮ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଫ୍ରାନ୍ସର ପ୍ରତିନିଧିତ୍ୱ କରିଥିଲେ। ୧୯୯୮ ମସିହାରେ ଫ୍ରାନ୍ସର ବିଶ୍ୱକପ୍‌ ବିଜୟରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଫାଇନାଲରେ ଦୁଇଟି ଗୋଲ୍‌ ଦେବା ସହ ଅଲଷ୍ଟାର ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ୨୦୦୦ ମସିହାରେ ୟୁଫା କପ୍‌ ଜିତିବା ସହ ଜିଦାନ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୧୯୯୮ ବିଶ୍ୱକପ୍‌ ବିଜୟ ପରେ ସେ ଫ୍ରାନ୍ସର ସବୁଠାରୁ ଲୋକପ୍ରିୟ ତାରକା ପାଲଟି ଯାଇଥିଲେ। ସେହିବର୍ଷ ତାଙ୍କୁ ଫ୍ରାନ୍ସର ସମ୍ମାନଜନକ ‘ଲେଗିଅନ୍‌ ଡି ଅନର’ ପୁରସ୍କାର ମିଳିଥିଲା।

୨୦୦୨ରେ ଫ୍ରାନ୍ସ ବିଶ୍ୱର ଅନ୍ୟତମ ଦାବିଦାର ଥିଲା। ହେଲେ ଜିଦାନ୍‌ ସୁସ୍ଥ ନଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ସେ ଖେଳି ପାରି ନଥିଲେ। ତୃତୀୟ ମ୍ୟାଚ୍‌ରେ ଖେଳିଥିଲେ ମଧ୍ୟ ପୂରା ସୁସ୍ଥ ହୋଇ ନଥିବାରୁ ଶତପ୍ରତିଶତ ପ୍ରଦର୍ଶନ କରି ପାରି ନଥିଲେ। ଫଳରେ ଫ୍ରାନ୍ସ ଲଜ୍ଜାଜନକ ଭାବେ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ତେବେ ୨୦୦୬ ବିଶ୍ୱକପ୍‌ରେ ଜିଦାନ୍‌ ଇଟାଲି ତାରକା ମାର୍କୋ ମାତେରାଜିଙ୍କୁ ମୁଣ୍ଡଭୁସା ମାରି ବିବାଦୀୟ ଏବଂ ଚର୍ଚିତ ହୋଇ ପଡ଼ିଥିଲେ। ଏହି କାରଣରୁ ଫ୍ରାନ୍ସ ପୁଣି ଥରେ ବିଶ୍ୱକପ୍‌ ଜିତିବାରୁ ବଞ୍ଚିତ ହୋଇଥିଲା। ମାତେରାଜିଙ୍କ ଛାତିକୁ ମୁଣ୍ଡରେ ଭୁସାମାରି ଜିଦେନ ଫାଇନାଲରୁ ବିଦା ହେବା ପରେ ଇଟାଲି ଚତୁର୍ଥ ଥର ପାଇଁ ବିଶ୍ୱକପ୍‌ ଜିତିଥିଲା। ଇଟାଲି ବିଶ୍ୱକପ୍‌ ଜିତିବା ଯେତିକି ଚର୍ଚିତ ହୋଇ ନଥିଲା, ଜିଦେନଙ୍କ ମୁଣ୍ଡଭୁସା ତାଠାରୁ ଅଧିକ ବିବାଦୀୟ ହୋଇଥିଲା। ସାରା ବିଶ୍ୱରେ ସେତେବେଳେ ଏହା ସବୁଠାରୁ ଅଧିକ ବିତର୍କିତ ଅଧ୍ୟାୟ ପାଲଟି ଯାଇଥିଲା। ସେତେବେଳେ ଜିଦାନ୍‌ ତାଙ୍କର ଏଭଳି ଆଚରଣ ବିଷୟରେ କିଛି କହି ନଥିଲେ। ପରେ କିନ୍ତୁ ପରଦା ଉଠାଇଥିଲେ। ମାତେରାଜି ମୋ ମା ଏବଂ ଭଉଣୀଙ୍କୁ ନେଇ ଖରାପ କଥା କହିଥିବାରୁ ମୁଁ ତାଙ୍କୁ ମୁଣ୍ଡରେ ଆଘାତ ଦେଇଥିଲି ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ଏହି ଘଟଣା ସତ୍ତ୍ୱେ ୨୦୦୬ରେ ସେ ସର୍ବାଧିକ ଗୋଲ୍‌ ସ୍କୋରର ଭାବେ ସୁନା ଜୋତା ଜିତିଥିଲେ। ଜିଦାନ୍‌ ଫ୍ରାନ୍ସର ଚତୁର୍ଥ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଳି ଭାବେ ଅବସର ଘୋଷଣା କରିଥିଲେ। ୨୦୧୪ରେ ରିଅଲ ମାଦ୍ରିଦ ଦଳର ପ୍ରବନ୍ଧକ ନିଯୁକ୍ତ ହେବା ପରେ ଏହି ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ ଜିଦାନ୍‌। ତେବେ ଗତ ମେ ୩୧ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଫୁଟବଲ୍‌ ଖେଳ ବ୍ୟତୀତ ଜିଦାନ୍‌ ମଧ୍ୟ ଅନେକ ଦାତବ୍ୟ ସଂସ୍ଥା ସହ ଜଡ଼ିତ। ଏଡ୍ସ ଆକ୍ରାନ୍ତ ଶିଶୁଙ୍କ ଥଇଥାନ ପାଇଁ ସେ କାର୍ଯ୍ୟ କରନ୍ତି।

୧୯୯୪ରେ ଚେକ୍‌ ରିପବ୍ଲିକ୍‌ ବିପକ୍ଷରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ଜିଦାନ୍‌ ତିନି ଥର ବର୍ଷର ଶ୍ରେଷ୍ଠ ଖେଳାଳି, ୧୯୯୮ରେ ବାଲାନ ଡି’ଓଭର ପୁରସ୍କାର ପାଇଥିଲେ। ମହାନ ଫୁଟବଲର ପେଲେ ପ୍ରସ୍ତୁତ କରିଥିବା ୧୦୦ ଶ୍ରେଷ୍ଠ ଫୁଟ୍‌ବଲର ତାଲିକାରେ ମଧ୍ୟ ସେ ସ୍ଥାନ ପାଇଥିଲେ। ୟୁଫା, ବିଶ୍ୱକପ୍‌ ଏବଂ ବାଲନ ଡି’ଓର ପୁରସ୍କାର ଜିତିଥିବା ୮ ଜଣ ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ। ଜିଦାନ୍‌ଙ୍କ ପିତା ମାତା ସ୍ମେଲ୍‌ ଏବଂ ମଲ୍ଲିକା ଅଲଜେରିଆର ମୂଳବାସିନ୍ଦା ଥିଲେ। ହେଲେ ୧୯୫୩ ମସିହାରେ ସେଠାକାର ଗୃହଯୁଦ୍ଧ ଆରମ୍ଭ ହେବା ପରେ ଉଭୟ ଫ୍ରାନ୍ସ ଚାଲି ଯାଇଥିଲେ। ଦକ୍ଷିଣ ଫ୍ରାନ୍ସର ମାର୍ସିଲେ ନାମକ ଏକ ଛୋଟିଆ ଗାଁରେ ତାଙ୍କର ଜନ୍ମ ହୋଇଥିଲା। ଉଭୟ ଫ୍ରାନ୍ସ ଏବଂ ଅଲଜେରିଆ ତାଙ୍କୁ ନିଜର ନାଗରିକତ୍ୱ ପ୍ରଦାନ କରିଛନ୍ତି। ସେ ମଧ୍ୟ ଏକଦା ବିଶ୍ୱର ସବୁଠାରୁ ଦାମୀ ଖେଳାଳି ଥିଲେ। ଜିଦାନ୍‌ଙ୍କର ଚାରି ଜଣ ଯାକ ପୁଅ ମଧ୍ୟ ଫୁଟବଲ୍‌ ଖେଳରେ ବେଶ୍‌ ସକ୍ରିୟ।

ସମ୍ବନ୍ଧିତ ଖବର