ମସ୍କୋ: ବ୍ରାଜିଲୀୟ ଫୁଟ୍ବଲର୍ ମାନୁଏଲ୍ ଫ୍ରାନ୍ସିସ୍କୋ ଡସ୍ ସାଣ୍ଟୋସ୍ଙ୍କ ଡାକ ନାମ ହେଉଛି ଗାରିଞ୍ଛା। ଗାରିଞ୍ଛାର ପର୍ତୁଗିଜ୍ ଅର୍ଥ ହେଉଛି ଛୋଟ ପକ୍ଷୀ। ରାଇଟ୍ ଓ୍ଵିଙ୍ଗ୍ର ଓ ଫରଓ୍ଵାର୍ଡ ଭାବେ ଖେଳି ବେଶ ସୁନାମ କମାଇଥିବା ଗାରିଞ୍ଛାଙ୍କୁ ଫୁଟ୍ବଲ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଡ୍ରିବ୍ଲର୍ କୁହାଯାଇଥାଏ। ଜନ୍ମରୁ ତାଙ୍କର ବାମଗୋଡ଼ ୬ ଇଞ୍ଚ ଛୋଟ ଥିଲା ଡାହାଣ ତୁଳନାରେ। ବାମ ପାଦ ବି ଆଗକୁ ଟିକିଏ ବଙ୍କା ରହିଥିଲା। କିନ୍ତୁ ନିଜ ନିରଙ୍କୁଶ ଡି୍ରବ୍ଲିଂ (ପଦ ଚାଳନା) ଦକ୍ଷତା ବଳରେ ନିଜକୁ ବିଶ୍ୱ ଫୁଟ୍ବଲ୍ରେ ପ୍ରତିଷ୍ଠିତ କରିଥିଲେ। ଅଣ୍ଟାକୁ ଗୋଟିଏ ପଟେ ରଖି ଅନ୍ୟ ପଟକୁ ବଲ୍ ପଠାଇବାର କ୍ଷମତା ତାଙ୍କୁ ଅନେକ ରକ୍ଷଣଭାଗ ଖେଳାଳିଙ୍କୁ ପରାସ୍ତ କରିବାରେ ସହାୟତା କରିଥାଏ। ୧୯୫୮ ମସିହା ବିଶ୍ୱକପ୍ ଫାଇନାଲ୍ରେ ସ୍ୱିଡେନ୍ ଆଗୁଆ ଆଗ୍ରଣୀ ନେଇଯିବା ପରେ ବ୍ରାଜିଲ୍କୁ ପ୍ରତ୍ୟାବର୍ତନ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଦୁଇ ଥର ସେ ମାର୍କରଙ୍କୁ ପଛରେ ପକାଇ ତଳୁଆ ପାସ୍ ସହିତ ଭାଭାଙ୍କ ସହ ମିଶି ଦେଇଥିଲେ ଗୋଲ୍। ୧୯୬୨ ମସିହା ବିଶ୍ୱକପ୍ରେ ପେଲେଙ୍କ ଅସୁସ୍ଥତା କାରଣରୁ ଗୋଲ୍ ସ୍କୋରିଂ ଦକ୍ଷତା ରହିଥିଲା ଗାରିଞ୍ଛାଙ୍କ ଉପରେ। ଇଂଲଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲ୍ ଏବଂ ଚିଲି ବିପକ୍ଷ ସେମିଫାଇନାଲ୍ରେ ସେ ୨ ଲେଖାଏଁ ଗୋଲ୍ ଦେଇଥିଲେ। ବ୍ରାଜିଲ୍ ଦ୍ୱିତୀୟ ଥର ବିଶ୍ୱକପ୍ ଜିତିଥିଲା ଏବଂ ଗାରିଞ୍ଛା ଅଗ୍ରଣୀ ସ୍କୋରର୍ ଭାବେ ସୁନା ଜୋତା ହାତେଇ ନେଇଥିଲେ।
୩ ବିଶ୍ୱକପ୍ରେ ଖେଳିଥିଲେ ମଧ୍ୟ ୧୯୫୮ ଏବଂ ୧୯୬୨ରେ ଜିତିଥିଲେ ଗାରିଞ୍ଛା। ୧୯୬୨ ମସିହା ବିଶ୍ୱକପ୍ କିନ୍ତୁ ଗାରିଞ୍ଛାଙ୍କୁ ମହାନ ଖେଳାଳିର ମାନ୍ୟତା ଦେଇଥିଲା। ଶ୍ରେଷ୍ଠ ଖେଳାଳି ଭାବେ ସୁନା ବଲ୍ ଏବଂ ଅଗ୍ରଣୀ ଗୋଲ୍ ସ୍କୋରର୍ ଭାବେ ସୁନା ଜୋତା ସହିତ ବିଶ୍ୱକପ୍ ଅଲ୍ ଷ୍ଟାର୍ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ୧୯୯୪ ମସିହାରେ ଘୋଷିତ ଫିଫା ବିଶ୍ୱକପ୍ ସର୍ବକାଳୀନ ଦଳରେ ମଧ୍ୟ ତାଙ୍କ ନାମ ରହିଥିଲା। ୧୯୯୯ ମସିହାରେ ପ୍ରକାଶିତ ଫିଫାର ଶତାବ୍ଦୀ ଶ୍ରେଷ୍ଠ ଦଳ ଏବଂ ବିଂଶ ଶତାବ୍ଦୀର ବିଶ୍ୱ ଦଳରେ ମଧ୍ୟ ରହିଥିଲେ ଗାରିଞ୍ଛା। ନିଜର କ୍ଲବ୍ ସ୍ତରରେ ଗାରିଞ୍ଛାଙ୍କ ଅଧିକାଂଶ ପେସାଦାର ଜୀବନ ବିତିଥିଲା ବ୍ରାଜିଲୀୟ କ୍ଲବ୍ ବୋତାଫୋଗୋ ସହିତ। ମାରାକାନାରେ ମଧ୍ୟ ତାଙ୍କ ନାମରେ ରହିଛି ଜାତୀୟ ଷ୍ଟାଡିୟମ୍। ବ୍ରାଜିଲୀୟ ହଲ୍ ଅଫ୍ ଫେମ୍ରେ ସ୍ୱଭାବିକ ଭାବେ ସ୍ଥାନ ପାଇଛନ୍ତି ଏହି ମହାନ ଖେଳାଳି। ମାତ୍ର ୪୯ ବର୍ଷ ବୟସରେ ପରଲୋକ ଗମନ କରିଥିବା ଗାରିଞ୍ଛା ଦେଶ ପାଇଁ ୫୦ ମ୍ୟାଚ୍ ଖେଳି ୧୨ ଗୋଲ୍ ଦେଇଥିଲେ। ସେ ଖେଳିଥିବା ମ୍ୟାଚ୍ ମଧ୍ୟରୁ ବ୍ରାଜିଲ୍ ଥରେ ମାତ୍ର ହାରିଥିଲା। ବିଶେଷ କରି ପେଲେ-ଗାରିଞ୍ଛାଙ୍କ ଯୋଡ଼ି ଥିବାବେଳେ ବ୍ରାଜିଲ୍ କେବେ ହାରିନଥିଲା। କୋପା ଆମେରିକାରେ ଦୁଇ ଥର ଉପ ବିଜେତା ହୋଇଥିଲେ। କିନ୍ତୁ କ୍ଲବ୍ ଜୀବନରେ ୬୯୨ ମ୍ୟାଚ୍ରୁ ଦେଇଥିଲେ ୨୭୬ ଗୋଲ୍। ବୋଟାଫୋଗୋ ସହିତ ଅଧିକାଂଶ ମ୍ୟାଚ୍ ଖେଳିଥିଲେ ମଧ୍ୟ କୋରିନ୍ଥିଆନ୍ସ, ପର୍ତୁଗୁସା କାରିଓକା, ଆଟଲେଟିକୋ ଜୁନିୟର୍, ଫ୍ଲାମେଙ୍ଗୋ, ଓଲାରିଓ ଆଦି କ୍ଲବରୁ ଖେଳିଥିଲେ। ବ୍ୟକ୍ତିଗତ ଜୀବନ ବଡ଼ ବିବାଦୀୟ ରହିଥିଲା ଗାରିଞ୍ଛାଙ୍କର। ଗାରିଞ୍ଛା ବ୍ରାଜିଲ୍ରେ ଏତେ ଲୋକପ୍ର୍ର୍ରିୟ ଥିଲେ ଯେ ୧୯୭୩ ମସିହାରେ ତାଙ୍କ ଅବସର ପାଇଁ ଆୟୋଜିତ ବିଦାୟୀ ମ୍ୟାଚ୍କୁ ମାରାକାନା ଷ୍ଟାଡିୟମ୍ରେ ଦେଖିଥିଲେ ୧,୩୧,୦୦୦ ଲୋକ। ଫୁଟ୍ବଲ୍ ଜୀବନରେ ସଫଳତା ଯେତିକି ଥିଲା, ବ୍ୟକ୍ତିଗତ ଜୀବନ ସେତିକି କଳଙ୍କିତ ଥିଲା। ମଦ୍ୟପାନ, ଅବୈଧ ସମ୍ପର୍କ ପାଇଁ ବେଶ ନିନ୍ଦିତ ଥିଲେ। ଅନ୍ତର୍ଜାତୀୟ ଜୀବନ ପୂର୍ବରୁ ବିବାହ କରି ସାରିଥିଲେ ଏବଂ ୪୦ ବର୍ଷ ବୟସ ବେଳକୁ ନାତିନାତୁଣୀ ଦେଖି ସାରିଥିଲେ। ଏକାଧିକ ଥର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଥରେ ନିଜ ଶାଶୁଙ୍କୁ ହରାଇଥିଲେ। ଜୀବନରେ ଦୁଇ ଥର ବିବାହ କରିଥିଲେ। ପ୍ରଥମ ପତ୍ନୀ ପାଉ ଗ୍ରାଣ୍ଡ୍ ୮ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ୧୯୬୫ରେ ତାଙ୍କୁ ଛାଡ଼ପତ୍ର ଦେଇ ୧୯୬୬ରେ ଶାମ୍ଭା ଗାୟିକା ଏଲଜା ସୋରେସ୍ଙ୍କୁ ଅଣଆନୁଷ୍ଠାନିକ ଭାବେ ବିବାହ କରିଥିଲେ। ସୋରେସ୍ ଆଗରୁ ମଧ୍ୟ ବିବାହ କରିଥିଲେ। ଏକ ଯୁକ୍ତିତର୍କ ପରେ ଉଭୟ ମଧ୍ୟ ୧୯୭୭ ମସିହାରେ ଅଲଗା ହୋଇଯାଇଥିଲେ। ବହୁନାରୀଙ୍କ ସହ ସମ୍ପର୍କ କାରଣରୁ ଗାରିଞ୍ଛା ଅନ୍ୟୁନ ୧୪ ସନ୍ତାନର ପିତା ଥିଲେ। ଆର୍ଥିକ ସଙ୍କଟ, ସ୍ୱାସ୍ଥ୍ୟ ଓ ବୈବାହିକ ସମସ୍ୟା ଭିତରେ ୧୯୮୩ ଜାନୁଆରି ୨୦ ତାରିଖରେ ସେ ପ୍ରାଣତ୍ୟାଗ କରିଥିଲେ। କିନ୍ତୁ ପ୍ରଶଂସକଙ୍କୁ ଦେଇ ଯାଇଥିବା ଖୁସି ତାଙ୍କୁ ଲୋକଙ୍କ ଆନନ୍ଦଦାତାର ପରିଚୟ ଛାଡ଼ିଯାଇଥିଲା।