ଆଜିଠୁ ଭାରତ-ଆଫ୍‌ଗାନିସ୍ତାନ ଐତିହାସିକ ଟେଷ୍ଟ୍‌

ବେଙ୍ଗାଲୁରୁ: ଆସନ୍ତାକାଲିଠାରୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଆଇସିସିର ନୂଆ ଟେଷ୍ଟ ମାନ୍ୟତା ପାଇଥିବା ଆଫ୍‌ଗାନିସ୍ତାନ ମଧ୍ୟରେ ଐତିହାସିକ ଟେଷ୍ଟ ଆରମ୍ଭ ହେବ। ଭାରତ ଏବେ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷ ଦଳ ରହିଥିଲେ ମଧ୍ୟ ଆଫ୍‌ଗାନିସ୍ତାନକୁ ହାଲୁକା ଭାବେ ନେବନାହିଁ ବୋଲି ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ପାଇଥିବା ଆଜିଙ୍କ୍ୟ ରହାଣେ କହିଛନ୍ତି। ଏହି ଟେଷ୍ଟରେ ବିଶେଷକରି ଭ୍ରମଣକାରୀ ଦଳର ଦୁଇ ସ୍ପିନର ରସିଦ୍‌ ଖାନ୍‌ ଏବଂ ମୁଜିବୁର୍‌ ରହମନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏହି ଦୁଇ ଜଣଙ୍କ ସହିତ ଅମୀର ହମ୍‌ଜା ଏବଂ ମହମ୍ମଦ ନବି ମଧ୍ୟ ବୋଲିଂରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିଛନ୍ତି। ଭ୍ରମଣକାରୀ ଦଳର ଅଧିନାୟକ ଅସ୍‌ଗର ସ୍ତାନିକ୍‌ଜାଇ ମଧ୍ୟ ଭାରତକୁ ଚେତାବନୀ ଛାଡ଼ି ସାରିଛନ୍ତି। ଭାରତଠୁ ତାଙ୍କ ଦଳରେ ଶ୍ରେଷ୍ଠ ସ୍ପିନର ରହିଥିବା ସ୍ତାନିକ୍‌ଜାଇ ଭାବି ସାରିଛନ୍ତି। ଏହା ହିଁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକ୍ରମକୁ ଭୁଶୁଡ଼ାଇବାରେ ସମର୍ଥ ହେବ ବୋଲି ଆଫ୍‌ଗାନିସ୍ତାନ ଅଧିନାୟକ ଆଶା ରଖିଛନ୍ତି। ଏହା ପୂର୍ବରୁ ଦିନିକିଆରେ ଦମ୍‌ଦାର ପ୍ରଦର୍ଶନ କରି ଆଫ୍‌ଗାନିସ୍ତାନ ଭାରତ ଆସିଛି। ଦିନିକିଆରେ ମୋଟ ୧୮ ମ୍ୟାଚ୍‌ ଖେଳି ସାରିଥିବା ଆଫ୍‌ଗାନିସ୍ତାନ ମାତ୍ର ୫ରେ ହାରିଛି। ତେବେ ଟେଷ୍ଟ ହେଉଛି ଏକ ଭିନ୍ନ ଫର୍ମାଟ୍‌। ଆଫ୍‌ଗାନିସ୍ତାନ ଏହି ଫର୍ମାଟ୍‌ରେ ପ୍ରଥମ ପରୀକ୍ଷା ଦେବ। ଏହା ପୁଣି ବିଶ୍ୱର ଶ୍ରେଷ୍ଠ ଦଳ ସହ। ତେଣୁ ଟେଷ୍ଟ ପଦାର୍ପଣରେ ଏତେ ବଡ଼ ପରୀକ୍ଷାକୁ ଆଫ୍‌ଗାନିସ୍ତାନ କିପରି ସମ୍ମୁଖୀନ ହେବ ତାହା ଉପରେ ମଧ୍ୟ କ୍ରିକେଟ୍‌ ବିଶ୍ୱର ନଜର ରହିବ। ପୁଣି ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ର ପିଚ୍‌ ମୁଖ୍ୟତଃ ଦ୍ରୁତ ବୋଲରଙ୍କୁ ସୁହାଇବ। ଏପରି ସ୍ଥିତିରେ ଭାରତକୁ ଘାଇଲା କରିବା ସହଜ ହେବନି ବୋଲି ଭ୍ରମଣକାରୀ ଦଳର ପ୍ରଶିକ୍ଷକ ଫିଲ୍‌ ସିମନ୍‌ସ କହିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ସହିତ ତିନି ପ୍ରମୁଖ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଜସ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଭାରତର ବୋଲିଂ ଆକ୍ରମଣ ଉମେଶ ଯାଦବ ଓ ଈଶାନ୍ତ ଶର୍ମାଙ୍କ ଉପରେ ନିର୍ଭର କରିବ। ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଓ ରବୀନ୍ଦ୍ର ଜାଦେଜା ମଧ୍ୟ ଆଫ୍‌ଗାନିସ୍ତାନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇବେ। ବ୍ୟାଟିଂରେ ଶିଖର ଧାଓ୍ଵନ୍‌, ମୁରଲୀ ବିଜୟ, ଲୋକେଶ ରାହୁଲ୍‌, ଚେତେଶ୍ୱର ପୂଜାରା, ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକଙ୍କ ସହିତ ଅଧିନାୟକ ରାହାଣେଙ୍କ ଉପରେ ସବୁକିଛି ନିର୍ଭର କରିବ। ଘରୋଇ ପରିବେଶରେ ଭାରତ ୨୦୧୩ରୁ ୨୬ ଟେଷ୍ଟ ଖେଳିଥିଲା ବେଳେ ମାତ୍ର ୬ଟିରେ ବିଜୟରୁ ବଞ୍ଚିତ ହୋଇଛି। ଏହି ୬ ମ୍ୟାଚ୍‌ ମଧ୍ୟରୁ ଗୋଟିଏରେ ହାରିଥିଲା ବେଳେ ୫ଟି ଅମୀମାଂସିତ ରହିଥିଲା। ବେଙ୍ଗାଲୁରୁରେ ବର୍ଷାର ଆଶଙ୍କା ରହିଛି। ପଡ଼ିଆର କିଛି ସ୍ଥାନ ମଧ୍ୟ ହାଲକା ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ପିଚ୍‌ରେ ସବୁଜ ଘାସ ରହିଛି। ଆରମ୍ଭରୁ ଆର୍ଦତା ରହିବା ଆଶା ଥିଲା ବେଳେ ତୃତୀୟ ଦିବସରୁ ହିଁ ବଲ୍‌ ଘୁରିବ ବୋଲି କ୍ୟୁରେଟର୍‌ କହିଛନ୍ତି।

ସମ୍ଭାବ୍ୟ ଦଳ (ଭାରତ): ମୁରଲୀ ବିଜୟ/ଶିଖର ଧାଓ୍ଵନ୍‌, ଲୋକେଶ ରାହୁଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରହାଣେ (ଅଧିନାୟକ), କରୁଣ ନାୟାର, ଦୀନେଶ କାର୍ତିକ (ଓ୍ଵିକେଟ୍‌ରକ୍ଷକ), ହାର୍ଦିକ୍‌ ପାଣ୍ଡ୍ୟା, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, ଈଶାନ୍ତ ଶର୍ମା ଓ ଉମେଶ ଯାଦବ।
ଆଫ୍‌ଗାନିସ୍ତାନ: ମହମ୍ମଦ ସାହଜଦ୍‌, ଜାଭେଦ୍‌ ଅହମଦି, ରହମତ୍‌ ସାହା, ଅସ୍‌ଗୀ ସ୍ତାନିକ୍‌ଜାଇ (ଅଧିନାୟକ), ନାଜିର ଜମଲ୍‌/ହାସ୍‌ମତୁଲ୍ଲା ସାହିଦି, ମହମ୍ମଦ ନବି, ଅଫ୍‌ସର ଜଜାଇ (ଓ୍ଵିକେଟ୍‌ରକ୍ଷକ), ରସିଦ୍‌ ଖାନ୍‌, ଅମୀର ହମ୍‌ଜା/ଜାହିର ଖାନ୍‌, ୟାମିନ୍‌ ଅହମ୍‌ଜାଇ, ଓ୍ଵାଫାଦାର/ମୁଜିବ୍‌ ଉର୍‌ ରହମନ୍‌।

ସମ୍ବନ୍ଧିତ ଖବର