ଧୋନିଙ୍କଠାରୁ ଶିକ୍ଷା ନେବେକି କୋହଲି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଇତିହାସର ପୁନରାବୃତ୍ତି ହୋଇଛି। ଦିନେ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହବାଗ, ଗୌତମ ଗମ୍ଭୀର ଓ ଭିଭିଏସ୍ ଲକ୍ଷ୍ମଣ ଯେଉଁ ସ୍ଥିତିରେ ଥିଲେ ଆଜି ଧୋନି ସେହି ସ୍ଥିତିରେ ଅଛନ୍ତି। ଧୋନି ଅଧିନାୟକ ଥିଲା ବେଳେ ବିଭିନ୍ନ କାରଣରୁ ପର୍ଯ୍ୟାୟକ୍ରମେ ଏହି ଖେଳାଳିଙ୍କୁ ଭାରତୀୟ ଦଳରୁ ବିଦା କରିଥିଲେ। ଏବେ ଧୋନିଙ୍କୁ ବିଦା କରିବାର ବାଟ ଖୋଜା ହେଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଅତୀତରେ ଧୋନି ନେଇଥିବା‌ ସେହିସବୁ କାଠୋର ନିଷ୍ପତ୍ତିରୁ କୋହଲି ପ୍ରେରଣା ନେବେ‌ କି? ଧୋନିଙ୍କ କ୍ଷେତ୍ରରେ କୋହଲି ସେହି ନୀତିକୁ ଉପଯୋଗ କରିବେ କି? ଆସନ୍ତୁ ଧୋନି ଅତୀତରେ ଏକାଧିକ ପୂର୍ବତନ ତାରକାଙ୍କ ପାଇଁ ନେଇଥିବା କେତେକ କଠୋର ଓ ବିବାଦୀୟ ନିଷ୍ପତ୍ତି ଉପରେ ନଜର ପକାଇବ।

Advertisment

୨୦୦୮: ଦୁର୍ବଳ କ୍ଷେତ୍ର ରକ୍ଷଣ ଦ୍ବାହିରେ ଗାଙ୍ଗୁଲି, ଦ୍ରାବିଡ଼ଙ୍କର କଟିଥିଲା ଦିନିକିଆ ଟିକେଟ
ଅଷ୍ଟ୍ରେଲିଆରେ ୨୦୦୮‌ରେ ଖେଳା ଯାଇଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳା ପୂର୍ବରୁ ଦୁର୍ବଳ କ୍ଷେତ୍ରରକ୍ଷଣକୁ କାରଣ କରି ଧୋନି ଦୁଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ଙ୍କୁ ଦିନିକିଆ ଦଳରୁ ବାଦ୍ ଦେବାକୁ ଚୟନକର୍ତାଙ୍କୁ କହିଥିଲେ। ୨୦୧୧ ବିଶ୍ବକପ୍‌କୁ ନଜରରେ ରଖି ଧୋନି ଏଭଳି କଠୋର ନିଷ୍ପତ୍ତି ନେଇଥିଲେ। ଭାରତ ସେହି ଶୃଙ୍ଖଳା ସହ ୨୦୧୧ରେ ଘରୋଇ ପରିବେଶରେ ବିଶ୍ବକପ୍ ଜିତିବାକୁ ସକ୍ଷମ ହୋଇଥିଲା। ସୁରେଶ ରାଇନା ଓ ଗୌତମ ଗମ୍ଭୀରଙ୍କ ଭଳି ଖେଳାଳି ଭାରତୀୟ ଦଳରେ ନିୟମିତ ଭାବେ ସ୍ଥାନ ପାଇଥିଲେ। ୨୦୧୨ରେ ଭାରତୀୟ ଦଳ ପୁଣି ଥରେ ଅଷ୍ଟ୍ରେଲିଆ ଯାଇଥିଲା ବେଳେ ଏହି ବିଷୟରେ ଧୋନି କହିଥିଲେ ଯେ ଆମେ ୨୦୧୫ ବିଶ୍ବକପ୍ ଖେଳିବା ଲାଗି ଯେଉଁ ଖେଳାଳିମାନେ ପୁଣି ଥରେ ଅଷ୍ଟ୍ରେଲିଆ ଫେରି ପାରିବେ, ସେମାନଙ୍କୁ ସୁଯୋଗ ଦେଉଛୁ। ଆମ ଭିତରୁ କିଛି ଫେରି ବି ନପାରନ୍ତି। ସଚିନ, ସେହବାଗ, ଗୌତମ ଓ ମୁଁ , ଆମ ସମସ୍ତ ବୟସ ୩୦ ଟପିଲାଣି। ଏଠାରେ ପଡ଼ିଆ ଓ ଆଉଟ୍ ଫିଲ୍ଡ ଢେର ବଡ଼। ସେଥିପାଇଁ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବାକୁ ପଡ଼ିବ।

୨୦୧୨: ୱେଷ୍ଟଇଣ୍ଡିଜ୍‌ରେ ସଚିନ, ସେହବାଗ ଓ ଗମ୍ଭୀରଙ୍କୁ ଅଦଳ ବଦଳ କରି ଖେଳାଇଥିଲେ
୨୦୧୨ର ସିବି ସିରିଜ୍‌ରେ ଧୋନି ବିସ୍ଫୋରକ ସେହବାଗ, ସଚିନ ଓ ଗମ୍ଭୀରଙ୍କ ମଧ୍ୟରୁ ଅଦଳ ବଦଳ କରି ଦୁଇ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଥିଲେ। ମନ୍ଥର କ୍ଷେତ୍ରରକ୍ଷଣ ପାଇଁ ହୋବାର୍ଟରେ ଖେଳା ଯାଇଥିବା ଶ୍ରୀଲଙ୍କା ବିପକ୍ଷ ଲିଗ୍ ମ୍ୟାଚ୍ ପର୍ଯ୍ୟନ୍ତ ଏହି ଅଦଳ ବଦଳ ଚାଲିଥିଲା। ଯାହା ଫଳରେ ଦଳ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଥିଲା। ଭାରତ ସେଥିପାଇଁ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ପାରି ନଥିଲା।