ପାଣି ଘେରରେ ପରିବାର, ସନ୍ତରଣରେ ପ୍ରକାଶ ରଚିଲେ ଇତିହାସ

ପ୍ରଳୟଙ୍କାରୀ ବନ୍ୟା କେରଳରେ ତାଣ୍ଡବଲିଳା କରୁଛି। ସଜନ ପ୍ରକାଶଙ୍କ ପରିବାର ମଧ୍ୟ ପାଣି ଘେରରେ ଅଛନ୍ତି। ହେଲେ ଏହା ତାଙ୍କ ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପକାଇନି। ପାଣିରେ ହିଁ ସେ ଇତିହାସ ରଚିଛନ୍ତି। ୨୦୦ ମିଟର ବଟରଫ୍ଲାଏ ସନ୍ତରଣରେ ଦୀର୍ଘ ୩୨ ବର୍ଷର ବ୍ୟବଧାନ ପରେ ପ୍ରଥମ ଭାରତୀୟ ସନ୍ତରକ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି। କେରଳର ଇଦୁକି ଜିଲ୍ଲାର ବାସିନ୍ଦା ୨୪ ବର୍ଷୀୟ ପ୍ରକାଶ ଏଥିହସ ଭାରତର କିମ୍ବଦନ୍ତୀ ସନ୍ତରକ ଖଜାନ ସିଂହଙ୍କ ସମକକ୍ଷ ହୋଇଛନ୍ତି। ଶେଷ ଥର ପାଇଁ ଖଜାନ ୧୯୮୬ ମସିହାରେ ଏହି ବର୍ଗର ଫାଇନାଲ୍‌ ଖେଳିଥିଲେ। ପ୍ରକାଶଙ୍କୁ ତାଙ୍କ ପରିବାର ବନ୍ୟାର ବିଭୀଷିକା ବିଷୟରେ ଜଣାଇ ନଥିଲେ। କ୍ରୀଡ଼ାଗ୍ରାମରେ ଥିବାରୁ ସେ ଏହି ବିଷୟରେ ବିଶେଷ କିଛି ଜାଣି ନଥିଲେ। ସେଥିପାଇଁ ନିଜ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦେଇ ପାରିଥିଲେ। ହେଲେ ଯୋଗ୍ୟତା ପର୍ଯ୍ୟାୟର ପୂର୍ବ ରାତିରେ ସେ ଆଦୌ ଶୋଇ ପାରିନଥିଲେ। ଫାଇନାଲ ଯିବା ପରେ ପୋଡ଼ିୟମ୍‌ ଫିନିସ୍‌ ପାଇବା ତାଙ୍କର ପରବର୍ତୀ ଲକ୍ଷ୍ୟ ହେବ ବୋଲି ପ୍ରକାଶ କହିଛନ୍ତି। କର୍ଣ୍ଣାଟକର କିଶୋର ସନ୍ତରକ ଶ୍ରୀହରି ନଟରାଜ (୫୫.୮୬ ସେକେଣ୍ଡ) ମଧ୍ୟ ଜାତୀୟ କୀର୍ତ୍ତିମାନ ସହ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକର ଫାଇନାଲରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର