ଡେରାଡୁନ: ଆଫ୍ଗାନିସ୍ତାନ କ୍ରିକେଟ୍ ଦଳ ଇତିହାସ ରଚିଛି। ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ୨-୦ରେ ଜିତି ନେଇଛି। ଘନ ଘନ ଗୁଳି ବର୍ଷଣ ସହ ନିୟମିତ ଆତଙ୍କବାଦୀ ଆକ୍ରମଣ ପାଇଁ ଘରେ ଖେଳିବା କଷ୍ଟକର ହେବାରୁ ସୁଦୂର ଭାରତରେ ଖେଳିଥିବା ନିଜ ପ୍ରଥମ ଘରୋଇ ଶୃଙ୍ଖଳାରେ ଅପେକ୍ଷାକୃତ ଶକ୍ତିଶାଳୀ ଏବଂ ଅଭିଜ୍ଞ ବାଂଲାଦେଶକୁ ଧୂଳି ଚଟାଇ ପ୍ରଶଂସାର ପାତ୍ର ହୋଇଛି। ଡେରାଡୁନରେ ଖେଳା ଯାଉଥିବା ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ଆଫଗାନିସ୍ତାନ ୪୫ ରନ୍ରେ ଜିତି ନେଇଥିଲା। ସେହିଭଳି ମଙ୍ଗଳବାର ଦ୍ୱିତୀୟ ମୁକାବିଲାକୁ ୬ ଓ୍ଵିକେଟ୍ରେ ଜିତି ନେଇ ଶୃଙ୍ଖଳା କବ୍ଜା କରି ନେଇଛି। ଉଭୟ ମ୍ୟାଚ୍ରେ ୧୯ ବର୍ଷୀୟ ସ୍ପିନର ରସିଦ ଖାନ୍ ଚମକପ୍ରଦ ବୋଲିଂ କରିଛନ୍ତି। ସୋମବାର ମାତ୍ର ୧୩ ରନ୍ରେ ୩ ଓ୍ଵିକେଟ୍ ନେଇଥିବା ରସିଦ ମଙ୍ଗଳବାର ୪ ଓଭର ବୋଲିଂରେ ୧୨ ରନ୍ ଦେଇ ୪ ଓ୍ଵିକେଟ୍ ନେବା ସହ ବାଂଲାଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ନିଜ ଶକ୍ତିଶାଳୀ ବ୍ୟାଟିଂକ୍ରମ ପାଇଁ ପରିଚିତ ବାଂଲାଦେଶ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୪ ରନ୍ କରି ପାରିଥିଲା। ତମିମ ଇକବାଲ ସର୍ବାଧିକ ୪୩ ରନ୍ କରିଥିଲେ। ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ୭ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ଊନ୍ନବିଂଶ ଓଭରର ପ୍ରଥମ ୫ ବଲ୍ରୁ ୨୦ ରନ୍ ଅମଳ କରି ଅଭିଜ୍ଞ ମହମ୍ମଦ ନବି (୩୧* ରନ୍, ୧୫ ବଲ୍, ୩ ଚୌକା, ୨ ଛକା) ଆଫ୍ଗାନିସ୍ତାନକୁ ସହଜ ବିଜୟ ଦେଇଥିଲେ। ପୂର୍ବରୁ ସାମିଉଲ୍ଲା ସେନଓ୍ଵାରୀ (୪୯ ରନ୍, ୪୧ ବଲ୍, ୨ ଚୌକ, ୩ ଛକା) ଦ୍ରୁତ ବ୍ୟାଟିଂ କରି ରନ୍ ହାରକୁ ନିୟନ୍ତ୍ରଣରେ ରଖିଥିଲେ। ଟସ୍ ଜିତି ବ୍ୟାଟିଂ କରିଥିବା ଯାହା ଶେଷରେ ଶୃଙ୍ଖଳା ବଞ୍ଚାଇ ରଖିବା ଲାଗି ପର୍ଯ୍ୟାପ୍ତ ହୋଇ ନଥିଲା। ଆଶା ଜନକ ଭାବେ ରସିଦ (୪-୦-୧୨-୪) ଲଗାତାର ଦ୍ୱିତୀୟ ଥର ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତୃତୀୟ ତଥା ଶେଷ ମୁକାବିଲା ଗୁରୁବାର ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୦ ଓଭରରେ ୧୩୪/୮ (ତମିମ ଇକ୍ବାଲ ୪୩, ମୁସ୍ଫିକର ରହିମ ୨୨, ରସିଦ ଖାନ୍ ୪/୧୨, ମହମ୍ମଦ ନବି ୨/୨୯)। ଆଫଗାନିସ୍ତାନ ୧୮.୫ ଓଭରରେ ୧୩୫/୪ (ସାମିଉଲ୍ଲା ସେନଓ୍ଵାରି ୪୯, ମହମ୍ମଦ ନବି ୩୧*, ମୋସାଦେକ ହୁସେନ ୨/୨୧)।
ରସିଦଙ୍କ ପାଇଁ ଇତିହାସ
ବାଂଲାଦେଶ ବିପକ୍ଷରେ ଆଫ୍ଗାନିସ୍ତାନର ଶୃଙ୍ଖଳା ବିଜୟ
/sambad/media/post_attachments/wp-content/uploads/2018/06/15-rashid-khan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)