ଉକ୍ସି (ଚୀନ୍‌): ଭାରତୀୟ ମହିଳା ଅସିଚାଳକ ଭବାନୀ ଦେବୀ ସୋମବାର ଏସୀୟ ଅସିଚାଳନା ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେ ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ପାଇଛନ୍ତି। ସୋମବାର ମହିଳା ସବ୍‌ରି କ୍ବାର୍ଟର ଫାଇନାଲ୍‌ରେ ଭବାନୀ ୧୫-୧୦ରେ ବିଶ୍ବ ବିଜୟିନୀ ମସାକି ଏମୁରାଙ୍କୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ‌କିନ୍ତୁ ସେମିଫାଇନାଲ୍‌ରେ ଏହି ଭାରତୀୟ ମହିଳା ୧୪-୧୫ରେ ଉଜବେକିସ୍ତାନର ଜାୟନାମ ଦାୟିବେକୋଭାଙ୍କଠୁ ହାରି କାଂସ୍ୟରେ ସନ୍ତୁ‌ଷ୍ଟ ରହିଥିଲେ। ୨୯ ବର୍ଷୀୟା ଭବାନୀ ରାଉଣ୍ଡ ୬୪ରେ ବାଇ ପାଇଥିଲେ ବେଳେ ରାଉଣ୍ଡ ୩୨ରେ କାଜାଖସ୍ତାନର ଡୋସ୍‌ପେ କାରିନାଙ୍କୁ ମାତ୍‌ ଦେଇଥିଲେ। ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ତୃତୀୟ ମାନ୍ୟତାପ୍ରାପ୍ତ ଓଜାକି ସେରିଙ୍କୁ ୧୫-୧୧ରେ ହରାଇଥିଲେ। ଏହି ଐତିହାସିକ ସଫଳତା ଲାଗି ତାଙ୍କୁ ଭାରତୀୟ ଅସିଚାଳନା ସଂଘର ସମ୍ପାଦକ ରାଜୀବ ମେହେଟ୍ଟା ଅଭିନନ୍ଦନ ଜଣାଇଛନ୍ତି। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟରେ ମ୍ୟାନେଜମେଣ୍ଟ୍‌ରେ ପିଏଚ୍‌ଡି କରୁଥିବା ଭବାନୀଙ୍କୁ ମଧ୍ୟ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସାତ୍ବିକ-ଚିରାଗଙ୍କୁ ମିଳିପାରେ ଶ୍ରେଷ୍ଠ ତୃତୀୟ ମାନ୍ୟତା

Advertisment

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓନପ୍‌ ପୁରୁଷ ଯୁଗଳ ବିଜେତା ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇବାକୁ ଯାଉଛନ୍ତି। ପୂର୍ବରୁ ଥାଇଲାଣ୍ଡ ଓ ସିଙ୍ଗାପୁରର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହି ଯୋଡ଼ି ବିଦା ହୋଇଥିବାରୁ ଶ୍ରେଷ୍ଠ ଚତୁର୍ଥ ସ୍ଥାନରୁ ଏହି ଯୋଡ଼ି ଷଷ୍ଠକୁ ଖସି ଆସିଥିଲା। କିନ୍ତୁ ଇଣ୍ଡୋନେସିଆ ଓପନ୍‌ ଫାଇନାଲ୍‌‌ରେ ମାଲେସିଆର ଆରୋନ୍‌ ଚିଆ ଓ ସୋହ ୱିଙ୍କୁ ହରାଇବା ପରେ ଏହି ଯୋଡ଼ିଙ୍କୁ ହଟାଇ ସାତ୍ବିକ-ଚିରାଗ ତୃତୀୟ ସ୍ଥାନ ଦଖଲ କରିବା ସମ୍ଭାବନା ଦେଖାଦେଇଛି। ସେହିପରି ବିଶ୍ବ ୧ ନମ୍ବର ଯୋଡ଼ି ଇଣ୍ଡୋନେସିଆର ଫଜର ଆଲଫିଆନ୍‌ ଓ ମହମ୍ମଦ ରିଆନ୍‌ଙ୍କୁ କ୍ବାର୍ଟର ଫାଇନାଲ୍‌ରେ ପରାଜିତ କରିଥିବାରୁ ଭାରତୀୟ ଯୋଡ଼ିଙ୍କୁ ଶ୍ରେଷ୍ଠ ମାନ୍ୟତା ମିଳିବା ସମ୍ଭାବନା ବଢ଼ାଇ ଦେଇଛି।