ଭୁବନେଶ୍ବର: କର୍ଣ୍ଣାଟକର ମାଙ୍ଗାଲୋର୍ଠାରେ ଚାଲିଥିବା ୭୭ତମ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଆଉ ଏକ ଇତିହାସ ରଚିଛନ୍ତି। ପ୍ରତ୍ୟାଶା ରାୟ, ସୃଷ୍ଟି ଉପାଧ୍ୟାୟ, ମନ୍ନତା ମିଶ୍ର ଓ ସୋନିଆ ପଟେଲ ମହିଳା ୪ଗୁଣା୧୦୦ ମେଡ୍ଲି ରିଲେରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି କ୍ରମରେ ଓଡ଼ିଶା ଖେଳାଳିମାନେ ମହାରାଷ୍ଟ୍ର, କେରଳ ଓ ବେଙ୍ଗଲ ଭଳି ଶକ୍ତିଶାଳୀ ଦଳକୁ ପଛରେ ପକାଇ ଦେଇଛନ୍ତି। ଓଡ଼ିଶା ଖେଳାଳିମାନେ ୪:୨୭.୯୦ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୪:୨୮.୧୮ ସେକେଣ୍ଡ ସମୟ ସହ ମହାରାଷ୍ଟ୍ର ରୌପ୍ୟ ଏବଂ ୪:୩୧.୧୬ ସେକେଣ୍ଡ ସହ ରେଳବାଇ ସ୍ପୋର୍ଟସ ପ୍ରୋମୋସ୍ ବୋର୍ଡ (ଆର୍ଏସ୍ପିବି) କାଂସ୍ୟ ପଦକ ଜିତିଥିଲା।
ଏହି ପ୍ରତିଯୋଗିତାର ଓଡ଼ିଶାର ଏହା ତୃତୀୟ ପଦକ। ଫଳରେ ଓଡ଼ିଶା ସନ୍ତରଣ ଇତିହାସରେ ମଧ୍ୟ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। କାରଣ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ପୂର୍ବରୁ କେବେବି ଏଭଳି ସଫଳତା ପାଇନି। ସେଥିପାଇଁ ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଏହି ଚାରିଜଣ ସଫଳ କ୍ରୀଡ଼ା ତାରକାଙ୍କୁ ଶୁଭକାମନା ଜ୍ଞାପନ କରାଯାଇଛି। ସେହିଭଳି କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଜେଏସ୍ଡବ୍ଲ୍ୟୁ ସନ୍ତରଣ ଏଚ୍ପିସିର ପ୍ରଶିକ୍ଷକ ସନ୍ଦୀପ ସେଜୱାଲଙ୍କୁ ଧନ୍ୟବାଦ ଜଣାଇଛି। ପୂର୍ବରୁ ପ୍ରତ୍ୟାଶା ମହିଳା ୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ୧ ମିନିଟ୍ ୫.୮୨ ସେକେଣ୍ଡ୍ ସମୟ ନେଇ ରୌପ୍ୟ ପଦକ ଜିତିଥିଲେ। ସେହିଭଳି ଓଡ଼ିଶା ମହିଳା ଦଳ୪ ଗୁଣା ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ରିଲେ ଦଳ କାଂସ୍ୟ ପଦକ ଜିତିଥିଲା। ଏଥିରେ ପ୍ରତ୍ୟାଶାଙ୍କ ସହ ସୃଷ୍ଟି ଉପାଧ୍ୟାୟ, ଦିବ୍ୟାଜ୍ୟୋତି ପ୍ରଧାନ ଓ ସୋନିଆ ପଟେଲ୍ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/56i6hR9VLwnhFQgG3pJE.jpg)