ହଟ୍ ସିଟ୍‌ରେ ହିଟ୍‌ମ୍ୟାନ୍

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ଆଇପିଏଲ୍‌-୧୨ରେ ୭୮୪ ଚୌକା-ଛକା ଦେଖିବାକୁ ମିଳିଥିଲା। ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କ୍ରିସ୍ ଲିନ୍, ଉମେଶ ଯାଦବ, କ୍ରିସ୍ ଗେଲ୍‌ଙ୍କ ଭଳି ଖେଳାଳି ୧୦୦ ମିଟରରୁ ଅଧିକ ଦୂରତାକୁ ଛକା‌ ମାରିଥିଲେ। ଗୋଟିଏ ଓଭରରୁ ୨୦ କିମ୍ବା ତା’ଠାରୁ ଅଧିକ ରନ୍ ୨୩ ଥର ଦେଖିବାକୁ ମିଳିଥିଲା। ୧୩ ଥର ଶେଷ ୩ ଓଭରରୁ ୫୦ରୁ ଅଧିକ ରନ୍ ସଂଗ୍ରହ ହୋଇଥିଲା। ଆଇପିଏଲ୍ ଖେଳିଥିବା ଅଧିକାଂଶ ଖେଳାଳି ବିଶ୍ବକପ୍‌ରେ ଦେଖିବାକୁ ମିଳିବେ। ଆଇପିଏଲ୍ ଖେଳି ନଥିବା ଅନ୍ୟ‌ କେତେକ ବିସ୍ଫୋରକ ଖେଳାଳି ମଧ୍ୟ ସେମାନଙ୍କ ସହ ଯୋଗ ଦେବେ। ଆନ୍ଦ୍ରେ ରସେଲ, ଜୋସ୍ ବଟ୍ଟଲର, କ୍ରିସ୍ ଗେଲ୍, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କେନ୍ ୱିଲିୟମସନ୍, ଡେଭିଡ୍ ୱାର୍ନର, ଜନି ବେୟାରଷ୍ଟୋଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନଙ୍କ ଉପରେ କ୍ରିକେଟ୍‌ପ୍ରେମୀଙ୍କ ବିଶେଷ ନଜର ରହିବ। ଇଂଲଣ୍ଡ ପରିବେଶରେ କ୍ରିକେଟ୍‌ର ଏହି ହିଟ୍ ମ୍ୟାନ୍‌ମାନେ ମଧ୍ୟ ପ୍ରଶଂସକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ହଟ୍ ସିଟ୍‌ରେ ରହିବେ।

୨୦ ବର୍ଷ ତଳେ ଅର୍ଥାତ୍ ୧୯୯୯ ମେ’ ୧୪ରୁ ଜୁନ୍ ୨୦ ମଧ୍ୟରେ ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ବକପ୍ ବେଳେ ପିଚ୍ ଓ ପରିବେଶ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ଚଳିତ ଥର ବିଶ୍ବକପ୍‌କୁ ଆଇସିସି ଆହୁରି ୧୫ ଦିନ ଆଗକୁ ଗଡ଼ାଇ ଦେଇଥିବାରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଇଂଲଣ୍ଡ ପରିବେଶ ବେଶ୍ ସୁହାଇବ ବୋଲି ଆକଳନ କରାଯାଉଛି। ସେଥିପାଇଁ ଦୁଇ ଥର ବିଶ୍ବକପ୍ ବିଜେତା ତଥା ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି’ ବୋଲରଙ୍କୁ ଚେତାବନୀ ଦେଇଛନ୍ତି। ମାପଚୁପ ବୋଲିଂ କରିବାକୁ ପରାମର୍ଶ ଦେଇଛନ୍ତି। ବିଶ୍ବକପ୍‌ର ବିସ୍ଫୋରକ ତାରକାଙ୍କ ମଧ୍ୟରେ ରସେଲଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୦.୪ ଥିଲା ବେଳେ ହାର୍ଦିକଙ୍କର ୧୧୬.୫, ଗେଲ୍‌ଙ୍କର ୮୭.୧୪, ଧୋନିଙ୍କର ୮୭.୫୫ ଓ ବଟ୍ଟଲରଙ୍କର ଷ୍ଟ୍ରା‌ଇକ୍ ରେଟ୍ ୧୧୯.୮ ରହିଛି। ଯାହା ଆସନ୍ତା ବିଶ୍ବକପ୍‌ରେ ବଢ଼ିବାର ଯଥେଷ୍ଟ ସଙ୍କେତ ମିଳିଛି। ବିଶ୍ବକପ୍ ଖେଳାଯିବାକୁ ଥିବା ପଡ଼ିଆ ମଧ୍ୟରୁ ‌ଟ୍ରେଣ୍ଟବ୍ରିଜରେ ୨୦୧୫ ମସିହା ପରେ ତିନି ଥର ଗୋଟିଏ ପାଳିରେ ୩୯୧ରୁ ଅଧିକ ରନ୍ ଦେଖିବାକୁ ମିଳିଛି। ଇଂଲଣ୍ଡ ୨୦୧୫ ମସିହା ପରଠାରୁ ୪ ଥର ୪୦୦ରୁ ଅଧିକ ରନ୍ କରିଛି। ସେଥିପାଇଁ ଆସନ୍ତା ବିଶ୍ବକପ୍‌ର କିଛି ମ୍ୟାଚ୍ ସ୍କୋର ଗୋଟିଏ ପାଳିରେ ୫୦୦ ଛୁଇଁବାର ଆଶା ରହିଛି। ସେଥିପାଇଁ ଏହି ସମସ୍ତ ହିଟ୍ ମ୍ୟାନ୍ ମାନେ ଆହୁରି ବିପଜ୍ଜନକ ହେବେ ବୋଲି କିଛି କ୍ରିକେଟ୍‌ ପଣ୍ଡିତ ଭବିଷ୍ୟବାଣୀ କରିଛନ୍ତି। ଟ୍ରେଣ୍ଟବ୍ରିଜରେ ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମ୍ୟାଚ୍ ଖେଳାହେବାର ଅଛି। ଏହି ମ୍ୟାଚ୍‌ରେ ଚୌକା-ଛକାର ଆତସବାଜୀ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଏଠାରେ ହାର୍ଦିକ, ରୋହିତ, ଧୋନି, ଗପ୍ଟିଲ ପ୍ରମୁଖ ହାତଖୋଲା ସଟ୍ ଖେଳିବାର ସୁଯୋଗ ପାଇବେ। ଦିନିକିଆ କ୍ରିକେଟ୍‌ରେ ଦଳଗତ ରନ୍ କ୍ରମଶଃ ନୂଆ ସ୍ତର ଛୁଇଁବାକୁ ଲାଗିଛି। ତଳେ ବର୍ଣ୍ଣିତ ପରିସଂଖ୍ୟାନକୁ ତର୍ଜମା କଲେ ଯାହା ସ୍ପଷ୍ଟ ହୋଇ ଯାଉଛି।

।୨୦୦୭ ପର୍ଯ୍ୟନ୍ତ ୧୮୪ ଥର ୩୦୦+ ସ୍କୋର
ଦିନିକିଆ କ୍ରିକେଟ୍‌ର ନିୟମ ବଦଳିବା ସହ ଦିନକୁ ଦିନ ବଡ଼ ବଡ଼ ସ୍କୋର ଦେଖିବାକୁ ମିଳୁଛି। ଚଳିତ ଶତାବ୍ଦୀର ଆରମ୍ଭରୁ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ମଧ୍ୟରେ ୧୮୪ ଥର ୩୦୦ କିମ୍ବା ତା’ଠାରୁ ବଡ଼ ସ୍କୋର ଦେଖିବାକୁ ମିଳିଥିଲା। ଏହି ସମୟରେ ଦିନିକିଆର ୩୦୦ ରନ୍ ପୁରୁଣା ଦିନର ୨୫୦ ରନ୍ ସହ ପ୍ରାୟ ସମାନ ଥିଲା। ଆମଷ୍ଟଲଭିନଠାରେ ନେଦରଲାଣ୍ଡଠାରେ ଶ୍ରୀଲଙ୍କା କରିଥିବା ୪୩୩/୯ ଦିନିକିଆର ସର୍ବୋଚ୍ଚ ଦଳଗତ ସ୍କୋର ଥିଲା। ୩୦୦ କିମ୍ବା ତା’ଠାରୁ ଅଧିକ ରନ୍‌ର ୧୮୪ ଘଟଣା ମଧ୍ୟରୁ ୩୮ଥର ପଛରେ ବ୍ୟାଟିଂ କରିବା ଦଳ ଏହି ଯାଦୁକରୀ ସଂଖ୍ୟାକୁ ଛୁଇଁଥିଲେ। ୨୦୦୬ ମାର୍ଚ ୧୨‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା କରିଥିବା ୪୩୮/୯ ଦ୍ବିତୀୟ ବ୍ୟାଟିଂର ସର୍ବୋଚ୍ଚ ଦଳଗତ ରନ୍ ଥିଲା। ଏହି ସମୟ ମଧ୍ୟରେ ୪୩୩ ଶତକ ଏବଂ ୧୨୪ ପାଞ୍ଚ ୱିକେଟ୍ ସଫଳତା ଦେଖିବାକୁ ମିଳିଥିଲା।
। ସେପ୍ଟେମ୍ବର ୨୦୦୭ରୁ ଅକ୍ଟୋବର ୨୦୧୧ ମଧ୍ୟରେ ୧୨୧ ଥର ୩୦୦+ ସ୍କୋର
୨୦୦୭ ମସିହା ସେପ୍ଟେମ୍ବର ୨୫ ତାରିଖରୁ ୨୦୧୧ ମସିହା ଅକ୍ଟୋବର ପହିଲା ମଧ୍ୟରେ ୧୨୧ ଥର ୩୦୦ କିମ୍ବା ତା’ଠାରୁ ଅଧିକ ସ୍କୋର ଦେଖିବାକୁ ମିଳିଥିଲା। ୨୦୦୯ ଡିସେମ୍ବର ୧୫ରେ ରାଜକୋଟଠାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କରିଥିବା ୪୧୪/୭ ସର୍ବୋଚ୍ଚ ଦଳଗତ ସ୍କୋର ଥିଲା। ୩୦୦ରୁ ଅଧିକର ୧୨୧ ଘଟଣା ମଧ୍ୟରୁ ଦ୍ବିତୀୟରେ ବ୍ୟାଟିଂ କରିଥିବା ଦଳ ୨୨ ଥର ୩୦୦ ଟପିଥିଲେ। ରାଜକୋଟରେ ଶ୍ରୀଲଙ୍କା କରିଥିବା ୪୧୧/୮ ସର୍ବାଧିକ ଦଳଗତ ରନ୍ ଥିଲା। ଏହି ସମୟ ମଧ୍ୟରେ ବିଭିନ୍ନ ଦଳର ଖେଳାଳିମାନେ ୨୪୭ ଶତକ, ୭୪ ପାଞ୍ଚ ୱି‌କେଟ୍ ସଫଳତା ହାସଲ କରିଥିଲେ।
। ଅକ୍ଟୋବର ୨୦୧୧ ଉଭୟ ପଟରୁ ଦୁଇଟି ନୂଆ ବଲ୍ ନେବା ପରେ ୨୯୯ ଥର ୩୦୦ ରନ୍
ଏହି ସମୟ ମଧ୍ୟରେ ୨୯୯ ଥର ୩୦୦ରୁ ଅଧିକ ରନ୍ ଦେଖିବାକୁ ମିଳିଛି। ୨୦୧୮ ଜୁନ୍ ୧୯ରେ ନଟିଂହାମଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ କରିଥିବା ୪୮୧/୬ ସର୍ବୋଚ୍ଚ ଦଳଗତ ସ୍କୋର ହୋଇ ରହିଛି। ପଛୁଆ ବ୍ୟାଟିଂ କରିଥିବା ଦଳ ୭୩ ଥର ୩୦୦ ଟପିଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୨୭ରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ କରିଥିବା ୩୮୯ ପଛୁଆ ବ୍ୟାଟିଂର ସର୍ବୋଚ୍ଚ ଦଳଗତ ରନ୍ ହୋଇ ରହିଛି। ୨୦୧୧ ଅକ୍ଟୋବର ୨ ପରଠାରୁ ୬୦୮ ଶତକ ଏବଂ ୧୩୧ ପାଞ୍ଚ ୱିକେଟ୍ ସଫଳତା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର