ଗବ୍ବରଙ୍କ ଗୀତ ଶୁଣି ହସ ରୋକିପାରିନଥିଲେ ହିଟ୍‌ମ୍ୟାନ୍

ରିତିକା କାନ୍ଦିବାର ରହସ୍ୟ ଖୋଲିଲେ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ଦୁଇ ପ୍ରତିଭାବାନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଓ ରୋହିତ ଶର୍ମାଙ୍କ ଯୋଡ଼ି କ୍ରିକେଟ୍ ପଡ଼ିଆରେ ଅନେକ କୀର୍ତ୍ତିମାନ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ପ୍ରିନ୍ସ ଅଫ୍ କୋଲକାତା ସୌରଭ ଗାଙ୍ଗୁଲିଙ୍କ ପରେ ଏହି ଦୁଇ ଜଣଙ୍କୁ ମଧ୍ୟ ଧଳାବଲ୍ କ୍ରିକେଟ୍‌ରେ ସଫଳତମ ଭାରତୀୟ ପ୍ରାରମ୍ଭିକ ଯୋଡ଼ିର ମାନ୍ୟତା ମିଳେ। ଉଭୟ ପଡ଼ିଆ ଭିତରେ ଥିଲା ବେଳେ ଚୌକା, ଛକା ବର୍ଷା ସହ ଥଟ୍ଟା ମଜ୍ଜା କରିବାକୁ ବି ଭୁଲନ୍ତିନାହିଁ। ଅନଲାଇନ୍‌ରେ ଆୟୋଜିତ ହେଉଥିବା ‘ଓପନ୍ ନେଟ୍ସ ୱିଥ୍ ମୟଙ୍କ’ ନାମକ ଏକ ଚାଟ୍ ସୋ’ର ଦ୍ବିତୀୟ ଅଧ୍ୟାୟରେ ଯୋଗଦେଇ ହିଟ୍‌ମ୍ୟାନ୍ ରୋହିତ ଏକ ମ୍ୟାଚ୍ ମଝିରେ ଧାୱନ (ସାଙ୍ଗ ସାଥୀ ମହଲରେ ଗବ୍ବର ଭାବେ ପରିଚିତ) କିଭଳି ବଡ଼ ପାଟିରେ ଗୀତ ଗାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ, ସେ ବିଷୟ ବର୍ଣ୍ଣନା କରିଛନ୍ତି। ରୋହିତଙ୍କ ଏହି ସାକ୍ଷାତକାରର ଝଲକ ବିସିସିଆଇ ତା’ର ଟ୍ବିଟର ପୃଷ୍ଠାରେ ଦେଇଛି। ସଂପୂର୍ଣ୍ଣ ଭିଡିଓ ଖୁବଶୀଘ୍ର ପ୍ରସାରିତ କରାଯିବ ବୋଲି ମଧ୍ୟ ବିସିସିଆଇ ସୂଚନା ଦେଇଛି। ସେହି ମଜାଦାର ଘଟଣାକୁ ମନେ ପକାଇ ରୋହିତ ଏହି ଭିଡିଓରେ କହିଛନ୍ତି ଯେ ଆମେ ୨୦୧୫ରେ ବାଂଲାଦେଶରେ ଖେଳୁ୍‌ଥିଲୁ।

ମୁଁ ପ୍ରଥମ ଓ ଧାୱନ ତୃତୀୟ ସ୍ଲିପ୍‌ରେ ଠିଆ ହୋଇଥିଲେ। ହଠାତ୍ ସେ ବଡ଼ ପାଟିରେ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ। ବୋଲର ରନ୍ ଅପ୍‌ରେ ଥିଲେ ଏବଂ ଧାୱନଙ୍କ ଗୀତର ଶବ୍ଦ ଶୁଣି ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ ବିସ୍ମିତ ହୋଇଯାଇଥିଲେ। କେଉଁଠାରୁ ଏହି ଶବ୍ଦ ଆସୁଛି, ସେ ତାହା‌ ବୁଝିପାରି ନଥିଲେ। ଏବେ ହୁଏତ ଏହା ସେତେଟା ମଜାଦାର ଲାଗୁ ନଥିବ, ହେଲେ ପଡ଼ିଆ ଭିତରେ ଯେତେବେଳେ ଏହା ଘଟିଥିଲା, ଆମେ କେହି ହସକୁ ରୋକିପାରି ନଥିଲୁ। ସତରେ ଏହା ବହୁତ ମଜାଦାର ଥିଲା।’’ ଧାୱନ କହିଥିଲେ ଯେ ଏସବୁ କଥା ହଠାତ୍ ଓ ଆପଣାଛାଏଁ ତାଙ୍କ ମନ ଭିତରକୁ ଚାଲିଆସେ। ଏଥିନେଇ ସେ କୌଣସି ପ୍ରାକ୍ ଯୋଜନା କରିନଥାଆନ୍ତି। ସେପଟେ ଭିଡିଓର କିଛି ଅଂଶ ପ୍ରକାଶ କରି ବିସିସିଆଇ ଲେଖିଛି ଯେ ଯେତେବେଳେ ଜାଟ୍ ଜୀ ଓ ହିଟମ୍ୟାନ୍ କଥାବାର୍ତ୍ତା ହୁଅନ୍ତି, ମନୋରଞ୍ଜନଠାରୁ କିଛି ବି କମ୍ ଆଶା କରାଯାଇ ନପାରେ।

ରିତିକା କାନ୍ଦିବାର ରହସ୍ୟ ଖୋଲିଲେ
ଏକଦିବସୀୟ କ୍ରିକେଟ୍‌ରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସର୍ବାଧିକ ତିନିଟି ଦ୍ବିଶତକ ହାସଲ କରିଛନ୍ତି। ମୋହାଲିଠାରେ ରୋହିତ ନିଜ ତୃତୀୟ ତଥା ବିଶ୍ବ କୀର୍ତ୍ତିମାନଭରା ଦ୍ବିଶତକ (୨୦୮*, ବନାମ ଶ୍ରୀଲଙ୍କା) ହାସଲ କରିବା ବେଳେ ଷ୍ଟାଡିୟମରେ ବସିଥିବା ତାଙ୍କ ପତ୍ନୀ ରିତିକା ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ରିତିକାଙ୍କ ଆଖିରୁ ସେତେବେଳେ କାହିଁକି ଲୁହ ଆସି ଯାଇଥିଲା, ସେ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ରୋହିତ। ସେ କହିଛନ୍ତି ଯେ ମୁଁ ପ୍ୟାଭିଲିୟନ ଫେରିବା ପରେ ରିତିକାଙ୍କୁ ଏହି ବିଷୟ ପଚାରିଥିଲି। ସେ ଏତେ ଭାବବିହ୍ବଳ କାହିଁକି ହୋଇ ଯାଇଥିଲେ ବୋଲି ଜାଣିବାକୁ ଚାହିଁଥିଲି। ରିତିକା କହିଥିଲେ ‘‘୧୯୫ ରନ୍‌ରେ ଥିଲା ବେଳେ ତୁମେ ସିଙ୍ଗଲ ନେଇଥିଲ।

ଏଥିଲାଗି ଖୁବ ଜୋର୍‌ରେ ଡାଇଭ୍ ମାରିଥିଲ। ମୁଁ ଭାବିଥିଲି ସେତେବେଳେ ତୁମ ହାତ ମୋଡ଼ି ହୋଇ ଯାଇଥିଲା। ଯାହା ମୋତେ ଚିନ୍ତାରେ ପକାଇଥିଲା। ମୋ ଆଖିକୁ ମଧ୍ୟ ଲୁହ ଆସି ଯାଇଥିଲା।’’ ଏହି ପାଳି ତାଙ୍କ ପାଇଁ ସ୍ବତନ୍ତ୍ର ମହତ୍ବ ରଖେ, କାରଣ ମୋ ବିବାହ ବାର୍ଷିକୀରେ ଏହି ପାଳି ଆସିଥିଲା ବୋଲି ‌ରୋହିତ ଏହି ଅବସରରେ କହିଥିଲେ। ରୋହିତ ହାସଲ କରିଥିବା ତିନିଟି ଦ୍ବିଶତକ ଭିତରୁ ଦୁଇଟି ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା ବେଳେ ଗୋଟିଏ ୨୦୧୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ। ଦିନିକିଆ କ୍ରିକେଟ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍‌ର କୀର୍ତ୍ତିମାନ (୨୬୪ ରନ୍) ମଧ୍ୟ ରୋହିତଙ୍କ ନାଁରେ ରହିଛି। ଏହାକୁ ସେ ୨୦୧୪ ମସିହାରେ କୋଲକାତାଠାରେ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ।

ସମ୍ବନ୍ଧିତ ଖବର