ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ବିସିସିଆଇ ଶନିବାର ଭିନ୍ନଭିନ୍ନ ଦଳ ଘୋଷଣା କରିଛି। ଏକ ଉଲ୍ଲେଖନୀୟ ତଥା ଅପ୍ରତ୍ୟାଶିତ ଘଟଣାକ୍ରମେ ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ୨୬ ବର୍ଷୀୟ ଶୁବମନ ଗିଲ୍ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗିଲ୍ ପୂର୍ବରୁ ରୋହିତଙ୍କଠାରୁ ସଫଳତାର ସହ ଟେଷ୍ଟ୍ ଅଧିନାୟକ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ ଦିନିକିଆ ଅଧିନାୟକ ନିଯୁକ୍ତ ହେବା ପରେ ଭାରତୀୟ କ୍ରିକେଟ୍‌ରେ ରୋହିତଙ୍କ ନେତୃତ୍ବ ଯୁଗର ଆପାତତଃ ଅବସାନ ଘଟିଛି। ଦିନିକିଆ ଓ ଟେଷ୍ଟ୍‌ରେ ଗିଲ୍‌ଙ୍କୁ ଟିମ୍ ଇଣ୍ଡିଆର ନେତୃତ୍ବଭାର ମିଳିଥିଲେ ମଧ୍ୟ ଏସିଆ କପ୍ ବିଜୟ ପରେ ସୂର୍ଯ୍ୟକୁମାର ଯାଦବ ଟ୍ବେଣ୍ଟି-୨୦ ଅଧିନାୟକ ପଦ ବଜାୟ ରଖିଛନ୍ତି। ଅନ୍ୟଏକ ସ୍ବାଗତଯୋଗ୍ୟ ଘଟଣାକ୍ରମେ ତାରକା କ୍ରିକେଟର୍ ବିରାଟ କୋହଲି ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ରୋହିତ ଅଧିନାୟକ ପଦକ ହରାଇଥିଲେ ମଧ୍ୟ ପର୍ଥରେ ଚଳିତ ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଲାଗି ଭାରତୀୟ ଦଳକୁ ଫେରିଛନ୍ତି। ଯାହା ତାଙ୍କ ସମର୍ଥକଙ୍କ ପାଇଁ ଖଟା-ମିଠା ଅନୁଭବ ହୋଇଛି। ତାଙ୍କ ନେତୃତ୍ବରେ ଭାରତ ଗତ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଏବଂ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିଲା। ସେହିଭଳି ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଉପବିଜେତା ହୋଇଥିଲା। 

Advertisment

କୋହଲି ଫେରିଲେ, ଶ୍ରେୟସ ଉପଅଧିନାୟକ
ବୁମ୍‌ରାଙ୍କୁ ବିଶ୍ରାମ, ସାମି, ଜାଡ଼େଜାଙ୍କୁ ସୁଯୋଗ ମିଳିଲାନି
ସୂର୍ଯ୍ୟ ଟ୍ବେଣ୍ଟି-୨୦ ଅଧିନାୟକ ପଦ ବଜାୟ ରଖିଲେ
ଉଭୟ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନେଲେ ନୀତୀଶ

ପରିବର୍ତ୍ତନ କାଳରେ ନୂଆ ନେତୃତ୍ବକୁ ‌ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଚୟନ ସମିତି ମଧ୍ୟକ୍ରମ ବ୍ୟାଟର୍‌ ଆୟରଙ୍କୁ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ନିଯୁକ୍ତ କରିଛି। ଅନ୍ୟପଟେ କାର୍ଯ୍ୟଭାର ପରିଚାଳନା ପାଇଁ ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଦିନିକିଆ ଦଳରୁ ବିଶ୍ରାମ ଦିଆଯାଇଛି। ବାମହାତୀ ଓପନର୍ ଯଶସ୍ବୀ ଜୟସ୍ବାଲ କିନ୍ତୁ ୫୦ ଓଭରିଆ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟ୍ବେଣ୍ଟି-୨୦ରେ ସ୍ଥିର ପ୍ରଦର୍ଶନ ଦେବା ପରେ ଦିନିକିଆ ଲାଗି ଚୟନକର୍ତ୍ତା ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ୧୫ଜଣିଆ ଦିନିକିଆ ଦଳରେ କେଏଲ୍ ରାହୁଲ ଓ ଧ୍ରୁବ ଜୁରେଲଙ୍କ ରୁପରେ ଦୁଇଜଣ ୱିକେଟ୍‌ରକ୍ଷକ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶତକୀୟ ପାଳି ଖେଳିବା ପରେ ସଞ୍ଜୁ ସାମ୍‌ସନ୍‌ଙ୍କ ପରିବର୍ତ୍ତେ ଜୁରେଲ ଦ୍ବିତୀୟ ପସନ୍ଦର ୱିକେଟ୍‌ରକ୍ଷକ ଭାବେ ପ୍ରଥମ ଥର ଲାଗି ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଏବଂ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ  ଚୟନକର୍ତ୍ତା ଦିନିକିଆ ଦଳ ପାଇଁ ବିଚାରକୁ ନେଇ ନାହାନ୍ତି। ନୀତୀଶ କୁମାର ରେଡ୍ଡୀ ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳରେ ଆହତ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ‌ନେଇଛନ୍ତି। 

ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଘୋଷଣା କରାଯାଇଥିବା ଟ୍ବେଣ୍ଟି-୨୦ ଦଳରେ ଗିଲ୍‌ଙ୍କୁ ଉପଅଧିନାୟକ କରି ଚୟନକର୍ତ୍ତା ତାଙ୍କୁ ତିନିଟି ଯାକ ଫର୍ମାଟ୍‌ର ଅଧିନାୟକ କରିବାକୁ ଚାହୁଥିବାର ସଙ୍କେତ ଦେଇଛନ୍ତି। ତେବେ ବ୍ୟକ୍ତିଗତ ଫର୍ମ ପାଇଁ ସଂଘର୍ଷ କରୁଥିବା ସତ୍ତ୍ବେ ସୂର୍ଯ୍ୟକୁମାର ଏସିଆ କପ୍‌ରେ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିବାରୁ ତାଙ୍କୁ ଦାୟିତ୍ବରୁ ହଟାଇ ନାହାନ୍ତି। ଏସିଆ କପ୍ ଜିତିଥିବା ଭାରତୀୟ ଦଳର ପ୍ରାୟ ସବୁ ଖେଳାଳି ‌ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ବଛା ଯାଇଥିବା ଦଳରେ ସ୍ଥାନ ପାଇଛନ୍ତି। ଉଭୟ ଶୃଙ୍ଖଳା ଲାଗି କୌଣସି ନବାଗତ ଖେଳାଳିଙ୍କୁ ସୁଯୋଗ ମିଳିନି। ଅଷ୍ଟ୍ରେଲିଆରେ ଖେଳିବା ବେଶ୍ ଆହ୍ବାନପୂର୍ଣ୍ଣ ରହିଥିବାରୁ ଉଭୟ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳରେ ପର୍ଯ୍ୟାପ୍ତ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରାଯାଇଛି। ନିୟମିତ ୱିକେଟ୍‌ରକ୍ଷକ ଋଷଭ ପନ୍ତ ଏବେ ବି ଫିଟ୍ ହୋଇ ନଥିବାରୁ ଉଭୟ ଶୃଙ୍ଖଳା ଲାଗି ତାଙ୍କୁ ବିଚାରକୁ ନିଆଯାଇନି। 

ଦିନିକିଆ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍ ରାହୁଲ (ୱିକେଟ୍‌ରକ୍ଷକ), ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ (ୱିକେଟ୍‌ରକ୍ଷକ), ଯଶସ୍ବୀ ଜୟସ୍ବାଲ। 

ଟ୍ବେଣ୍ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ୍ (ଉପଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍‌ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ୍ (ୱିକେଟ୍‌ରକ୍ଷକ), ରିଙ୍କୁ ସିଂହ, ୱାସିଂଟନ୍ ସୁନ୍ଦର।