ଆଜିଠୁ କଳିଙ୍ଗରେ ହକି ଶିବିର, ଓଡ଼ିଶାରୁ ୫

ଭୁବନେଶ୍ବର ପହଞ୍ଚିଲା ଭାରତୀୟ ଦଳ

ଭୁବନେଶ୍ବର: ଆସନ୍ତାମାସ ୬ ତାରିଖରୁ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍ସ। ଏହି ୮ ଦଳୀୟ ପ୍ରତିଯୋଗିତାରେ ଭାରତ ସହ ଦକ୍ଷିଣ ଆଫ୍ରିକା, ଆମେରିକା, ପୋଲାଣ୍ଡ, ଉଜ୍‌ବେକିସ୍ତାନ, ରୁଷିଆ, ଜାପାନ ଓ ମେକ୍ସିକୋ ଭାଗନେବେ। ଏହି ପ୍ରତିଯୋଗିତାର ପ୍ରସ୍ତୁତି ପାଇଁ କଳିଙ୍ଗରେ ସୋମବାରଠୁ ଭାରତୀୟ ଦଳର ଅଭ୍ୟାସ ଶିବିର ଆୟୋଜିତ ହେବ। ଏଥି ଲାଗି ସୋମବାର ୩୨ ଜଣିଆ ସାମ୍ଭାବ୍ୟ ଖେଳାଳି ତାଲିକା ଘୋଷିତ ହୋଇଛି। ଏଥିରେ ଓଡ଼ିଶାରୁ ୫ ଜଣ ବୀରେନ୍ଦ୍ର ଲାକ୍ରା, ଅମିତ ରୋହି ଦାସ, ନୀଲମ ସଞ୍ଜୀବ ଖେସ୍‌, ଆଶିଷ କୁମାର ଟପ୍ନୋ ଏବଂ ଶିଳାନନ୍ଦ ଲାକ୍ରାଙ୍କୁ ସ୍ଥାନ ମିଳିଛି। ଜାତୀୟ ଶିବିରରେ ଅଷ୍ଟ୍ରେଲିଆ ଗସ୍ତ‌ କରିଥିବା ସମସ୍ତ ୧୮ ଜଣଙ୍କୁ ସ୍ଥାନ ମିଳିଥିଲା ବେଳେ ଦୁଇ ‌ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେସ୍‌ ଏବଂ ସୁରଜ କାର୍କେରାଙ୍କ ସମେତ ୧୪ ଜଣଙ୍କୁ ସାମିଲ କରାଯାଇଛି। କେବଳ ଓଡ଼ିଆ ଖେଳାଳି ଭାବେ ବୀରେନ୍ଦ୍ର ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ତାଙ୍କ ସହ ଅନ୍ୟ ୪ ଓଡ଼ିଆ ଅମିତ, ନୀଲମ, ଆଶିଷ ଓ ଶିଳାନନ୍ଦଙ୍କୁ ସ୍ଥାନ ମିଳିଛି। ଆହତ ଯୋଗୁଁ ଓଡ଼ିଶାର ଦୀପସାନ୍‌ ତିର୍କିଙ୍କ ସହ ଚିଙ୍ଗଲେନ୍‌ସାନା ସିଂହ କଙ୍ଗୁଜାମ, ଲଲିତ କୁମାର ଉପଧ୍ୟାୟ ଏବଂ ରମନଦୀପ ସଂହଙ୍କୁ ଜାତୀୟ ଶିବିରରୁ ବାଦ୍‌ ଦିଆଯାଇଛି। ଏମାନେ ସୁସ୍ଥ ହେବା ଲାଗି ସଂପ୍ରତି ବେଙ୍ଗାଲୁରୁ ସାଇରେ ରହିଛନ୍ତି।

ଏଫ୍‌ଆଇଏଚ୍‌ ସିରିଜ୍‌ ଲାଗି ଆଗୁଆ ପ୍ରସ୍ତୁତି ପାଇଁ ଅଷ୍ଟ୍ରେଲିଆ ଗସ୍ତ ସାରି ସୋମବାର ପୂର୍ବାହ୍ନରେ ଭାରତୀୟ ଦଳ ସିଧା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା। ଏମାନଙ୍କ ଆଗମନ ପରେ ଜାତୀୟ ଶିବିର ଲାଗି ଘୋଷିତ ଦଳର ଅନ୍ୟ ଖେଳାଳିମାନେ ଏଠାରେ ପଞ୍ଚିଥିଲେ। ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭରୁ ପ୍ରଥମ ଦୁଇ ମ୍ୟାଚ୍‌ ପଶ୍ଚିମ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସ ଓ ଅଷ୍ଟ୍ରେଲିଆ-ଏକୁ ଭାରତ ହରାଇଥିଲା ବେଳେ ଅନ୍ୟ ଏକ ଅଷ୍ଟ୍ରେଲିଆ-ଏ ବିପକ୍ଷ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ହେଲେ ଅଷ୍ଟ୍ରେଲିଆ ମୁଖ୍ୟ ଦଳ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌ ହାରି ଗସ୍ତ ଶେଷ କରିଥିଲା। ଭୁବନେଶ୍ବରକୁ ଭଲ ପାଉ। ମୁଁ ଭାବୁଛି ଅନ୍ୟ ସବୁ ଦଳ ମଧ୍ୟ ଭୁବନେଶ୍ବରରେ ଖେଳିବାକୁ ଭଲ ପାଇବେ। ଭୁବନେଶ୍ବର ଦର୍ଶକ ସମସ୍ତଙ୍କୁ ସମ୍ମାନ ଦେବା ସହ ଭାରତକୁ ମଧ୍ୟ ଅଧିକ ସମର୍ଥନ ଦେଇଥାନ୍ତି। ଫଳରେ ଆମକୁ ଭଲ କରିବାକୁ ଏହା ବହୁତ ସହଯୋଗ କରିବ। ଆମର ପ୍ରାୟ ଖେଳାଳି କଳିଙ୍ଗରେ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସମସ୍ତେ ପଡ଼ିଆକୁ ଭଲ ଭାବେ ଚିହ୍ନିଛନ୍ତି। ଏହା ନିଶ୍ଚିତ ସକାରାତ୍ମକ ଫଳ ଦେବ। ପ୍ରତ୍ୟେକ ପ୍ରତିଯୋଗିତା ଗୁରୁତ୍ବପୂର୍ଣ୍ଣ। ଏହା ଅଲିମ୍ପିକ୍ସ ଯୋଗ୍ୟତା ଥିବାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନିଶ୍ଚିତ। ଏହି ପ୍ରତିଯୋଗିତା ଜିତିବା ସହ ବିଶ୍ବ ମାନ୍ୟତାରେ ସୁଧାର ଆଣିବାକୁ ଚେଷ୍ଟା କରିବୁ। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଳିଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ଅଷ୍ଟ୍ରେଲିଆ ବିଶ୍ବର ୨ ନମ୍ବର ଦଳ ଥିବାରୁ ବଡ଼ ଆହ୍ବାନ ଥିଲା। ‌ସେଠାରେ ଶେଷ ଦୁଇ ମ୍ୟାଚ୍‌ ହାରିଲେ ମଧ୍ୟ ଆମ ପିଲା ଭଲ କରିଥି‌ଲେ। କିଛି ଭୁଲ ପାଇଁ ହାରିଥିଲୁ। ପରବର୍ତୀ ମ୍ୟାଚ୍‌ ପୂର୍ବରୁ ଆମେ କଳିଙ୍ଗରେ ଦୁଇ ସପ୍ତାହରୁ ଅଧିକ ଦିନ ଅଭ୍ୟାସ ସୁଯୋଗ ପାଉଥିବାରୁ ଭୁଲ ସୁଧାରିବାକୁ ଚେଷ୍ଟା କରିବୁ। ଚାପ‌ ସମୟରେ ଖେଳାଳି‌ମାନେ କିଭଳି ପ୍ରଦର୍ଶନ ଦେବେ ତାହା ଉପରେ ଏବେ ଗୁରୁତ୍ବ ଦେବୁ। ଏଥିସହ ଆକ୍ରମଣ ଓ ଶେଷ ସମୟରେ କିପରି ଗୋଲ୍‌ ବରଣ ନକରିବୁ ତାକୁ ନେଇ ରକ୍ଷଣାତ୍ମକ ଭାଗରେ ଉନ୍ନତି ପାଇଁ କାମ କରିବୁ ବୋଲି ନୂଆ ପ୍ରଶିକ୍ଷକ ଗ୍ରାହମ ରିଡ୍‌ କହିଛନ୍ତି।

ଅଭିଜ୍ଞତା ପାଇଁ ଆମେ ଅଷ୍ଟ୍ରେଲିଆ ଗସ୍ତ କରିଥିଲୁ। ଯୁବ ଖେଳାଳିଙ୍କୁ ନେଇ ଖେଳିଥିଲୁ। ଅଷ୍ଟ୍ରେଲିଆ ଯୁବ ଦଳ ସହ ଭଲ କଲେ ମଧ୍ୟ ଆକ୍ରମଣ ଏବଂ ରକ୍ଷଣାତ୍ମକରେ ଟିକେ ଉନ୍ନତି କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଭଲ ଦଳ ଥିବାରୁ ଶେଷ ଦୁଇ ମ୍ୟାଚ୍‌ ପରାଜିତ ହୋଇଥିଲୁ। ହାରିଲେ ମଧ୍ୟ ବହୁତ କିଛି ଶିଖିବାକୁ ମିଳିଥିଲା। ଦଳର ଆକ୍ରମଣାତ୍ମକ ଖେଳକୁ ନେଇ ବହୁତ ଖୁସି। ସେଠାରେ ଥଣ୍ଡା ପରିବେଶ ଥିଲା। ଏଠାରେ ବହୁତ ଗରମ ରହିଛି। ଆଗୁଆ ଅଭ୍ୟାସ ଶିବିର ଆୟୋଜିତ ହେଉଥିବାରୁ ପରିବେଶ ସହ ମିଶିବାର ସୁ‌‌ଯୋଗ ମିଳିବ। ଆମ ପାଇଁ ଏହି ପ୍ରତି‌ଯୋଗିତା ଗୁରୁତ୍ବପୂର୍ଣ୍ଣ। ଜିତିଲେ ହିଁ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିବୁ। ଏଥିପାଇଁ ଆମକୁ ଭଲ ଖେଳି ଜିତିବାକୁ ପଡ଼ିବ। ସବୁ ଦଳ ଭଲ, କାହାରିକୁ ହାଲ୍‌କା ନେବୁନି। ସମସ୍ତେ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ଆସିଛନ୍ତି। ‌ମ୍ୟାଚ୍‌ ଅନୁସାରେ ‌ଖେଳିବୁ। ଆମେ ବିଶ୍ବକପ୍‌ ଖେଳିକି ଗଲା ବେଳେ ଭୁବନେଶ୍ବର ବହୁତ ସୁନ୍ଦର ଥିଲା। ଫନି ଯୋଗୁଁ ବହୁତ କ୍ଷୟକ୍ଷତି‌ ହୋଇଥିବା ଶୁଣି ବହୁତ ଦୁଃଖ ଲାଗିଲା। ଏବେ ପ୍ରତିଯୋଗିତା ଉପରେ ନଜର ରଖିବୁ। ନୂଆ ପ୍ରଶିକ୍ଷକଙ୍କ ସହ ଅଷ୍ଟ୍ରେଲିଆ ଗସ୍ତ କରିସାରିଛୁ। ସେଠାରେ ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳିଛି। ଭୁବନେଶ୍ବରରେ ଚାପ ନୁହେଁ ଉପଭୋଗ କରିବୁ। ଏଠାକାର ଦର୍ଶକ ଆମକୁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। ଆଉ ଏକ ବଡ଼ ପ୍ରତିଯୋଗିତା ଖେଳିବାକୁ ଯାଉଥିବାରୁ ଉତ୍ସାହିତ ଅଛୁ ବୋଲି ଭାରତୀୟ ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ ଭୁବନେଶ୍ବରରେ ପହଞ୍ଚିବା ପରେ କହିଛନ୍ତି।

ଦଳ: ପିଆର୍‌ ଶ୍ରୀଜେସ୍‌, ସୁରଜ କାର୍କେରା, କୃ‌ଷ୍ଣ ବାହାଦୁର ପାଠକ (ଗୋଲ୍‌ରକ୍ଷକ), ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦର କୁମାର, ଅମିତ ରୋହିଦାସ, ବରୁଣ କୁମାର, ରୂପୀନ୍ଦର ପାଲ ସିଂହ, ଗୁରିନ୍ଦର ସିଂହ, କୋଥାଜିତ ସିଂହ ଖଡ଼ାଙ୍ଗବାମ, ନୀଲମ ସଞ୍ଜୀବ ଖେସ୍‌, ଜରମନପ୍ରୀତ ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ, ସୁମିତ, ନୀଳକଣ୍ଠ ଶର୍ମା, ଯଶକରଣ ସିଂହ, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପ୍ନୋ, ସଏଦ ନିୟାଜ ରହିମ, ରାଜକୁମାର ପାଲ (ମଧ୍ୟଭାଗ), ମନଦୀପ ସିଂହ, ଆକାଶଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ ସିଂହ, ଶାମସେର ସିଂହ, ଅର୍ମାନ କୁରେସୀ, ସୁମିତ କୁମାର, ସିମ୍ରନଜିତ ସିଂହ, ଏସ୍‌ଭି ସୁନିଲ, ଗୁରଜାନ୍ତ ସିଂହ (ପୂରୋଭାଗ)।

ସମ୍ବନ୍ଧିତ ଖବର