ରାଉରକେଲାକୁ ଫେରିବ ହକି ଉତ୍କର୍ଷ କେନ୍ଦ୍ର! ସେପ୍ଟେମ୍ବର ପହିଲାରୁ ନବ ନିର୍ମିତ ପଡ଼ିଆରେ ଅଭ୍ୟାସ

ରାଉରକେଲା ଫେରିପାଇବ ହୃତ୍‌ଗୌରବ

ରାଉରକେଲା: ଆସନ୍ତା ପୁରୁଷ ହକି ବିଶ୍ବକପ୍‌ ପୂର୍ବରୁ ରାଉରକେଲା ଯେ କେବଳ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ ପାଇବନି; ବରଂ ଆଉ ଏକ ଭେଟି ଦେଉଛନ୍ତି ରାଜ୍ୟ ସରକାର। ପ୍ରାୟ ୮ ବର୍ଷ ପୂର୍ବେ ପାନପୋଷରୁ ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଥିବା ହକି ଉତ୍କର୍ଷ କେନ୍ଦ୍ର ପୁଣି ଥରେ ରାଉରକେଲାକୁ ଫେରିଆସିବ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ସମ୍ପନ୍ନ ହେବ। ସେପ୍ଟେମ୍ବର ପହିଲାରୁ ଏହି ହକି ଉତ୍କର୍ଷ କେନ୍ଦ୍ର ସଂପୂର୍ଣ୍ଣଭାବେ ରାଉରକେଲାରୁ ହିଁ ପରିଚାଳିତ ହେବବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆନୁଷ୍ଠାନିକଭାବେ କୌଣସି ସୂଚନା ମିଳିପାରିନାହିଁ।

ସୂଚନା ଅନୁସାରେ, ବିଶ୍ବକପ୍‌ ପୂର୍ବରୁ ଷ୍ଟାଡିୟମର ମୁଖ୍ୟ ପଡ଼ିଆ ଓ ଅଭ୍ୟାସ ପଡ଼ିଆରେ ଅଭ୍ୟାସ କରାଯିବା ନିତାନ୍ତ ଆବଶ୍ୟକ। ଏହାଦ୍ବାରା ନୂତନଭାବେ ଖଞ୍ଜାଯାଇଥିବା ଆଷ୍ଟ୍ରୋଟର୍ଫ କଅଁଳ ହେବ ଓ ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ ପାଇଁ ବିଶେଷ ସହାୟକ ହେବ। ଏଣୁ ଆସନ୍ତା ସେପ୍ଟେମ୍ବର ମାସରୁ ଜାନୁଆରି ପହିଲା ଯାଏଁ, ହକି ଉତ୍କର୍ଷ କେନ୍ଦ୍ରର ଖେଳାଳିମାନେ ଏଠାରେ ଅଭ୍ୟାସ କରିବେ। ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବାପରେ ମଧ୍ୟ ଏମାନେ ଏହି ପଡ଼ିଆରେ ହିଁ ଅଭ୍ୟାସ ଜାରି ରଖିବେ। ନିର୍ମାଣାଧୀନ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ସଂଲଗ୍ନ ଓବିସି ଛାତ୍ରାବାସରେ ଏହି ଖେଳାଳିମାନେ ରହିବେ। ଏନେଇ ଆପୋଷ ବୁଝାମଣା ଶେଷ ହୋଇସାରିଛି। ଅଗଷ୍ଟ ଶେଷ ସୁଦ୍ଧା ବିଧିବଦ୍ଧଭାବେ ରାଜ୍ୟ କ୍ରୀଡ଼ା ବିଭାଗକୁ ଏହି ଛାତ୍ରାବାସ ହସ୍ତାନ୍ତର କରାଯିବ। ଏହି ଓବିସି ଛାତ୍ରାବାସ ହିଁ ହକି ଉତ୍କର୍ଷ କେନ୍ଦ୍ରର ୩୦ ଜଣ ପୁରୁଷ ଓ ୩୦ ଜଣ ମହିଳା, ମୋଟ୍‌ ୬୦ ଜଣ ହକି ଖେଳାଳିଙ୍କ ସ୍ଥାୟୀ ଠିକଣା ପାଲଟିବ। ପ୍ରକାଶଥାଉକି, ଗତ ୨୦୧୮ ମସିହା ମାର୍ଚ୍ଚ ମାସରେ ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଓ ଶିକ୍ଷାଗତ ଓ ସାମାଜିକ ପଛୁଆ ବର୍ଗ(ଏସ୍‌ଇବିସି) ଛାତ୍ରଛାତ୍ରୀଙ୍କ ପାଇଁ ଶହେଟି ଛାତ୍ରାବାସ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି କ୍ରମରେ ରାଉରକେଲା ବିପିୟୁଟି ପାଖରେ ଦୁଇଟି ଛାତ୍ରାବାସ ସ୍ଥାପିତ ହୋଇଥିଲା।

ହକି ଉତ୍କର୍ଷ କେନ୍ଦ୍ର ସ୍ଥାନାନ୍ତର ନେଇ ୨୦୧୪ ମସିହା ମେ ମାସରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଫଳରେ ସେତେବେଳେ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ବହୁ ବରିଷ୍ଠ କ୍ରୀଡ଼ାବିତ୍‌, କ୍ରୀଡ଼ାପ୍ରେମୀ, କ୍ରୀଡ଼ା ସଂଗଠନ ଏହାକୁ ତୀବ୍ର ବିରୋଧ କରିଥିଲେ। ଏମିତିକି ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଖୋଲାଖୋଲିଭାବେ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଥିଲେ। ତଥାପି ରାଜ୍ୟ ସରକାର କର୍ଣ୍ଣପାତ ନ କରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମକୁ ସ୍ଥାନାନ୍ତର କରିନେଇଥିଲେ। ଏମିତିକି ସେଠାରେ ଯାବତୀୟ ଅବ୍ୟବସ୍ଥା ଥିବା ଦର୍ଶାଇ ହକି ଉତ୍କର୍ଷ କେନ୍ଦ୍ରର ବହୁସଂଖ୍ୟକ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ରାତିଅଧିଆ ରାଉରକେଲା ଫେରିଆସିଥିଲେ ମଧ୍ୟ ସରକାର ଜିଦ୍‌ରେ ଅଟଳ ରହିଥିଲେ। ତେବେ ପ୍ରକୃତରେ ଜିଲ୍ଲାର କ୍ରୀଡ଼ାବିତଙ୍କ ମଙ୍ଗଳ କାମନା କରିବା ଉଦ୍ଦେଶ୍ୟରେ ହେଉ ଅବା କଳିଙ୍ଗ ଷ୍ଟାଡିୟମରେ ଅନ୍ୟ ସଂସ୍ଥାକୁ ଅବସ୍ଥାପିତ କରିବା; ଉତ୍କର୍ଷ କେନ୍ଦ୍ର ଫେରିବା ଖବର ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଆମୋଦିତ କରିଛି।

ସମ୍ବନ୍ଧିତ ଖବର