ପଡ଼ିଆକୁ ଫେରିବ ହକି, ଆସନ୍ତା ସପ୍ତାହରୁ ଜାତୀୟ ପ୍ରଶିକ୍ଷଣ ଶିବିର

ଦୁଇ ସପ୍ତାହ ସଙ୍ଗରୋଧରେ ରହିବେ ଖେଳାଳି

ବେଙ୍ଗାଲୁରୁ: କୋଭିଡ୍-୧୯ ମହାମାରୀ ସଙ୍କଟ ପାଇଁ ଦେଶ ସାରା ହକି ପ୍ରତିଯୋଗିତା ବନ୍ଦ ରହିଥିଲା। ଏପରିକି ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁ୍ତିକୁ ମଧ୍ୟ ସ୍ଥଗିତ କରି ଦିଆଯାଇଥିଲା। ଗତ ମାର୍ଚ ୨୪ରେ ଲକଡାଉନ୍ ଘୋଷଣା ହେବା ପରେ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଅଟକି ରହିଥିବା ଖେଳାଳିମାନଙ୍କୁ ମଧ୍ୟ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ତେବେ କର୍ଣ୍ଣାଟକରେ କରୋନା ସ୍ଥିତି ଟିକିଏ ସୁଧୁରିଥିଲା ବେଳେ ଅଲିମ୍ପିକ୍ସ ପ୍ରସ୍ତୁତିରେ ବଡ଼ ବ୍ୟାଘାତ ସୃଷ୍ଟି ନକରିବା ଲାଗି ହକି ଇଣ୍ଡିଆ ଏବେ ନିଷ୍ପତ୍ତି ନେଇଛି। ସେଥିପାଇଁ ଆସନ୍ତା ସପ୍ତାହରୁ ସେହି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ଭାରତୀୟ ମହିଳା ଓ ପୁରୁଷ ଦଳର ଅଧାରୁ ଅଟକି ଥିବା ପ୍ରଶିକ୍ଷଣ ଶିବିରକୁ ପୁନର୍ବାର ଚାଲୁ କରିବାକୁ ଚିନ୍ତା କରୁଛି।

ଏଥିପାଇଁ ଚଳିତ ମାସ ୪ ତାରିଖ ସୁଦ୍ଧା ଶିବିରରେ ଯୋଗଦେବାକୁ ଖେଳାଳିମାନଙ୍କୁ ହକି ଇଣ୍ଡିଆ କହିଛି। କୋଭିଡ୍-୧୯ ପରର ଏହି ପ୍ରଥମ ଶିବିର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଦେଇଥିବା ସୂଚନା ଅନୁସାରେ ଭାରତୀୟ ପୁରୁଷ ଦଳର ୩୩ ଜଣ ସମ୍ଭାବ୍ୟ ଖେଳାଳିଙ୍କ ସହ ୮ ଜଣ ପ୍ରଶିକ୍ଷକ ଓ ସହକାରୀ ଅଧିକାରୀ ଶିବିର ପାଇଁ ଡାକରା ପାଇଛନ୍ତି। ସେହିଭଳି ୩୧ ଜଣିଆ ମହିଳା ଶିବିରରେ ୨୪ ଜଣ ଖେଳାଳି ଏବଂ ୭ ଜଣ ପ୍ରଶିକ୍ଷକ ଓ ସହକାରୀ ଅଧିକାରୀ ରହିବେ।

ଦୁଇ ସପ୍ତାହ ସଙ୍ଗରୋଧରେ ରହିବେ ଖେଳାଳି
ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରୁ ଆସୁଥିବା ଖେଳାଳିମାନେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ସେମାନଙ୍କୁ ଦୁଇ ସପ୍ତାହ ପାଇଁ ସଙ୍ଗରୋଧରେ ରଖାଯିବ। ଏହା ପୂର୍ବରୁ ସେମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବ। କର୍ଣ୍ଣାଟକ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିୟମ ଅନୁସାରେ ଖେଳାଳିମାନେ ୧୪ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ପରେ ସେମାନଙ୍କର ପୁଣି ଥରେ କୋଭିଡ୍-୧୯ ପରୀକ୍ଷା କରାଯିବ। କରୋନା ମୁକ୍ତ ‌ଖେଳାଳିଙ୍କୁ ହିଁ ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ଅନୁମତି ମିଳିବ। ଖେଳାଳିମାନଙ୍କୁ ପୁନର୍ବାର ସ୍ବାଗତ କରିବା ଲାଗି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିର ଛାତ୍ରାବାସରେ ଥିବା କିଛି ଖେଳାଳିଙ୍କୁ ସେଠାକାର ପୁରୁଣା ଛାତ୍ରାବାସକୁ ସ୍ଥାନାନ୍ତର କରିଦିଆଯାଇଛି। ଉଭୟ ପୁରୁଷ ଓ ମହିଳା ଛାତ୍ରାବାସକୁ ସଂପୂର୍ଣ୍ଣ ସାନିଟାଇଜ୍ କରାଯାଇଛି। ଦୁଇ ସପ୍ତାହର ସଙ୍ଗରୋଧ ବେଳେ ସବୁ ଖେଳାଳି ପୃଥକ ପୃଥକ ଭାବେ ରହିବେ। ଖେଳାଳିମାନଙ୍କୁ ସେମାନଙ୍କ ଶରୀରର ଉତ୍ତାପ ‘ସାଇ’ ଆରମ୍ଭ କରିଥିବା ନିର୍ଦ୍ଦିଷ୍ଟ ଆପ୍‌ରେ ପ୍ରତ୍ୟେକ ଦିନ ଅପଲୋଡ୍ କରିବାକୁ ହେବ। ‘ସାଇ’ ସଂପୂର୍ଣ୍ଣ ଜୈବ ସୁରକ୍ଷିତ ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବ ଏବଂ ଖାଦ୍ୟ ଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀମାନେ ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ। କୌଣସି ଖେଳାଳିଙ୍କର କୋଭିଡ୍-୧୯ ପଜିଟିଭ୍ ବାହାରିଲେ ତୁରନ୍ତ ସଂପୃକ୍ତ ଖେଳାଳିଙ୍କୁ ନିକଟରେ ସ୍ଥାପିତ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇ ଦିଆଯିବ। କିଛି ଦିନ ପୂର୍ବେ ‘ସାଇ’ର ପାତିଆଲା କେନ୍ଦ୍ରରେ ତିନି ଜଣ ମୁଷ୍ଟିଯୋଦ୍ଧାଙ୍କର କୋଭିଡ୍-୧୯ ପଜିଟିଭ୍ ଆସିଥିବାରୁ ‘ସାଇ’ ବେଙ୍ଗାଲୁରୁରେ ଯେମିତି ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ, ତା’ ଉପରେ ହକି ଇଣ୍ଡିଆ ଜୋର ଦେଉଛି। ସେପଟେ ଭାରତୀୟ ମହିଳା ହକି ଦଳର ପ୍ରଶିକ୍ଷକ ଜୋଏଡ୍ ମାରିନ୍ ଓ ଅନୁଶିଳନ ପ୍ରଶିକ୍ଷକ ଜାନେକେ ସ୍କପମ୍ୟାନ୍‌ ଗତ ଜୁନ୍ ମାସରେ ନିଜ ଦେଶ ନେଦରଲାଣ୍ଡକୁ ଫେରି ଯାଇଥିଲେ। ଏହି ଦୁଇ ଜଣ ଆଜି ଭାରତ ପହଞ୍ଚିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର