ଅନ୍ତ୍ୱେର୍ପ: ଆୟର୍ଲାଣ୍ଡ ଗସ୍ତରେ ଥିବା ଭାରତୀୟ ଯୁବ ପୁରୁଷ ଓ ମହିଳା ଦଳ ଶନିବାରଠୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୨୩ ବର୍ଷରୁ କମ୍‌ ପଞ୍ଚରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତୀୟ ଯୁବ ଦଳ ୫-୦ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିବା ବେଳେ ମହିଳା ଦଳ ଷଡ଼ରାଷ୍ଟୀୟ ପ୍ରତିଯୋଗିତାରେ ସମାନ ଆୟର୍ଲାଣ୍ଡ୍‌କୁ ୪-୧ରେ ହରାଇ ଦେଇଛି। ଓଡ଼ିଆ ପୁଅ ଦୀପସାନ୍‌ ତିର୍କିଙ୍କ ନେତୃତ୍ୱରେ ଖେଳୁଥିବା ଯୁବ (୨୩ ବର୍ଷରୁ କମ୍‌) ଦଳ ସମ୍ପୂର୍ଣ୍ଣ ଭାବେ ଏକତରଫା ବିଜୟ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ବିତିବା ପରେ ୨୦ତମ ମିନିଟ୍‌ରେ ରାଜକୁମାର ପାଲ୍‌ଙ୍କ ଚମତ୍କାର ଫିଲ୍‌ଡ ଗୋଲ୍‌ ଏବଂ ୨୫ତମ ମିନିଟ୍‌ରେ ଗୋଲ୍‌ ଦେଇଥିଲେ। ୨୮ ମିନିଟ୍‌ ପରେ ମହମ୍ମଦ ରାହିଲ୍‌ ଦଳର ପେନାଲଟି କର୍ନରକୁ ଗୋଲ୍‌ରେ ପରିଣତ କରିଦେବାରୁ ଭାରତ ୩-୦ରେ ଅଗ୍ରଣୀ ନେଇଯାଇଥିଲା। ୩୨ତମ ମିନିଟ୍‌ରେ ଓଡ଼ିଆ ଖେଳାଳି ଶୀଳାନନ୍ଦ ଲାକ୍ରା ଏବଂ ୬୦ତମ ମିନିଟ୍‌ରେ ମହମ୍ମଦ ରାହୁଲଙ୍କ ଗୋଲ୍‌ ଭାରତକୁ ୫-୦ରେ ବିଜୟ ଦେଇଥିଲା। ରାହୁଲ ବ୍ୟକ୍ତିଗତ ୨ଟି ଗୋଲ୍‌ ଦେଇଥିଲେ। ରବିବାର ସଂଧ୍ୟା ୬.୩୦ଟାରେ ଭାରତୀୟ ପୁରୁଷ ଦଳ ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ। ଅନ୍ୟପକ୍ଷରେ ୨୩ ବର୍ଷରୁ କମ୍‌ ଷଡ଼ରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ଭାରତ ୪-୧ରେ ଆୟର୍ଲାଣ୍ଡକୁ ହରାଇ ଦେଇଥିଲେ। ପଞ୍ଚମ ମିନିଟ୍‌ରେ ଇଡେଲ୍‌ ନିଲାଣ୍ଡଙ୍କ ଗୋଲ୍‌ ଜରିଆରେ ଆାୟର୍ଲାଣ୍ଡ ଅଗ୍ର୍ରଣୀ ନେଇଯାଇଥିଲା। କିନ୍ତୁ ପ୍ରୀତି ଦୁବେଙ୍କ ନେତୃତ୍ୱରେ ଖେଳୁଥିବା ଭାରତର ଅଗ୍ରଭାଗ ତୁରନ୍ତ ଚାପ ହଟାଇ ନେଇଥିଲା। ୧୧ ମିନିଟ୍‌ରେ ଜ୍ୟୋତି ଏବଂ ୨୨ ମିନିଟ୍‌ରେ ମମତାଜ ଖାନ୍‌ ଗୋଲ୍‌ ଦେଇ ଭାରତକୁ ଆଗୁଆ କରାଇ ନେଇଥିଲେ। ମନପ୍ରୀତ୍‌ କଉର୍‌ ୨୮ ଓ ୩୭ତମ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେଇ ଭାରତକୁ ସହଜ ବିଜୟ ପ୍ରଦାନ କରିଥିଲେ। ଭାରତୀୟ ମହିଳା ମଧ୍ୟ ରବିବାର ସଂଧ୍ୟା ୫ଟାରେ ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବେ।