ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଫିବର ଜମୁଛି । ଅପରାହ୍ନର ଶୀତୁଆ ପରିବେଶକୁ କଳିଙ୍ଗ ଷ୍ଟାଡିୟମର ଗ୍ରୀନ୍ ଟର୍ଫରେ ଜୋରଦାର ହକି ଲଢେଇ ଦେଖିବାକୁ ମିଳୁଛି । ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଆଜି ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚରେ ଭାରତ ମହିଳା ଓ ଋଷିଆ ମହିଳା ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ସଂଧ୍ୟା ୬ଟାରେ ଖେଳାଯିବ । ଏହା ପରେ ରାତି ସାଢେ ୮ଟାରେ ଆମେରିକା ପୁରୁଷ ଟିମ୍ ସହିତ ଭାରତୀୟ ହକିର ପୁରୁଷ ଟିମର ଟକ୍କର ହେବ। ମ୍ୟାଚର ପ୍ରଥମ ଦିନରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ କମାଲ କରିଥିବାରୁ ଆଜି ମଧ୍ୟ ଭଲ ପ୍ରଦର୍ଶନ କିରବେ ବୋଲି ଦର୍ଶକ ଆଶାବାଦୀ ଅଛନ୍ତି।
ଦମଦାର ଖେଳ ପ୍ରଦର୍ଶନ କରି ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ଆମେରିକା ମହିଳା ଟିମକୁ ୫-୧ ଗୋଲରେ ପରାସ୍ତ କରିଥିଲା । ଓଡିଆ ଝିଅ ଲିଲିମା ମିଂଜ ଫିଲ୍ଡ ଗୋଲ ମାଧ୍ୟମରେ ଗୋଲ ଖାତା ଖୋଲିଥିଲା ଭାରତ । ଏହା ପରେ ଗୁରଜିତ କୌର ପେନାଲଟି କର୍ଣ୍ଣର ଜରିଆରେ ଦୁଇଟି ଗୋଲ ଦେଇଥିଲେ। ସେହିପରି ଶର୍ମିଲା ଦେବୀ ଗୋଟିଏ ଏବଂ ରାଣୀ ରାମପାଲ ଆଉ ଏକ ଫିଲ୍ଡ ଗୋଲ ଦେବା ପରେ ଭାରତର ଗୋଲ୍ ସଂଖ୍ୟା ୫ରେ ପହଁଚି ଯାଇଥିଲା । ଏହାର ଜବାବରେ ଆମେରିକା ମହିଳା ଦଳ କେବଳ ଗୋଟିଏ ଗୋଲ୍ ସୁଝାଇବାରେ ସକ୍ଷମ ହୋଇଥିଲା । ଇରିନ ମାଟସନ ପେନାଲଟି ଷ୍ଟ୍ରୋକ ଜରିଆରେ ଏହି ଗୋଲ୍ ଦେଇଥିଲେ। ଏହି ବିଜୟ ସହିତ ଭାରତୀୟ ମହିଳା ଟିମ୍ ଅଲିମ୍ପିକ୍ ପାଇଁ ଗୋଟିଏ ପାଦ ଆଗକୁ ବଢିଛି।
ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦ୍ୱିତୀୟ ମୁକାବିଲା ହୋଇଥିଲା ଭାରତୀୟ ପୁରୁଷ ଦଳ ଏବଂ ରୁଷିଆ ମଧ୍ୟରେ। ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ସହିତ ଭାରତ ୪-୨ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ମନଦୀପ ସିଂ ୨ ଟି, ହରମନପ୍ରୀତ ସିଂ ଗୋଟିଏ ଏବଂ ସୁନିଲ ସୋମାରପେଟ୍ ଗୋଟିଏ ଗୋଲ ଦେଇଥିଲେ। ତେବେ ରୁଷିଆର ସିମେନ ମାଟକୋଭାସ୍ମି ଏବଂ ଆଣ୍ଡ୍ରେ କୁରେଭ ଫିଲ୍ଡ ଗୋଲ ମାଧ୍ୟମରେ ଦୁଇଟି ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ଶେଷରେ ଭାରତୀୟ ପୁରୁଷ ଟିମ୍ ଏହି ମ୍ୟାଚକୁ ୪-୨ ଗୋଲ୍ ବ୍ୟବଧାନରେ ଜିତି ନେଇଥିଲା ।