ରାଉରକେଲାରେ ହେବ ‘ହକି ହଲ୍‌ ଅଫ୍‌ ଫେମ୍‌’

କଳିଙ୍ଗ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ତଦାରଖ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଉରକେଲାସ୍ଥିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ‘ହକି ହଲ୍‌ ଅଫ୍‌ ଫେମ୍‌’ ନିର୍ମାଣ କରାଯିବ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ହକି ଖେଳାଳି ଜାତୀୟ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଥିସହ ସଦ୍ୟ ସମାପ୍ତ ଏସିଆଡ୍‌୍‌ ହକିରେ ମହିଳା (ରୌପ୍ୟ) ଓ ପୁରୁଷ (କାଂସ୍ୟ)ରେ ପଦକ ବିଜେତା ଭାରତୀୟ ଦଳରେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ୬ (ମହିଳା ୪ ଓ ପୁରୁଷ ୨) ଜଣ ଖେଳାଳି ରହିଥିଲେ। ଏ ସବୁକୁ ଆଖି ଆଗରେ ରଖି ବିଧାୟକ ଶ୍ରୀ ରାୟ ରାଉରକେଲାରେ ‘ହକି ହଲ୍‌ ଅଫ୍‌ ଫେମ୍‌’ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ୨ ବର୍ଷ ହେବ ଦାବି କରିଆସୁଛନ୍ତି।
ନଗର ଉନ୍ନୟନ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୨୦ ମାର୍ଚ୍ଚ ପୂର୍ବରୁ ‘ହକି ହଲ୍‌ ଅଫ୍‌ ଫେମ୍‌’ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା ରହିଛି। ଏବେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଚାଲିଛି। ‘ହକି ହଲ୍‌ ଅଫ୍‌ ଫେମ୍‌’ରେ ଓଡ଼ିଶାରେ ହକି କ୍ରୀଡ଼ାର ଗୌରବମୟ ଇତିହାସ ସଂକ୍ରାନ୍ତୀୟ ତଥ୍ୟାବଳୀ ସହ ଟ୍ରଫି, ଫିଚର୍‌ ଓ୍ଵାଲ୍‌, ହକି ସମ୍ପର୍କିତ ବିଭିନ୍ନ କାହାଣୀର ରୋଚକ ଉପସ୍ଥାପନ, ଓଡ଼ିଶା ତଥା ଦେଶର ସ୍ୱନାମଧନ୍ୟ କ୍ରୀଡ଼ାବିତ୍‌ଙ୍କ ପ୍ରତିମୂର୍ତ୍ତି, ହକି ସମ୍ପର୍କିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ, ଅଲିମ୍ପିକ୍ସ ତଥା ଅନ୍ୟ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ହକି ଖେଳାଳିଙ୍କ ବିବରଣୀ, ଗ୍ରାମୀଣ ହକି ଗ୍ୟାଲେରି, ଅଲିମ୍ପିକ୍ସ କ୍ୟାପ୍ଟେନ୍‌ ଗ୍ୟାଲେରି ଆଦି ବିଭିନ୍ନ ବ୍ୟବସ୍ଥା ରଖାଯିବା ପାଇଁ ପ୍ରସ୍ତାବ ଥିବା ମନ୍ତ୍ରୀ ଦର୍ଶାଇଛନ୍ତି।
ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌ର ଆଧୁନିକିକରଣ ସହିତ ଏଠାରେ ଅନ୍ତର୍ଜାତୀୟ ମାନର ‘ହକି ହଲ୍‌ ଅଫ୍‌ ଫେମ୍‌’ ଯେପରି ନିର୍ଧାରିତ ସମୟସୀମା ମଧ୍ୟରେ ନିର୍ମିତ ହୁଏ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ହକି ଖେଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ସହିତ ରାଉରକେଲାକୁ ଜାତୀୟ ଓ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ମାନ ଆୟୋଜନ କରିବା ଦିଗରେ ସରକାର ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି।
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ବୁଲି ହକି ବିଶ୍ୱକପ୍‌ ପାଇଁ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଚତୁର୍ଦଶ ହକି ବିଶ୍ୱକପ୍‌ ଲାଗି କଳିଙ୍ଗ ଷ୍ଟାଡିୟମରେ ସଂପ୍ରତି ପୁନଃନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ମଙ୍ଗଳବାର ଅପରାହ୍ନରେ ଶ୍ରୀ ପାଢ଼ୀ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ହକି କମ୍ପ୍ଲେକ୍ସର ପୁରୁଣା ଷ୍ଟାଣ୍ଡ ସହ ଦୁଇ ନବନିର୍ମିତ ଷ୍ଟାଣ୍ଡ୍‌ର ସମ୍ମୁଖ ଭାଗ ବୁଲି ଦେଖିଥିଲେ। ମୁଖ୍ୟ ସଚିବଙ୍କ ସହ କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଆର ଭିନିଲ କ୍ରିଷ୍ଣା, ବିଡିଏ ଉପାଧ୍ୟକ୍ଷ କି୍ରଷନ କୁମାର, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଏବଂ ପୁଲିସ କମିସନର ସତ୍ୟଜିତ ମହାନ୍ତି କମ୍ପ୍ଲେକ୍ସ କାର୍ଯ୍ୟ ତଦାରଖ କରିଥିଲେ। ବିଶ୍ୱକପ୍‌ ଲାଗି ଷ୍ଟାଡିୟମରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଥିବା ଦେଖିଲୁ। ଚଳିତ ମାସ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ଯେଉଁ ଛୋଟ ଛୋଟ କାମ ବାକି ଥିବ ତାହା ଜାରି ରହିବ। ଅକ୍ଟୋବରରେ ଷ୍ଟାଡିୟମର ଆନୁଷ୍ଠାନିକ ଉଦ୍‌ଘାଟନ କରିବା ଲାଗି ଆମେ ଯୋଜନା ରଖିଥିବା ଶ୍ରୀ ପାଢ଼ୀ ଏହି ଅବସରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର