ଓଡ଼ିଶାରୁ ହକିର ପୁନଃଜନ୍ମ ହୋଇଛି: ଆନ୍ଥୋନି

ଭୁବନେଶ୍ବର : ମ୍ୟାଚ୍‌ ଜିତିବା ହାରିବା ଯେ ସବୁ ଖେଳର ଅଂଶବିଶେଷ ଏହାକୁ ସମସ୍ତେ ଗ୍ରହଣ କରିଥା’ନ୍ତି। କିନ୍ତୁ ଯେତେବେ‌ଳେ ଏକ ଭଲ ଦଳ ଖରାପ ଖେଳିଥାଏ ଏବଂ ଦୁର୍ବଳ ଦଳଠାରୁ ହାରିଯାଏ କେହି ବି ଗ୍ରହଣ କରିପାରନ୍ତି ନାହିଁ। ଭାରତୀୟ ଦଳର ବିଶ୍ବକପ୍ ବିପର୍ଯ୍ୟୟ ପରେ ଏଭଳି ମତ ରଖିଛନ୍ତି ମୁକ୍ତବୃତ୍ତି ହକି ସାମ୍ବାଦିକ, ହକି ପ୍ରଶିକ୍ଷକ ତଥା ହକି ପ୍ରଶାସକ ଲିଓ ଆନ୍ଥୋନି ଦେବାଦସ।

ହକି ଖେଳ ସହିତ ଦୀର୍ଘ ୫୦ ବର୍ଷ ଧରି ଜଡ଼ିତ ଆନ୍ଥୋନି ଏବେ ଭୁବନେଶ୍ବର ଓ ରାଉରକେଲାରେ ଭାରତୀୟ ଦଳକୁ ଅନୁସରଣ କରୁଥିବା ବେଳେ ଦଳର ପ୍ରଦର୍ଶନକୁ ନେଇ ନିରାଶ ହୋଇଛନ୍ତି। ବର୍ତମାନର ଦଳ ଏହ‌ାର ପୂର୍ଣ୍ଣ ଦକ୍ଷତାରେ ଖେଳିନାହିଁ। ନିଜ ସ୍ତରଠାରୁ ବହୁ ଖରାପ ଖେଳିଛି। ସାମାଜିକ ଗଣମାଧ୍ୟମ, ଭେନ୍ୟୁ ଏବଂ ଗଣମାଧ୍ୟମରେ ପ୍ରଶଂସକମାନେ ନିରାଶା ବ୍ୟକ୍ତ କରିବା ସ୍ବାଭାବିକ କଥା। ଭାରତୀୟ ହକି ଦଳ ଚୟନ ଏହି ଖେଳ ପାଇଁ ଏକ ସମସ୍ୟା ହୋଇ ରହିଛି। ପ୍ରଶାସକ, ଚୟନକର୍ତା ଓ ପ୍ରଶିକ୍ଷକଙ୍କ ଚାପରୁ ବାହାରି ପାରିନାହିଁ। ଆମେ ଅନୁଭବ କରୁଛୁ ଦଳର ପ୍ରଦର୍ଶନ ପାଇଁ ଜଣେ ଉତ୍ତରଦାୟୀ ରହିଲେ ପେସାଦାର ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯିବା ଉଚିତ୍। ଭାରତରେ ଚୟନକର୍ତା ଓ ପ୍ରଶାସକମାନେ କେବେ ଉତ୍ତରଦାୟୀ ହୁଅନ୍ତି ନାହିଁ। ସେମାନେ ପ୍ରଶିକ୍ଷକ ଓ ଖେଳାଳିଙ୍କୁ ଦୋଷ ଦେଇଥା’ନ୍ତି। ଜୋନ ଭିତ୍ତିରେ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମା ଓ କେନ୍ଦ୍ରାଞ୍ଚଳ ସ୍ତରୀୟ ଚୟନ ସମିତି ଗଢ଼ିବା ଆବଶ୍ୟକ। ଗୋଟିଏ ରାଜ୍ୟରୁ ୧୦-୧୨ ଖେଳାଳି ବାଛିବା ନିଶ୍ଚିତ ଅନ୍ୟ ଜୋନ୍‌ର ଉଦୀୟମାନ ଖେଳାଳିଙ୍କ ପାଇଁ ଅଶୋଭନୀୟ। ପଞ୍ଜାବ ଓ ହରିୟାଣା ଖେଳାଳିଙ୍କ ପ୍ରାଧାନ୍ୟ ରହିଲେ ମଧ୍ୟ କେହି ଏହା ବିରୋଧରେ ସ୍ବର ଉଠାଇପାରିବେ ନାହିଁ। ବର୍ତମାନର ହକି ବ୍ୟବସ୍ଥାରେ ଦକ୍ଷିଣ ଭାରତରେ ପ୍ରତିଭା ଥିବା ନେଇ କୌଣସି ବିଶ୍ବାସ ନାହିଁ। ହକିର ନୂଆ ସଂଘ ହେବା ସତ୍ତ୍ବେ ସ୍ପଷ୍ଟ ଭାବେ ସାବତ ମା’ ଆଚରଣ ଭଳି ବିବେଚନା କରାଯାଉଛି। ହକି ଇଣ୍ଡିଆ ଲିଗ୍‌ ବନ୍ଦ ରହିଥିଲେ ମଧ୍ୟ ଏଥିରେ ଦକ୍ଷିଣ ଭାରତରୁ ଗୋଟିଏ ବି ଦଳ ନ ଥିଲା, ବରଂ ଏହା ଉତ୍ତର ଭାରତ ଲିଗ୍ ଭଳି ଲାଗୁଥିଲା।

ହକିର ଅସଲ ବିକାଶ ପାଇଁ ତୃଣମୂଳସ୍ତରରୁ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ସ୍କୁଲ ସ୍ତରରୁ ପ୍ରତିଯୋଗିତା ଆରମ୍ଭ ସହିତ ସିନ୍ଥେଟିକ୍ ଚଟାଣରେ ଯୁବ‌ ବର୍ଗର ଖେଳାଳିଙ୍କୁ ନିୟମିତ ଖେଳାଯିବା ଆବଶ୍ୟକ। ଦେଶରେ ବିପୁଳ ପ୍ରତିଭା ରହିଛନ୍ତି। ପ୍ରତି ଖେଳାଳିଙ୍କୁ ପ୍ରଦର୍ଶନ ଭିତ୍ତିରେ ଦଳରେ ସ୍ଥାନ ମିଳୁ। କୌଣସି ଖେଳାଳି ଗଡ୍‌ଫାଦରଙ୍କ ପାଇଁ ଦଳରେ ରହିବା ଉଚିତ୍ ନୁହେଁ। ଭାରତୀୟ ହକିରେ ମଧ୍ୟ ବୟସ ଠକେଇ ଏବେ ବି ତିଷ୍ଠିଛି। ଫଳରେ ପ୍ରଦର୍ଶନର ସ୍ତର ବରିଷ୍ଠ ବର୍ଗରେ ପ୍ରଭାବିତ ହେଉଛି। ପ୍ରଶାସକମାନେ ମଧ୍ୟ ବୁଝିବା ଉଚିତ ଖେଳାଳିଙ୍କ ପାଇଁ ସେମା‌ନେ ଅଛନ୍ତି।

‌ହକିର ଲୋକପ୍ରିୟତା ପାଇଁ ସାମଗ୍ରିକ ଭାବେ ହକି ତାରକାଙ୍କ ଉଦୟ ହେବା ଆବଶ୍ୟକ। ତାରକାମାନେ କ୍ରମେ କିଂବଦନ୍ତି ପାଲଟିବା ପାଇଁ ଗଣମାଧ୍ୟମ ମଧ୍ୟ ଦାୟିତ୍ବ ତୁଲାଉ। ସେମାନଙ୍କୁ ବିଜ୍ଞାପନ ପ୍ଲାଟଫର୍ମ ଦେବା ସହିତ ସେଲିବ୍ରିଟି ଖ୍ୟାତି ପ୍ରଦାନ ଦିଗରେ କାମ ହେଉ। ଛୋଟ ପିଲାମାନେ ଯେଭଳି ସେମାନଙ୍କୁ ଦେଖି ଅନୁସରଣ କରିପାରିବେ, ଯେଭଳି ଧନରାଜ ପିଲେଙ୍କୁ ଦେଖି ଖେଳାଳି ହକିକୁ ଆସୁଥିଲେ। କିଛି ‌କ୍ଷେତ୍ରରେ ‌ଖେଳାଳିଙ୍କ ପ୍ରତି ସାବତ ମା’ ଆଚରଣ ଦେଖାଉଛି ହକି ସଂଘ। ଫଳରେ‌ ସେମାନେ‌ ଖେଳାଳିଙ୍କୁ ତାରକା ବନାଇବା ଦିଗରେ ପ୍ରତିବଂଧକ ସାଜୁଛନ୍ତି। ଏଭଳି ପରିସ୍ଥିତିରେ ଆମ ଖେଳାଳି କିଭଳି କିଂବଦନ୍ତି ପାଲଟିବେ ବୋଲି ଅନ୍ଥୋନି ପ୍ରଶ୍ନ କରୁଛନ୍ତି।

ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ହକି ପାଇଁ କରୁଥିବା ଉତ୍ସର୍ଗୀକୃତ କାର୍ଯ୍ୟ ପ୍ରଶଂସାର ହକ୍‌ଦାର। ଓଡ଼ିଶା ପାଇଁ ହକି ଅବଶ୍ୟ ସାମ୍ପ୍ରତିକ ସମୟରେ ଆଗକୁ ବଢ଼ିଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌କୁ ବଳିଯାଇଛି ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍। ଏତେ ସୁନ୍ଦର ହକି ଷ୍ଟାଡିୟମ୍‌ ଅନ୍ୟତ୍ର କେଉଁଠି ନାହିଁ ବୋଲି କହିଛନ୍ତି ଧନରାଜ ବଲ୍ଲାଲ ହକି ଏକାଡେମି (ବାଙ୍ଗାଲୋର)ର ପ୍ରଶାସକ ତଥା କର୍ଣ୍ଣାଟକ ରାଜ୍ୟ ହକି ସଂଘ ଚୟନକର୍ତା ଆନ୍ଥୋନି। ଓଡ଼ିଶା ପାଇଁ ଭାରତୀୟ ହକିର ପୁନଃଜନ୍ମ ହୋଇଛି ବୋଲି କହିଥିଲେ ଏହି ହକି ବିଶାରଦ।

ସମ୍ବନ୍ଧିତ ଖବର