ହକି ହୁଙ୍କାର: ହୃଦୟ ଜିତିଲେ ଦିଲପ୍ରୀତ-ଗୁରଜାନ୍ତ-ହାର୍ଦିକ

ସେମିରେ ଭାରତ-ବେଲ୍‌ଜିୟମ, ଅଷ୍ଟ୍ରେଲିଆ-ଜର୍ମାନି

ଟୋକିଓ: ଗୋଟିଏ ଘଣ୍ଟାର ରୋମାଞ୍ଚକ, ଉତ୍କଣ୍ଠାପୂର୍ଣ୍ଣ ଓ ସଂଘର୍ଷଭରା ଲଢ଼େଇ ପରେ ପ୍ରତୀକ୍ଷିତ ଶୁଭ ଖବର ମିଳିଗଲା। ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ଭାରତୀୟ ହକି ଦଳ ୩-୧ରେ ବିଜୟୀ ହୋଇ ସେମିଫାଇନାଲ୍‌ରେ ପହଞ୍ଚିଗଲା। ପୂର୍ବବିଜେତା ଅଷ୍ଟ୍ରେଲିଆ ଏବଂ ବିଜେତା ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଓ ଦକ୍ଷ ଦଳ ଥିବା ଗ୍ରୁପ୍-ଏ’ର ଦ୍ବିତୀୟ ସ୍ଥାନରେ ରହି ଭାରତ ଦୀର୍ଘ ଚାରି ଦଶନ୍ଧି ପରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେଥିପାଇଁ ରବିବାରର ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଥିଲା। ଭାରତୀୟ ଖେଳାଳିମା‌ନେ ବି ନିରାଶ କରିନଥିଲେ। ଆରମ୍ଭରୁ ଗ୍ରେଟ୍ ବ୍ରିଟେନ୍ ରକ୍ଷା ପ୍ରାଚୀର ଉପରେ ପ୍ରଭାବଶାଳୀ ଆକ୍ରମଣ କରି ଏହି ଦଳର ଖେଳାଳିଙ୍କୁ ଚକିତ କରି ଦେଇଥିଲା। ଯାହାର ଫଳ ଭାରତକୁ ସପ୍ତମ ମିନିଟ୍‌ରେ ମିଳିଥିଲା। ଦିଲପ୍ରୀତ ସିଂହଙ୍କଠାରୁ ପାଇଥିବା ପାସ୍‌କୁ ଗ୍ରେଟ୍‌ବ୍ରିଟେନ୍ ଗୋଲପୋଷ୍ଟ ଭିତରକୁ ପଠାଇ ଭାରତକୁ ଆଗୁଆ କରି ଦେଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଏହି ସ୍ଥିତି ଅପରିବର୍ତ୍ତିତ ଥିଲା। ଦ୍ବିତୀୟ କ୍ବାର୍ଟର ଆରମ୍ଭ ହେବାର ଗୋଟିଏ ମିନିଟ୍ ଭିତରେ ଭାରତୀୟ ଅଗ୍ରଭାଗ ପୁଣି ଥରେ ବ୍ରିଟିସ୍ ରକ୍ଷଣଭାଗକୁ ସ୍ତବ୍ଧ କରି ଦେଇଥିଲା।

ଷୋଡ଼ଶ ମିନିଟ୍‌ରେ ଗୁରଜାନ୍ତ ସିଂହ ସର୍କଲ ଭିତରେ ପ୍ରତିପକ୍ଷ ଗୋଲ୍ ରକ୍ଷକ ଓଲି ପାଇନଙ୍କୁ ନିଜ ଷ୍ଟିକ୍ ଚାଳନାରେ ଘାଇଲା କରି ଭାରତକୁ ଦ୍ବିତୀୟ ଗୋଲ୍ ଉପହାର ‌ଦେଇଥିଲେ। ପ୍ରଥମ ୩୦ ମିନିଟ୍‌ର ଖେଳ ପରେ ଭାରତ ୨-୦ରେ ଆଗୁଆ ରହି ମ୍ୟାଚ୍‌କୁ ଏକପ୍ରକାର ନିୟନ୍ତ୍ରଣରେ ରଖିଥିଲା। ତୃତୀୟ କ୍ବାର୍ଟର ଆରମ୍ଭ ହେବା ପରେ ‌ ଗ୍ରେଟ୍ ବ୍ରିଟେନ୍ ଭାରତୀୟ ରକ୍ଷଣଭାଗ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ତିନିଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରି ତୃତୀୟକୁ ଗୋଲ୍‌ରେ ରୂପାନ୍ତର କରି ପାରିନଥିଲା। ଏହା ମଧ୍ୟ ବ୍ରିଟିସ୍ ଖେଳାଳିଙ୍କ ମନୋବଳକୁ ଉଚ୍ଚ କରିଥିଲା। ତୃତୀୟ କ୍ବାର୍ଟରର ଶେଷ ମିନିଟ୍‌ରେ ହିଁ ସାମ୍ ୱାର୍ଡ ନିଜ ଦଳକୁ ଏହି ଗୋଲ୍‌ଟି ଉପହାର ଦେଇଥିଲେ। ସ୍ଥିତି ୨-୧ ଥିବାରୁ ଚତୁର୍ଥ କ୍ବାର୍ଟରର ଗୁରୁତ୍ବ ବଢ଼ି ଯାଇଥିଲା। ମ୍ୟାଚ୍‌ର ଫଳାଫଳ ଯେକୌଣସି ଦଳ ଖାତାକୁ ଯିବାର ସମ୍ଭାବନା ଥିଲା।

ଖେଳ ଶେଷ ହେବାର ୬ ମିନିଟ୍ ପୂର୍ବରୁ ବିପଜ୍ଜନକ ଷ୍ଟିକ୍ ଚାଳନା ପାଇଁ ଅଧିନାୟକ ମନପ୍ରୀତ ସିଂହ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଫଳରେ ଭାରତୀୟ ଦଳ ୧୦ ଜଣକୁ କମି ଯାଇଥିଲା। ୫୭ ମିନିଟ୍‌ରେ ନୀଳକାନ୍ତ ଶର୍ମା ମିଡଫିଲ୍ଡ ଦେଇଥିବା ପାସ୍‌କୁ ହାର୍ଦିକ ସିଂହ ସିଧାସଳଖ ଗ୍ରେଟ୍ ବ୍ରିଟେନ୍ ଗୋଲ୍ ପୋଷ୍ଟ ଉପରକୁ ମାରିଥିଲେ। ତେବେ ବ୍ରିଟେନ ଗୋଲ୍ ରକ୍ଷକ ଓଲି ପାଇନଙ୍କ ଗୋଡ଼ରେ ବାଜି ବଲ୍ ଫେରି ଆସୁଥିବା ବେଳେ ସଜାଗ ହାର୍ଦିକ ନିଜ ଦ୍ବିତୀୟ ପ୍ରୟାସରେ ଏହାକୁ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଭାରତ ବିଜୟକୁ ସୁନିଶ୍ଚିତ କରିଥିଲେ। ଶେଷ ତିନି ମିନିଟ୍‌ରେ ଗ୍ରେଟ୍ ବ୍ରିଟେନ୍ ଖେଳାଳି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ମଧ୍ୟ ଦ୍ବିତୀୟ ଗୋଲ୍ କରିବାକୁ ସକ୍ଷମ ହୋଇ ନଥିଲେ। ଭାରତ ଦୁଇଟି ଗୋଲ୍ ବ୍ୟବଧାନରେ ବିଜୟୀ ହୋଇ ସେମିଫାଇନାଲ୍ ଟିକେଟ ହାସଲ କରିଥିଲା। ଅନ୍ୟପକ୍ଷରେ ବ୍ରିଟେନ୍ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲା। ଗୋଲ୍ ରକ୍ଷକ ପିଆର ଶ୍ରୀଜେସ ସବୁ ମ୍ୟାଚ୍ ଭଳି ରବିବାରର ଏହି ମହତ୍ବପୂର୍ଣ୍ଣ ମୁକାବିଲାରେ ମଧ୍ୟ ଗ୍ରେଟ୍ ବ୍ରିଟେନର ବହୁ ପ୍ରୟାସକୁ ବିଫଳ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।

ସେମିରେ ଭାରତ-ବେଲ୍‌ଜିୟମ, ଅଷ୍ଟ୍ରେଲିଆ-ଜର୍ମାନି
ରବିବାର ଖେଳାଯାଇଥିବା ଅନ୍ୟ ତିନିଟି ପୁରୁଷ କ୍ବାର୍ଟର ଫାଇନାଲ୍‌ ଜିତି ବେଲ୍‌ଜିୟମ୍‌, ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟ ସେମିଫାଇନାଲ୍‌ ସ୍ଥାନ ପକ୍କା ନେଇଛନ୍ତି। ବେଲ୍‌ଜିୟମ୍‌ ୩-୧ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ବିଦାୟ ରାସ୍ତ ଦେଖାଇ ଦେଇଥିଲା। ମଧ୍ୟାନ୍ତର ସୁଦ୍ଧା ୧-୦ରେ ଅଗ୍ରଣୀ ଥିବା ସ୍ପେନ୍‌ ଦ୍ବିତୀୟାର୍ଧରେ ୩ଟି ଗୋଲ୍‌ ବରଣ କରି ପରାଜୟ ପାଇଁ ବାଧ୍ୟ ହୋଇଥିଲା। ତୃତୀୟ କ୍ବାର୍ଟରରେ ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍‌ ସ୍କୋରର୍‌ ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍ସ ଏକ ପେନାଲ୍‌ଟି କର୍ନରର ସଦୁପଯୋଗ କରି ସ୍ଥିତି ୧-୧ କରିଦେଇଥିଲେ। ଏହାପରେ ବିଶ୍ବ ବିଜେତା ବେଲ୍‌ଜିୟମ୍‌ ଆଉ ଦୁଇଟି ଗୋଲ୍‌ ଲଦିଦେଇ ବିଜୟୀ ହୋଇଥିଲା।
ସେହିପରି ପେନାଲ୍‌ଟି ସୁଟ୍‌ଆଉଟ୍‌ (୩-୦)ରେ ନେଦରଲାଣ୍ଡ୍‌କୁ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲ୍‌ ଯୋଗ୍ୟତା ହାସଲ କରିନେଇଥିଲା। ଏହି ମୁକାବିଲାର ନିର୍ଧାରିତ ସମୟ ୨-୨ ସମାନ ସ୍ଥିତିରେ ରହିବା ପରେ ଅଷ୍ଟ୍ରେଲିଆ ବାଜି ମାରିନେଇଥିଲା। ଅନ୍ୟପକ୍ଷରେ ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନାକୁ ୩-୧ ଗୋଲ୍‌ରେ ପରାସ୍ତ କରି ଜର୍ମାନି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଏଥି ସହିତ ଜର୍ମାନି ମଧ୍ୟ ଆର୍ଜେଣ୍ଟିନାଠାରୁ ୨୦୧୬ ରିଓ ଅଲିମ୍ପିକ୍ସ ସେମିଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲା। ରିଓରେ ଜର୍ମାନି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର