ଆସନ୍ତାବର୍ଷରୁ ନୂଆ ଢାଞ୍ଚାରେ ଜାତୀୟ ହକି

ଉଚ୍ଛେଦ ହେବ ‘ଏ’, ‘ବି’ ଡିଭିଜନ୍ ବ୍ୟବସ୍ଥା

ନୂଆଦିଲ୍ଲୀ : ଏଣିକି ଜାତୀୟ ହକି ପ୍ରତିଯୋଗିତାଗୁଡ଼ିକ ନୂଆ ଢାଞ୍ଚାରେ ହେବ। ବିଶେଷକରି ଅସନ୍ତା ୨୦୨୧ରୁ ଏଭଳି ଢାଞ୍ଚା ଲାଗୁ କରାଯିବ ବୋଲି ବୁଧବାର ଭାରତରେ ହକିର ସର୍ବୋଚ୍ଚ ପରିଚାଳନା ସଂସ୍ଥା ହକି ଇଣ୍ଡିଆ ଘୋଷଣା କରିଛି। ହକିରେ ଅଧିକରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏଭଳି ପୁନର୍ଗଠନ ନେଇ ଆଭାସ ଦେଇଛି। ସାରା ଦେଶର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ, ଅନୁଷ୍ଠାନ ୟୁନିଟ୍‌ ଏବଂ ଏକାଡେମି ସଦସ୍ୟମାନଙ୍କ ବିକାଶ ଏବଂ ସଂଖ୍ୟାଧିକ ଅଂଶଗ୍ରହଣ କିପରି ହୋଇପାରିବ ସେନେଇ ଏଭଳି ଢାଞ୍ଚା ଆପଣାଇଛି ହକି ଇଣ୍ଡିଆ। ବିଭିନ୍ନ ସଦସ୍ୟ ୟୁନିଟ୍‌ଙ୍କ କେତେକ ଇଭେଣ୍ଟ ଉତ୍ସର୍ଗ କରାଯିବ ବୋଲି ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡ ଘୋଷଣା କରିଛି। ସେହି ସବୁ ଇଭେଣ୍ଟଗୁଡ଼ିକ ମଧ୍ୟରେ ହକି ଇଣ୍ଡିଆ ପଞ୍ଜୀକୃତ ରାଜ୍ୟ ସଦସ୍ୟ ୟୁନିଟ୍‌ ପାଇଁ କେବଳ ଜାତୀୟ ପ୍ରତିଯୋଗିତା ସାମିଲ ରହିଛି। ଏହି ପ୍ରତିଯୋଗିତା ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜିତ ହେବ। ସେହିପରି ହକି ଇଣ୍ଡିଆ ପଞ୍ଜୀକୃତ କେବଳ ରାଷ୍ଟ୍ରାୟତା ଉଦ୍ୟୋଗ ବା‌ ପବ୍ଲିକ୍‌ ସେକ୍ଟର ୟୁନିଟ୍‌ (ପିଏସ୍‌ୟୁ)/ଡିପାର୍ଟମେଣ୍ଟାଲ ୟୁନିଟ୍‌ ପାଇଁ ଜାତୀୟ ପ୍ରତିଯୋଗିତା ସ୍ଥାନ ପାଇବ। ଏହି ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜିତ ହେବ। ଶେଷରେ ହକି ଇଣ୍ଡିଆ ପଞ୍ଜୀକୃତ କେବଳ ଏକାଡେମି ସଦସ୍ୟ ପାଇଁ ଜାତୀୟ ପ୍ରତିଯୋଗିତା ମଧ୍ୟ ହେବ। ଆଉ ଏହି ପ୍ରତିଯୋଗିତା ଉପକନିଷ୍ଠ ଓ କନିଷ୍ଠ ବର୍ଗରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜିତ ହେବ।

ଜଣେ ଖେଳାଳି, ଗୋଟିଏ ଇଭେଣ୍ଟ
ନୂଆ ଢାଞ୍ଚାର ପ୍ରତିଯୋଗିତା ପାଇଁ ସ୍ବତନ୍ତ୍ର ନିୟମାବଳୀ ମଧ୍ୟ ଘୋଷଣା କରାଯାଇଛି। ଉପରୋକ୍ତ ତିନିଟି ପ୍ରତିଯୋଗିତା ନିମନ୍ତେ ଜଣେ ପ୍ରତିଯୋଗୀ ‌ତାଙ୍କ ଦଳ ପକ୍ଷରୁ କେବଳ ଗୋଟିଏ ଇଭେଣ୍ଟରେ ହିଁ ଭାଗ ନେଇପାରିବେ। ସେହିପରି ଜଣେ ପ୍ରତିଯୋଗୀଙ୍କୁ କେବଳ ଗୋଟିଏ ବୟସ ବର୍ଗରେ ଭାଗ ନେବା ପାଇଁ ଅନୁମତି ମିଳିବ। ଜଣେ ପ୍ରତିଯୋଗୀ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଭିତରୁ ଗୋଟିଏ ବର୍ଗକୁ ବାଛିବାକୁ ପଡ଼ିବ। ଦେଶର ପ୍ରମୁଖସ୍ତରର ଏହି ଘରୋଇ ପ୍ରତିଯୋଗିତାଗୁଡ଼ିକରେ ଅଧିକରୁ ଅଧିକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ସୁଯୋଗ ଦେବା ଲକ୍ଷ୍ୟରେଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି। ପୁଣି ହକି ଇଣ୍ଡିଆର ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ସଦସ୍ୟ ୟୁନିଟ୍‌ମାନଙ୍କ ଅଂଶଗ୍ରହଣ ପାଇଁ ଯୋଗ୍ୟତା ପ୍ରକ୍ରିୟାର ଅଂଶବିଶେଷ ଭାବେ ପ୍ରତ୍ୟେକ ରାଜ୍ୟ ସଦସ୍ୟ ପ୍ରତି ବୟସବର୍ଗରେ ସେମାନଙ୍କ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ତେବେ ଏହି ସବୁ ପ୍ରତିଯୋଗିତା ବାର୍ଷିକ ଜାତୀୟ ପ୍ରତିଯୋଗିତା ପୂର୍ବରୁ ଶେଷ ହେବା ଜରୁରି ବୋଲି ସ୍ପଷ୍ଟ କରାଯାଇଛି। ପୂର୍ବର ଢାଞ୍ଚା ଅନୁଯାୟୀ ବିଭିନ୍ନ ବୟସ ବର୍ଗ ପାଇଁ କେବଳ ‘ଏ’ ଓ ‘ବି’ ଡିଭିଜନ୍‌କୁ ନେଇ ଜାତୀୟ ପ୍ରତିଯୋଗିତା ଆୟୋଜନ ହେଉଥିଲା ବେଳେ ଏବେ ଏଥିରେ ପରିବର୍ତନ ଘଟିବ। ଏହି ଦୁଇଟି ଡିଭିଜନ୍‌ର ଉଚ୍ଛେଦ ହେବାକୁ ଥିଲା ବେଳେ ଏହା ବଦଳରେ ଜାତୀୟ ପ୍ରତିଯୋଗିତକୁ ବିଭିନ୍ନ ବର୍ଗରେ ଖେଳାଯିବ। ଯେଉଁଥିରେ ସମସ୍ତ ରାଜ୍ୟ ସଦସ୍ୟ ୟୁନୁଟ୍‌ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠରେ ଉଭୟ ପୁରୁଷ ଓ ମହିଳାରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ। ସେହିପରି ପିଏସ୍‌ୟୁ ଏବଂ ଡିପାର୍ଟମେଣ୍ଟାଲ ୟୁନିଟ୍‌ ଏକ ଅଲଗା ବର୍ଗରେ ଏବଂ କନିଷ୍ଠ ଓ ବରିଷ୍ଠ ବର୍ଗରେ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରିବେ। ତୃତୀୟ ବର୍ଗ ସ୍ବତନ୍ତ୍ର ଭାବେ ଏକାଡେମୀ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ। ଏହି ବର୍ଗରେ ଉପକନିଷ୍ଠ ଓ କନିଷ୍ଠରେ ଉଭୟ ବାଳକ ଓ ବାଳିକାରେ ଜାତୀୟ ପ୍ରତିଯୋଗିତା ହେବ। ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡର ନୂଆ ଢାଞ୍ଚା ଘୋଷଣା ହକିର ପୁନର୍ଗଠନରେ ନିଶ୍ଚିତ ସହାୟକ ହେବ ବୋଲି ଅହମ୍ମଦ କହିଛନ୍ତି। ଏଥିରେ ଅଧିକରୁ ଅଧିକ ରାଜ୍ୟ, କେନ୍ଦ୍ରଶାସିତ ରାଜ୍ୟ, ଅନୁଷ୍ଠାନ ଓ ଏକାଡେମୀଗୁଡ଼ିକ ଉପକୃତ ହେବେ ବୋଲି ହକି ଇଣ୍ଡିଆ କହିଛି। ତେବେ ପ୍ରତିଯୋଗିତାର ନୀତିନିୟମ ଓ ମାର୍ଗଦର୍ଶିକା ପୂର୍ବ ଭଳି ସମାନ ରହିବ ଏବଂ ପ୍ରତି ଜାତୀୟ ପ୍ରତିଯୋଗିତା ଲିଗ୍‌ କମ୍‌ ନକ୍‌ଆଉଟ୍‌ ଭିତ୍ତିରେ ଖେଳାଯିବ। ଅଂଶଗ୍ରହଣକାରୀ ଦଳମାନଙ୍କ ସଂଖ୍ୟାକୁ ଦେଖିବା ପରେ କେତୋଟି ପୁଲ୍‌ ହେବ ତାହା ନିର୍ଣ୍ଣୟ କରାଯିବ। ତେଣୁ ୨୦୨୧ରେ ଆୟୋଜିତ ଏକାଦଶ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଦଳମାନଙ୍କ କ୍ଲାସିଫିକେସନ୍‌ ଫର୍ମାଟ୍‌ ଓ ଯୋଗ୍ୟ ରୢାଙ୍କିଙ୍ଗ୍‌ ଚଳିତ ବର୍ଷ ଡିସେମ୍ବର ୩୧ରୁ ଆରମ୍ଭ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାର ଚୂଡାନ୍ତ ଫଳାଫଳରୁ ନିଆଯିବ ବୋଲି ହକି ଇଣ୍ଡିଆ ସ୍ପଷ୍ଟ କରିଦେଇଛି।

ସମ୍ବନ୍ଧିତ ଖବର