ହକି ଓ ଭାରତ

ଭୁବନେଶ୍ବର: ହକି ଭାରତର ଏକ ଲୋକପ୍ରିୟ ଖେଳ। ଏହାକୁ ଔପଚାରିକ ଭାବେ ଭାରତରେ ଜାତୀୟ ଖେଳର ମାନ୍ୟତା ମିଳି ନଥିଲେ ମଧ୍ୟ ସମଗ୍ର ଦେଶବାସୀଙ୍କ ହୃଦୟରେ ଏହା ରାଜ୍‌ କ‌ରେ। ହକି ଓ ଭାରତର ସମ୍ପର୍କ ବେଶ୍‌ ପୁରୁଣା ଏବଂ ଉଲ୍ଲେଖନୀୟ। ବ୍ରିଟିସ ଶାସନ ସମୟରୁ ଭାରତରେ ହକି ଖେଳର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଉନବିଂଶ ଶତ‌ାବ୍ଦୀର ଶେଷ‌ାର୍ଧରେ ‌କେବଳ ଭାରତ ନୂହେଁ, ବରଂ ସମଗ୍ର ଭାରତୀୟ ଉପମହାଦେଶରେ ହକି ଖେଳ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୮୮୫ ମସିହାରେ କଲିକତାରେ ଭାରତର ପ୍ରଥମ ହକି କ୍ଲବ୍‌ ସ୍ଥାପିତ ହୋଇଥିଲା। ପରବର୍ତୀ ସମୟରେ ହକିକୁ ନେଇ କଲିକତାରେ ବେଟନ କପ୍‌ ଏବଂ ବମ୍ବେଠାରେ ଆଗା ଖାଁ କପ୍‌ ଆୟୋଜିତ ହୋଇଥିଲା। କ୍ରମଶଃ ଭାରତ ଏବଂ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ହକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୯୨୫ ମସିହା ନଭେମ୍ବର ମାସ ୭ ତାରିଖରେ ଭାରତର ବିଭିନ୍ନ ସ୍ଥାନୀୟ ହକି କ୍ଲବ୍‌ଗୁଡ଼ିକ ‘ଗ୍ବାଲିୟର’ଠାରେ ମିଳିତ ହୋଇ ‘ଭାରତୀୟ ହକି ମହାସଂଘ’ ଗଠନ କଲେ। ଏହା ଆନ୍ତର୍ଜାତୀୟ ସ୍ବୀକୃତି ଲାଭ କରିବା ପରେ ଭାରତୀୟ ହକି ଖେଳାଳିମାନେ ଆନ୍ତର୍ଜାତିୟସ୍ତରରେ ହକି ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଅର୍ଜନ କଲେ। ଭାରତ ଏହାର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ସହ ଖେଳିଥିଲା। ସେହି ଗସ୍ତରେ ହକି ଯାଦୁକର ଧ୍ୟାନଚାନ୍ଦ ନିଜର ଉନ୍ନତ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ। ଏହାପରେ ୧୯୨୭ ମସିହାରେ ଭାରତୀୟ ହକି ମହାସଂଘ ଅନ୍ତର୍ଜାତୀୟ ହକି ମହାସଂଘ ତରଫରୁ ଗୃହୀତ ହେଲା। ଫଳରେ ୧୯୨୮ ଗ୍ରୀଷ୍ମ ଅଲିମ୍ପିକ୍ସ‌ ହକିରେ ଭାରତ ଭାଗନେବାର ସୁଯୋଗ ଲାଭ କଲା। ବିଶ୍ବର ପ୍ରଥମ ଅଣ-ୟୁରୋପୀୟ ଦେଶ ଭା‌ବେ ଭାରତ ଏହି ସୁଯୋଗ ପାଇଥିଲା। ୧୯୨୮ ଆମଷ୍ଟରଡାମ୍‌ ଅଲିମ୍ପିକ୍ସରେ ପଦାର୍ପଣ କରି ଭାରତ ସ୍ବର୍ଣ୍ଣ ପଦକ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲା। ଏହାପରେ ୧୯୬୦ ମସିହା ପର୍ଯ୍ୟନ୍ତ ଭାରତ ବିଶ୍ବ ହକିରେ ଅପରାଜେୟ ହୋଇ ରହିଥିଲା। ଏହି ସମୟ ମଧ୍ୟରେ ଅଲିମ୍ପିକ୍ସରେ ଲଗାତାର ୬ ଥର ସ୍ବର୍ଣ୍ଣ ପଦକ ଲାଭ କରି ବିଶ୍ବରେ ଇତିହାସ ସୃଷ୍ଟି କରିଥିଲା ଭାରତ। ଅଲିମ୍ପିକ୍ସ ହକିରେ ଭାରତ ଅଦ୍ୟାବଧି ସବୁଠାରୁ ସଫଳ ଦେଶ ଭାବରେ ନିଜର ଆଧିପତ୍ୟ ଜାହିର କରି ଆସିଛି। ଏପର୍ଯ୍ୟନ୍ତ ଅଲିମ୍ପିକ୍ସରୁ ଭାରତ ଲାଭ କରିଛି ୮ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ। ହେଲେ ବିଶ୍ବକପ୍‌ ଇତିହାସରେ ଭାରତ ସେତେଟା ଆଶାଜନକ ପ୍ରଦର୍ଶନ କରିପାରିନାହିଁ। ୧୯୭୫ ମସିହା କୁଆଲାଲୁମ୍ପୁର ବିଶ୍ବକପ୍‌ରେ ଭାରତ ଥରଟିଏ ପାଇଁ ହକି ବିଶ୍ବକପ୍‌ ବିଜୟୀ ହୋଇପାରିଥିଲା। ୧୯୮୨ ଓ ୨୦୧୦ ମସିହାରେ ଭାରତ ବିଶ୍ବକପ୍‌ ଆୟୋଜନ କରିଥିଲା। ୧୯୮୨ରେ ମୁମ୍ବାଇଠାରେ ଓ ୨୦୧୦ରେ ନୂଆଦିଲ୍ଲୀଠାରେ ଏହି ମହାକୁମ୍ଭ ଆୟୋଜିତ ହୋଇଥିଲା। ଚଳିତଥର ୨୦୧୮ ମସିହାରେ ତୃତୀୟଥର ପାଇଁ ଭାରତର ଭୁବନେଶ୍ବରଠାରେ ସଦ୍ୟତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର