ଉତ୍ତର ପ୍ରଦେଶର କାନପୁରରେ ଚାଲିଥିବା ହକି ଇଣ୍ଡିଆର ୫-ଏ ସାଇଡ୍‌ ହକି ସେମିରେ ଦୁଇ ଓଡ଼ିଶା ଦଳ

ଭୁବନେଶ୍ବର : ଓଡ଼ିଶା ପୁରୁଷ ଓ ମହିଳା ଦଳ ଉତ୍ତର ପ୍ରଦେଶର କାନପୁରରେ ଚାଲିଥିବା ହକି ଇଣ୍ଡିଆର ୫-ଏ ସାଇଡ୍‌ ବରିଷ୍ଠ ଜାତୀୟ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣରେ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ବୁଧବାର କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ପୁରୁଷ ଦଳ ୩-୨ ଗୋଲ୍‌ରେ ହରିଆନାକୁ ପରାସ୍ତ କରିଥିଲା ବେଳେ ମହିଳା ଦଳ ମହାରାଷ୍ଟ୍ରକୁ ୩-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ପରାସ୍ତ କରିଥିଲା। ୨୭ ତାରିଖ ସେମିଫାଇନାଲ୍‌ରେ ପୁରୁଷ ଦଳର ମୁକାବିଲା କର୍ଣ୍ଣାଟକ ସହ ଏବଂ ମହିଳା ଦଳର ମୁକାବିଲା ହରିଆନା ସହ ହେବ।

ପୁରୁଷ କ୍ବାର୍ଟର ଫାଇନାଲ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ପ୍ରଥମାର୍ଧରେ ହିଁ ଉଭୟ ଦଳ ୨ ଲେଖାଏଁ ଗୋଲ୍‌ କରିଥିଲେ। ତେବେ ଦ୍ବିତୀୟାର୍ଧରେ ଓଡ଼ିଶା ଗୋଟିଏ ଗୋଲ୍‌ କରି ବିଜୟ ହାସଲ କରିଥିଲା। ଓଡ଼ିଶା ପକ୍ଷରୁ ମନୋଜ କିଣ୍ଡୋ (୭ ଓ ୧୬ ମିନିଟ୍‌) ଦୁଇଟି ଏବଂ ସିରିଲ୍‌ ଲୁଗୁନ (୨ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲା ବେଳେ ହରିଆନା ପକ୍ଷରୁ ମନ୍‌ପ୍ରୀତ୍‌ (୪ ମିନିଟ୍‌) ଓ ଜଗୱନ୍ତ ସିଂହ (୮ ମିନିଟ୍‌) ଗୋଲ୍‌ ସ୍କୋରର୍‌ ରହିଥିଲେ।

ମହିଳା କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ଓ ମହାରାଷ୍ଟ୍ର ମୁକାବିଲା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଯାହା ଫଳରେ ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ପ୍ରୀତି ଦୁବେଙ୍କ ଗୋଲ୍‌ ବଳରେ ମହାରାଷ୍ଟ୍ର ଅଗ୍ରଣୀ ପାଇଥିଲା। ହେଲେ ୧୪ ମିନିଟ୍‌ରେ ଓଡ଼ିଶା ପକ୍ଷରୁ ପ୍ରେମିତା ବାର୍ଲା ଗୋଲ୍‌ଟି ଶୁଝି ଦେବାରୁ ନିର୍ଧାରିତ ସମୟ ୧-୧ରେ ଶେଷ ହୋଇଥିଲା। ଫଳରେ ମ୍ୟାଚ୍‌ ସୁଟ୍‌ଆଉଟ୍‌କୁ ଟାଣି ହୋଇଯାଇଥିଲା। ସୁଟ୍‌ ଆଉଟ୍‌ ମଧ୍ୟ ରୋଚକପୂର୍ଣ୍ଣ ରହିଥିଲା। ୪ ଲେଖାଏଁ ସଟ୍‌ ଶେଷରେ ଉଭୟ ଦଳର ସ୍ଥିତି ୨-୨ ରହିଥିଲା। ମହାରାଷ୍ଟ୍ର ପକ୍ଷରୁ ପ୍ରୀତି ଦୁବେ ପଞ୍ଚମ ତଥା ଶେଷ ସଟ୍‌କୁ ଗୋଲ୍‌ କରିବାରେ ବିଫଳ ହୋଇଥିଲା ବେଳେ ଜାହ୍ନବୀ ପ୍ରଧାନଙ୍କ ଗୋଲ୍‌ ହିଁ ଓଡ଼ିଶାକୁ ବିଜୟ ଭେଟି ଦେଇଥିଲା। ଫଳରେ ଓଡ଼ିଶା ୩-୨ ସୁଟ୍‌ଆଉଟ୍‌ ଗୋଲ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର