ହକି ଇଣ୍ଡିଆ ବାର୍ଷିକ ପୁରସ୍କାର: ଗୁରବକ୍ସଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ

ହାର୍ଦ୍ଦିକ ଓ ସବିତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ : ପୂର୍ବତନ ହକି ଖେଳାଳି ଗୁରବକ୍ସ ସିଂହଙ୍କୁ ୨୦୨୨ ପାଇଁ ହକି ଇଣ୍ଡିଆ ମେଜର ଧ୍ୟାନ ଚାନ୍ଦ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ନୂଆଦିଲ୍ଲୀରେ ବାର୍ଷିକ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବେଳେ ଅନେକ ହକି ତାରକାଙ୍କୁ ପୁରସ୍କୃତ କରାଯାଇଛି। ପାଖାପାଖି ୨.୭ କୋଟି ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି। ଗୁରବକ୍ସଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପାଇଁ ଟ୍ରଫି ସହ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ହାର୍ଦ୍ଦିକ ସିଂହ ଓ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ସବିତାଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି।

ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ହକି ଇଣ୍ଡିଆ ସଭାପତି ଦିଲିପ ତିର୍କି ଅତିଥିମାନଙ୍କୁ ସ୍ବାଗତ କରିଥିଲା ବେଳେ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଉପସ୍ଥିତ ଥିଲେ। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ପ୍ରଥମେ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଦିଆଯାଇଥିଲା। ଏହି ବର୍ଷ ପାଇଁ ଅମିତ ସିଂହ ବକ୍ସିଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର, ହର୍ମନପ୍ରୀତ ସିଂହ ଓ ସବିତାଙ୍କୁ ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ପରେ ୨୦୨୨ ବର୍ଷ ପାଇଁ ପୁରସ୍କାର ଦିଆଯାଇଥିଲା ବେଳେ ୩୦୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ମନପ୍ରୀତ ସିଂହ ଓ ୨୫୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ରାଣୀଙ୍କୁ ଯଥାକ୍ରମେ ୩ ଲକ୍ଷ ଓ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ସେହିପରି ନଭଜୋତ କୌର ଓ ମନଦୀପ ସିଂହ ୨୦୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବାରୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପାଇଥିଲେ। ନେହା, ନଭନୀତ କୌର, ଲାଲରେମସିଆମିଙ୍କୁ ୧୦୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଥିଲା।

ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହଙ୍କୁ ୧୫୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଦେଢ ଲକ୍ଷ ଟଙ୍କା ଏବଂ ୧୦୦ ଆନ୍ତର୍ଜାତିକ ଗୋଲ୍‌ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ଏହାବ୍ୟତୀତ ଏଫ୍‌ଆଇଏଚ୍‌ ପକ୍ଷରୁ ୨୦୨୨ର ଶ୍ରେଷ୍ଠ ଖେଳାଳି ଭାବେ ୧୦ ଲକ୍ଷ ଟଙ୍କାର ପୁରସ୍କାର ସହିତ ଶ୍ରେଷ୍ଠ ଡିଫେଣ୍ଡର ଭାବେ ୫ ଲକ୍ଷ, ୨୦୨୧-୨୨ ହକି ପ୍ରୋ ଲିଗ୍‌ରେ ସର୍ବାଧିକ ଗୋଲ୍‌ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ହର୍ମନପ୍ରୀତ୍‌ଙ୍କୁ ମିଳିଥିଲା। ପଦାର୍ପଣ ମ୍ୟାଚ୍‌ରେ ଗୋଲ୍‌ ଦେଇଥିବା କାର୍ଠି ସେଲଭମ୍‌ଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ଏବଂ ଅମ୍ପାୟାର ଜାଭେଦ୍‌ ଶେଖ୍‌ଙ୍କୁ ୧୫୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା ପାଇଁ ଦେଢ ଲକ୍ଷ ଟଙ୍କା ଦିଆଯାଇଛି।

ଏଫ୍‌ଆଇଏଚ୍‌ ‌ଶ୍ରେଷ୍ଠ ପୁରୁଷ ଓ ମହିଳା ଗୋଲରକ୍ଷକ ଭାବେ ପିଆର୍‌ ଶ୍ରୀଜେଶ ଓ ସବିତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ, ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ଜୋନକେ ସ୍କୋପମ୍ୟାନ୍‌ଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ, ମୁମତାଜ ଖାନ୍‌ ଓ ଉତ୍ତମ ସିଂହଙ୍କୁ‌ ଶ୍ରେଷ୍ଠ ଅପ୍‌କମିଂ ଖେଳାଳି, ଶ୍ରେଷ୍ଠ ମହିଳା ଫରୱାର୍ଡ ଭାବେ ବନ୍ଦନା କଟାରିଆ, ଶ୍ରେଷ୍ଠ ମହିଳା ମିଡ୍‌ଫିଲ୍ଡର ସୁଶୀଲା ଚାନୁ, ଶ୍ରେଷ୍ଠ ଗୋଲ୍‌ରକ୍ଷକ ଭାବେ କ୍ରିଷ୍ଣନ୍‌ ପାଠକ୍‌, ମହତ୍ବପୂର୍ଣ୍ଣ ଅବଦାନ ପାଇଁ ପ୍ରୀତମ ସିୱାଚ, ଉତ୍କୃଷ୍ଟ ସଫଳତା ପାଇଁ ହକି ଏସ୍‌ ଫାଉଣ୍ଡେସନ୍‌, ଶ୍ରେଷ୍ଠ ଅମ୍ପାୟାର ଭାବେ ଗୁରିନ୍ଦର ସିଂହ ସଂଘା, ଶ୍ରେଷ୍ଠ ବୈଷୟିକ ଅଧିକାରୀ ଭାବେ ମହମ୍ମଦ ମୋଗୁଲ ମୁନୀର, ୨୦୨୨ ମହିଳା ନେସନ୍ସ କପ୍‌ରେ ଶ୍ରେଷ୍ଠ ଗୋଲରକ୍ଷକ ଭାବେ ସବିତା ଏବଂ ସୁଲତାନ ଜୋହର କପ୍‌ରେ ସର୍ବାଧିକ ଗୋଲଦାତା ସାରଦାନନ୍ଦ ତିୱାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ପୁରୁଷ ହକି ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିଥିବାରୁ ଓଡ଼ିଶା ସରକାରଙ୍କୁ ମଧ୍ୟ ହକି ଇଣ୍ଡିଆ ପକ୍ଷରୁ ପ୍ରଶଂସା କରାଯିବା ସହ କୃତଜ୍ଞତା ଜଣାଯାଇଥିଲା।

ସମ୍ବନ୍ଧିତ ଖବର