ଭୁବନେଶ୍ବର: ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କା ହକି ଇଣ୍ଡିଆର ବର୍ଷର ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦୌଡ଼ରେ ଅଛନ୍ତି। ଏମାନଙ୍କ ବ୍ୟତୀତ ପୁରୁଷ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ଓ ସୁରେନ୍ଦର କୁମାର ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଦୌଡ଼ରେ ନେହା, ନବନୀତ କୌର, ସବିତା ଓ ବନ୍ଦନା କାଟାରିୟା ଏବଂ ଶ୍ରେଷ୍ଠ ପୁରୁଷ ଖେଳାଳି ଦୌଡ଼ରେ ମନପ୍ରୀତ ସିଂହ, ହର୍ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ପିଆର୍ ଶ୍ରୀଜେଶ ରହିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ବିଭିନ୍ନ ବିଭାଗର ଶ୍ରେଷ୍ଠ ଖେଳାଳିମାନଙ୍କୁ ପୁରସ୍କାର ଦେବା ପାଇଁ ଆଶାୟୀଙ୍କ ତାଲିକା ଘୋଷଣା କରାଯାଇଛି। ଶ୍ରେଷ୍ଠ ଗୋଲରକ୍ଷକ, ଶ୍ରେଷ୍ଠ ଡିଫେଣ୍ଡର, ଶ୍ରେଷ୍ଠ ମିଡ୍ଫିଲ୍ଡର, ଶ୍ରେଷ୍ଠ ଫରୱାର୍ଡ ପାଇଁ ଟ୍ରଫି ସହିତ ୫ ଲକ୍ଷ ଟଙ୍କାର ପୁରସ୍କାର ବ୍ୟବସ୍ଥା ରଖାଯାଇଛି। ସେହିପରି ବର୍ଷର ଆଗନ୍ତୁକ ଶ୍ରେଷ୍ଠ ଖେଳାଳି (୨୧ ବର୍ଷରୁ କମ୍)ଙ୍କ ଭିତରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ଏବଂ ବର୍ଷର ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ରଖାଯାଇଛି। ଏସବୁବାଦ୍ ଖେଳାଳି ଓ ଦଳୀୟ ସହାୟକ ତଥା ବୈଷୟିକ କର୍ମଚାରୀଙ୍କ ପାଇଁ ପ୍ରେସିଡେଣ୍ଟ ପୁରସ୍କାର ମଧ୍ୟ ରଖାଯାଇଛି। ସବୁଠୁ ଅଧିକ ଆର୍ଥିକ ପୁରସ୍କାର ଭାବେ ଲାଇଫ୍ଟାଇମ୍ ଆଚିଭମେଣ୍ଟ ପାଇଁ ମେଜର ଧ୍ୟାନଚାନ୍ଦ ପୁରସ୍କାରକୁ ୩୦ ଲକ୍ଷ ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି।
ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ଅନ୍ୟ ପୁରସ୍କାର ମଧ୍ୟରେ ଶ୍ରେଷ୍ଠ ଗୋଲ୍ରକ୍ଷକ ଦୌଡ଼ରେ ସବିତା, ପିଆର୍ ଶ୍ରୀଜେଶ, କ୍ରିଷନ ପାଠକ, ବିଛୁ ଦେବୀ ଖରିବାମ୍, ଶ୍ରେଷ୍ଠ ମିଡ୍ଫିଲ୍ଡର ପାଇଁ ନବନୀତ କୌର, ହାର୍ଦ୍ଦିକ ସିଂହ, ସୁଶୀଳା ଚାନୁ, ମନପ୍ରୀତ୍ସିଂହ, ନେହା, ଶ୍ରେଷ୍ଠ ଫରୱାର୍ଡ ପାଇଁ ମନଦୀପ ସିଂହ, ଆକାଶଦୀପ ସିଂହ, ବନ୍ଦନା କାଟାରିୟା, ଅଭିଷେକ, ଆଗନ୍ତୁକ ମହିଳା ଖେଳାଳି ପାଇଁ ବୈଷ୍ଣବୀ ଫାଲ୍କେ, ସଂଗୀତା କୁମାରୀ, ମୁମତାଜ ଖାନ୍, ସଲିମା ଟେଟେ, ଆଗନ୍ତୁକ ପୁରୁଷ ଖେଳାଳି ପାଇଁ ବିଷ୍ଣୁକାନ୍ତ ସିଂହ, ସଂଜୟ, ଉତ୍ତମ ସିଂହ, ଶର୍ଦାନନ୍ଦ ତିୱାରୀଙ୍କ ନାମ ବଛାଯାଇଛି। ଏହି ପୁରସ୍କାର ବ୍ୟବସ୍ଥା ଦ୍ବାରା ଭାରତୀୟ ଖେଳାଳିମାନେ ଉତ୍ସାହିତ ହେବେ ଏବଂ ଆଗକୁ ଦେଶର ଗୌରବ ବଢାଇବାରେ ସହାୟତା କରିବେ ବୋଲି ହକି ଇଣ୍ଡିଆ ସଭାପତି ଦିଲ୍ଲିପ ତିର୍କି କହିଛନ୍ତି।