ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବା ନିଷ୍ପତ୍ତି ହକି ଇଣ୍ଡିଆ ଏକା ନେଇପାରିବନି: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଆସନ୍ତା ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ହକି ଇଣ୍ଡିଆ ଓହରିଯିବା ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଜାତୀୟ ସଂଘ ସରକାରଙ୍କ ସହ ପରାମର୍ଶ କରିବାର ଥିଲା ବୋଲି ମତ ଦେଇଛନ୍ତି ଠାକୁର। ଦେଶରେ ଅଲିମ୍ପିକ୍ସ କ୍ରୀଡ଼ା ଗୁଡ଼ିକର ମୁଖ୍ୟ ପୃଷ୍ଠପୋଷକ ସରକାର ହୋଇଥିବାରୁ ଜାତୀୟ ପ୍ରତିନିଧିତ୍ବର ପ୍ରତିଟି ନିଷ୍ପତ୍ତି ଉପରେ ପ୍ରଶ୍ନ କରାଯାଇପାରିବ। ଜାତୀୟ ସଂଘ ନିଜେ ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବା ଉଚିତ୍‌। କାରଣ କୌଣସି ବଡ଼ ପ୍ରତିଯୋଗିତାରେ ଫେଡେରେସନ୍‌ର ଦଳ ନୁହେଁ, ଜାତୀୟ ଦଳ ଖେଳିଥାଏ। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶକୁ କେବଳ ୧୮ ଜଣ ପ୍ରତିନିଧିତ୍ବ କରିନଥା’ନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ହୋଇଥିବାରୁ ହକି ଇଣ୍ଡିଆ ଏବେ ସରକାର ଓ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ନିଷ୍ପତ୍ତି ନେଉ ବୋଲି ଠାକୁର କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ବର୍ମିଂହାମ୍‌ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଜୁଲାଇ ୨୮ରୁ ଅଗଷ୍ଟ ୮) ଖେଳାଯିବ। ଏହାର ୩୨ ଦିନ ପରେ ଏସୀୟ କ୍ରୀଡ଼ା (ସେ‌ପ୍ଟେମ୍ବର ୧୦-୨୫) ଚୀନ୍‌ର ହଙ୍ଗ୍‌ଜୁରେ ଖେଳାଯିବ। ଏସୀୟ କ୍ରୀଡ଼ା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ସୁଯୋଗ ରଖିଥିବାରୁ ଭାରତ ଏହାକୁ ଗୁରୁତ୍ବ ‌ଦେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ବ୍ରିଟେନ୍‌ର କୋଭିଡ୍‌ କଟକଣା, ସଙ୍ଗରୋଧ ନିୟମ ଓ ଯାତାୟତ ବ୍ୟବସ୍ଥାକୁ ବିଚାରକୁ ନେଇ ହକି ଇଣ୍ଡିଆ ଖେଳାଳିଙ୍କୁ ସତେଜ ମନରେ ଖେଳିବାକୁ ଯୋଜନା କରିବାରୁ ଏଭଳି ନିଷ୍ପତ୍ତି ନେଇଥିଲା। ପେସାଦାର କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଲଗାତାର ପ୍ରତିଯୋଗିତା ନୂଆ ନୁହେଁ। ଦେଶରେ ହକି ପ୍ରତିଭାର ଅଭାବ ମଧ୍ୟ ନାହିଁ। ଏବେ ଆଇପିଏଲ୍‌ ଚାଲିଛି ଏବଂ ସପ୍ତାହକ ପରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳାଯିବ। ଯଦି କ୍ରିକେଟର୍‌ମାନେ ପଛକୁ ପଛ ପ୍ରତିଯୋଗିତା ଖେଳିପାରୁଛନ୍ତି ଅନ୍ୟ ଖେଳରେ କାହିଁକି ନୁହେଁ ବୋଲି ଠାକୁର ପ୍ରଶ୍ନ କରିଛନ୍ତି। ଏସୀୟ କ୍ରୀଡ଼ାକୁ ଗୁରୁତ୍ବ ଦେବା କଥା ମୁଁ ବୁଝିପାରୁଛି, କିନ୍ତୁ ଭାରତୀୟ ଦଳର ଦାୟିତ୍ବ କେବଳ ସଂଘର ନୁହେଁ ସରକାରଙ୍କର ମଧ୍ୟ ବୋଲି ସେ କହିଥିଲେ। ଏହି ଅବସରରେ ଅନୁରାଗ ଠାକୁର କହିଥିଲେ ୧୦ ଦିନ ମଧ୍ୟରେ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ଚୟନ ସମିତି‌‌ ବୈଠକ ବସିବ। ରାଷ୍ଟ୍ରପତିଙ୍କଠାରୁ ସମୟ ନେବା ପରେ ପୁରସ୍କାର ପ୍ରଦାନ ତାରିଖ ଧାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର