ନୂଆଦିଲ୍ଲୀ: ହକି ଇଣ୍ଡିଆ ମହିଳା ପ୍ରଶିକ୍ଷକ ୟାନେକ ସୋପମ୍ୟାନ୍ ଇସ୍ତଫା ଦେବାର ଗୋଟିଏ ଦିନ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲିନା ନର୍ମାନ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଯାହାଫଳରେ ହକି ଇଣ୍ଡିଆରେ ଆଭ୍ୟନ୍ତରୀଣ ବିବାଦ ରହୁଥିବା ସ୍ପଷ୍ଟ ହେଉଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନର୍ମାନଙ୍କୁ ଗତ କିଛି ମାସ ଧରି ଦରମା ଦିଆଯାଉ ନଥିବା ସହ ତାଙ୍କୁ କେତେକ ପ୍ରଶାସନିକ ନିଷ୍ପତ୍ତି ନେବା ସମୟରେ ଅସୁବିଧାରେ ପକାଯାଉଥିଲା। ସୋପ୍ମ୍ୟାନ୍ ଯେତେବେଳେ ଇସ୍ତଫା ଦେଇଥିଲେ, ସେତେବେଳେ ହକି ଇଣ୍ଡିଆରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ଓ ସମ୍ମାନ ଦିଆଯାଉ ନଥିବା ସଂପର୍କରେ ଅଭିଯୋଗ ଆଣିଥିଲେ। ସମାନ ଘଟଣା ନର୍ମାନ୍ଙ୍କ ସହ ମଧ୍ୟ ଘଟିଛି। ଅଷ୍ଟ୍ରେଲିଆର ନର୍ମାନ୍ ପାଖାପାଖି ୧୩ ବର୍ଷ ଧରି ଏହି ପଦବିରେ ରହିଆସିଥିଲା ବେଳେ ଗତ କିଛି ମାସ ଧରି ତାଙ୍କୁ ପ୍ରାପ୍ୟ ମିଳୁ ନଥିଲା। ତେବେ ନର୍ମାନ୍ଙ୍କ ଇସ୍ତଫାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଇସ୍ତଫା ଦେବା ପରେ ନର୍ମାନ୍ କହିଛନ୍ତି, ହକି ଇଣ୍ଡିଆରେ ଦୁଇଟି ପକ୍ଷ କାମ କରୁଛି। ଗୋଟିଏ ପଟରେ ସଭାପତି ଦିଲୀପ ତିର୍କିଙ୍କ ସହ ନର୍ମାନ୍ ଥିଲା ବେଳେ ଅନ୍ୟ ପଟେ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର୍କେ ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଶେଖର ମନୋହରନ୍ ରହୁଥିଲେ। ଗତ କିଛି ଦିନ ଧରି ମୋ ସହିତ କିଛି ଘଟଣା ଘଟିଥିଲା। ଏହା ବିଷୟରେ ମୁଁ ବୋର୍ଡ ସଦସ୍ୟଙ୍କୁ ଜଣାଇ ଦେଇଛି। ଦିଲୀପ ସବୁକିଛି ଜାଣିଛନ୍ତି। ତେଣୁ ସବୁକିଛି ସ୍ପଷ୍ଟ କରିବାକୁ ମୁଁ ଚାହୁନି। ଏବେ ହକି ଇଣ୍ଡିଆ ଛାଡ଼ିବା ସମୟ ଓ ଆଗକୁ ଆସୁଥିବା ପ୍ରତ୍ୟେକ ଆହ୍ବାନ ପାଇଁ ମୁଁ ପ୍ରସ୍ତୁତ ଅଛି। ଏବେ ପରିବାର ସହିତ ସମୟ କାଟିବାକୁ ଯିବି। ୩ ମାସର ବିରତି ପରେ ପରବର୍ତ୍ତୀ ସୁଯୋଗ ପାଇଁ ଚେଷ୍ଟା କରିବି ବୋଲି ନର୍ମାନ୍ ଏକ ବିବୃତିରେ କହିଛନ୍ତି।
ନର୍ମାନ୍ଙ୍କ ଇସ୍ତଫା ପାଇବା ପରେ ହକି ଇଣ୍ଡିଆ ସଭାପତି ଦିଲୀପ ତାଙ୍କୁ ପରବର୍ତ୍ତୀ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଗତ ୧୨-୧୩ ବର୍ଷ ଧରି ହକି ଇଣ୍ଡିଆ ପ୍ରତି ନର୍ମାନ୍ଙ୍କ ଅବଦାନକୁ ମଧ୍ୟ ଦିଲୀପ ପ୍ରଶଂସା କରିଛନ୍ତି। ନର୍ମାନ୍ଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଥିଲା। ପୁରୁଷ ଦଳ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଇଥିଲା ବେଳେ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଥିଲା। ତେବେ ମହିଳା ହକିକୁ ଆଗକୁ ନେବାରେ ନର୍ମାନ୍ଙ୍କ ଭୂମିକା ଅଧିକ ଥିଲା। ମହିଳା ଦଳକୁ ପୁରୁଷଙ୍କ ଅପେକ୍ଷା ସମାନ ସୁବିଧାସୁଯୋଗ ଦିଆଯିବା ପାଇଁ ସେ ପଦକ୍ଷେପ ନେଇଥିଲେ। ତାଙ୍କ ଅବଧି ଭିତରେ ଭାରତରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଦୁଇଟି ଲେଖାଏଁ ବିଶ୍ବକପ୍ ଆୟୋଜିତ ହୋଇଥିଲା ବେଳେ ହକି ଇଣ୍ଡିଆ ଲିଗ୍ର ୫ ସଂସ୍କରଣ ଆୟୋଜିତ ହୋଇଥିଲା।