ହକି ଇଣ୍ଡିଆ ସିଓଏ ଅଡ଼ୁଆ ବଢ଼ିଲା: ସ୍ଥିତି ଅନୁଧ୍ୟାନ ଲାଗି ଅଗଷ୍ଟ ୧୫‌ରେ ଭାରତ ଆସିବ ୩ଜଣିଆ ଉଚ୍ଚସ୍ତରୀୟ ସମିତି

ସମ୍ବିଧାନ ସଂଶୋଧନ ଓ ନିର୍ବାଚନ ଲାଗି ମାଗିଥିବା ୨୦ ସପ୍ତାହ ଦେବାକୁ ମନାକଲା ଏଫ୍‌ଆଇଏଚ୍

ନୂଆଦିଲ୍ଲୀ: ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବାକୁ ୨୦୨୩ ପୁରୁଷ ହକି ବିଶ୍ବକପ୍‌ ଭାରତରେ ଆୟୋଜନ ହେବା ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଓ ସଂଶୟ କ୍ରମଶଃ ଦୃଢ଼ ହେବାରେ ଲାଗିଛି। ନୂଆ ସମ୍ବିଧାନ ପ୍ରଣୟନ ସହ ସାନି ନିର୍ବାଚନ କରିବା ଲାଗି ହକି ଇଣ୍ଡିଆ ପ୍ରଶାସକ ସମିତି (ସିଓଏ) ମାଗିଥିବା ୨୦ ସପ୍ତାହ ସମୟ ଦେବାକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ମନା କରିଦେଇଛି। ବରଂ ଏକ ନୂଆ ସମୟ ସୀମା ଦେବାକୁ ସିଓଏ ପାଖକୁ ଏଫ୍‌ଆଇଏଚ୍ ଲେଖିଥିବା ତୃତୀୟ ପତ୍ରରେ ସ୍ପଷ୍ଟ କରିଦେଇଛି। ଏହା ପୂର୍ବରୁ ସିଓଏକୁ ଏଫ୍‌ଆଇଏଚ୍ ଦୁଇଟି ପତ୍ର ଲେଖି ସାରିଛି। ସିଓଏ ପ୍ରଥମ ପତ୍ରର କୌଣସି ଉତ୍ତର ଦେଇ ନଥିଲା। ସେଥିପାଇଁ କଡ଼ା ଭାଷାରେ ଲେଖିଥିବା ଦ୍ବିତୀୟ ପତ୍ରରେ ଭାରତ ହାତରୁ ୨୦୨୩ ପୁରୁଷ ହକି ବିଶ୍ବକପ୍ ଆୟୋଜନ ଅଧିକାର ଛଡ଼ାଇ ନେବାକୁ ଏଫ୍‌ଆଇଏଚ୍ ଧମକ ଦେଇଥିଲା। ରବିବାର ରାତିରେ ପଠାଇଥିବା ତୃତୀୟ ପତ୍ରରେ ଏଫ୍‌ଆଇଏଚ୍ ଲେଖିଛି ଯେ ୨୨ ଜୁଲାଇରେ ଆପଣ ପଠାଇଥିବା ଇ-ମେଲ୍‌ରେ ସମ୍ବିଧାନ ସଂଶୋଧନ ଏବଂ ନୂଆ କର୍ମକର୍ତ୍ତା ନିର୍ବାଚନ ଲାଗି ଆପଣ ମାଗିଥିବା ୨୦ ସପ୍ତାହ ସମୟ ଗ୍ରହଣୀୟ ନୁହେଁ। ଏଭଳି ଉତ୍ତରରେ ଆମେ ଆଦୌ ସନ୍ତୁଷ୍ଟ ନୁହଁ। ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଆମେ ପୁଣି ଥରେ ଆହ୍ବାନ କରୁଛୁ।

ଏଫ୍‌ଆଇଏଚ୍‌ର ନୂଆ କାର୍ଯ୍ୟକାରୀ ସଭାପତି ସୈଫ ଅହମଦଙ୍କ ନେତୃତ୍ବରେ ଏକ ତିନି ଜଣିଆ ସମିତି ଅଗଷ୍ଟ ୧୫ରେ ଏଥିନେଇ ଭାରତ ଆସିବ। ଏହି ସମିତି ବିଶ୍ବକପ୍ ପ୍ରସ୍ତୁତି ସହ ହକି ଇଣ୍ଡିଆର ନିର୍ବାଚନ ଓ ନୂଆ ସମ୍ବିଧାନ ପ୍ରଣୟନ କାର୍ଯ୍ୟର ସମୀକ୍ଷା କରିବ। ସମିତି ଯଦି ହକି ଇଣ୍ଡିଆ ସିଓଏ କାର୍ଯ୍ୟରେ ସନ୍ତୁଷ୍ଟ ନହୁଏ ତେବେ ହକି ଇଣ୍ଡିଆକୁ ବାସନ୍ଦ କରିବା ସହ ୨୦୨୩ ପୁରୁଷ ହକି ବିଶ୍ବକପ୍ ଅନ୍ୟତ୍ର ସ୍ଥାନାନ୍ତର ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର