ମାରିନଙ୍କ ଦରମା ପାଇନଥିବା ଅଭିଯୋଗକୁ ହକି ଇଣ୍ଡିଆର ଖଣ୍ଡନ

କହିଲା ଲାପଟପ୍ ଫେରାଇ ନଥିବାରୁ ୧୮୦୦ ଡଲାର ଅଟକିଛି

ନୂଆଦିଲ୍ଲୀ: ଏକ ଇଂରାଜୀ ଦୈନିକକୁ ସାକ୍ଷାତକାର ଦେଇ ଭାରତୀୟ ମହିଳା ହକି ଦଳର ପୂର୍ବତନ ପ୍ରଶିକ୍ଷକ ଜୋଏଡ୍ ମାରିନ୍ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଓ ହକି ଇଣ୍ଡିଆ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ଭାରତୀୟ ମହିଳା ଦଳ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ଅଧିକାର କରିବାରେ ପ୍ରମୁଖ ଭୂମିକା ତୁଲାଇବା ସତ୍ତ୍ବେ ଏପର୍ଯ୍ୟନ୍ତ ମୋ ଶେଷ ଦରମା ମିଳିନି ବୋଲି ମାରିନ ଦେଇଥିବା ସାକ୍ଷାତକାରରେ କ୍ଷୋଭର ସହ କହିଥିଲେ। ହକି ଇଣ୍ଡିଆ ବୁଧବାର ତାଙ୍କର ସେହି ଅଭି‌ଯୋଗର ଆନୁଷ୍ଠାନିକ ଉତ୍ତର ରଖିଛି। ମାରିନ ତାଙ୍କ ପାଖରେ ଥିବା ଆମର ଏକ ଲାପଟପ୍ ଫେରାଇ ନାହାନ୍ତି। ସେଥିପାଇଁ ତାଙ୍କ ଦରମାରୁ ୧୮୦୦ ଡଲାର ବା ପାଖାପାଖି ୧ ଲକ୍ଷ ୩୫ ହଜାର ଟଙ୍କା ଦିଆଯାଇନାହିଁ। କାରଣ ସଂପୃକ୍ତ ଲାପଟପର ଦାମ ମଧ୍ୟ ପାଖାପାଖି ସେତିକି। ସେହିଭଳି ସେ ଏପର୍ଯ୍ୟନ୍ତ ୨୦୨୦ ଟୋକିଓ ଅଲିମ୍ପିକ୍ସର ରିପୋର୍ଟ ପ୍ରଦାନ କରି ନାହାନ୍ତି। ଫଳରେ ତାଙ୍କୁ ଏନଓସି ଦେଇ ହେଉନି ବୋଲି ହକି ଇଣ୍ଡିଆ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି।

ସେହିଭଳି ଏହି ଛୋଟିଆ କଥାକୁ ନେଇ ଗଣମାଧ୍ୟମକୁ ଯିବା ଦୁଃଖ ଦାୟକ ବୋଲି କହିଛି ହକି ଇଣ୍ଡିଆ। ନେଦରଲାଣ୍ଡର ଡେନ୍ ବକ୍ସରେ ରହୁଥିବା ମାରିନ କହିଛନ୍ତି ଯେ ଅଗଷ୍ଟ ମାସରେ ଲାପଟପ୍‌ଟି ଖରାପ ହୋଇଯାଇଥିଲା। ସେଥିପାଇଁ ତାକୁ ସଜାଡ଼ିବାକୁ ଦିଆଯାଇଥିଲା। ଠିକ୍ ହୋଇଯିବା ପରେ ମୁଁ ତାକୁ ଭାରତ ପଠାଇ ଦେଇଛି। ହକି ଇଣ୍ଡିଆ କିନ୍ତୁ କହିଛି ଯେ ୩୧ ଜୁଲାଇ ୨୦୨୧ରେ କେବଳ ୧୮୦୦ ଡଲାରକୁ ଛାଡ଼ି ମାରିନଙ୍କୁ ତାଙ୍କ ଅବଶିଷ୍ଟ ପାଉଣା ଦିଆଯାଇ ସାରିଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମଧ୍ୟ ଏକଥା ସ୍ପଷ୍ଟ କରିଛି। ଲାପଟପ୍ ମିଳିବା ପରେ ମାରିନଙ୍କ ବକେୟା ୧୮୦୦ ଡଲାର ସଙ୍ଗେସଙ୍ଗେ ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛି ସାଇ। ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ ଏଥିନେଇ କହିଛନ୍ତି ଯେ ଭାରତୀୟ କ୍ରୀଡ଼ା‌ ପରିଚାଳକଙ୍କୁ ଖରାପ ଭାବେ ଚିତ୍ରଣ କରିବାର ପ୍ରୟାସକୁ ମୁଁ ଦୃଢ଼ ହସ୍ତରେ ନିନ୍ଦା କରୁଛି। ଭାରତରେ ମୋଟା ଦରମା ପାଉଥିଲେ ମଧ୍ୟ ଆମ ଭାବମୁର୍ତ୍ତିକୁ କ୍ଷୁଣ୍ଣ କରିବାର ହୀନ ପ୍ରୟାସ ଗ୍ରହଣୀୟ ନୁହେଁ। ଭାରତୀୟ ମହିଳା ଦଳକୁ ମିଳିଥିବା ଆର୍ଥିକ ପୁରସ୍କାର ତାଙ୍କୁ ମିଳୁନି ବୋଲି ମାରିନ କହିଥିଲା ବେଳେ ଏହା ସଂପୂର୍ଣ୍ଣ ପୁରସ୍କାର ପ୍ରଦାନକାରୀଙ୍କ ଆଗ୍ରହ ଓ ଇଚ୍ଛା ଉପରେ ନିର୍ଭରଶୀଳ ବୋଲି କହିଛନ୍ତି ରାଜିନ୍ଦର।

ସମ୍ବନ୍ଧିତ ଖବର