କଳିଙ୍ଗ ଷ୍ଟାଡିୟମ ବୁଲିଲେ ହକି ଇଣ୍ଡିଆ ଅଧିକାରୀ

ଭୁବନେଶ୍ବର: ଆସନ୍ତା ମାସ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ‌ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଏଫ୍‌ଆଇଏଚ୍‌ ହକି ସିରିଜ୍ ଫାଇନାଲ୍ସ ଆୟୋଜନ ଲାଗି ସୂଚୀ ପ୍ରସ୍ତୁତ ସରିଥିଲା। ହେଲେ ଗତ ୩ ତାରିଖରେ ସାମୁଦ୍ରିକ ଝଡ଼ ଫନିର ତାଣ୍ଡବରେ କଳିଙ୍ଗ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଏଠାରେ ଏଫ୍‌ଆଇଏଚ୍‌ ହକି ସିରିଜ୍ ଫାଇନାଲ୍ସ ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ଓଡ଼ିଶା ସରକାର ଆୟୋଜନ କରିବା ଲାଗି ପୁରା ଆଶାବାଦୀ ମଧ୍ୟ ରହିଛନ୍ତି। ‘ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ସ୍ଥାନ ବଦଳାଇବାର କୌଣସି ପ୍ରକାର ଚିନ୍ତା କରାଯାଇନା‌ହିଁ’ ବୋଲି ଅଷ୍ଟ୍ରେଲିଆରେ ଥିବା ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ କହିଛନ୍ତି। ସେହିପରି କଳିଙ୍ଗ ଷ୍ଟାଡିୟମର ସ୍ଥିତି ପରଖିବାକୁ ସୋମବାର ହକି ଇଣ୍ଡିଆର ଯୁଗ୍ମ ନିର୍ଦେଶକ ବିଏନ୍‌ ଭୂଷଣ ଏବଂ ବରିଷ୍ଠ ପ୍ରବନ୍ଧକ (ପ୍ରତିଦ୍ବନ୍ଦ୍ବିତା ଓ ବିକାଶ) ବିକ୍ରମ ପାଲ ଭୁବନେଶ୍ବର ପହଞ୍ଚିଥିଲେ। ଉଭୟ କ୍ଷୟକ୍ଷତି ହୋଇଥିବା ହକି କମ୍ପ୍ଲେକ୍ସ ବୁଲି ଦେଖିଥିଲେ। ଏମାନଙ୍କ ସହ ବରିଷ୍ଠ ହକି ପ୍ରଶିକ୍ଷକ ତଥା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଭାରପ୍ରାପ୍ତ ଅଧିକାରୀ କାଳୁଚରଣ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରତି‌େଯାଗିତା ଆୟୋଜନ କରିବାରେ ବିଶେଷ ଅସୁବିଧା ନାହିଁ ବୋଲି ଶ୍ରୀ ଚୌଧୁରୀ କହିଥିଲେ। ତେବେ ହକି ଇଣ୍ଡିଆ ଅଧିକାରୀମାନେ ଅନୁଧ୍ୟାନ ତଥ୍ୟ ଦେବା ପରେ ଏଫ୍‌ଆଇଏଚ୍‌ ହକି ସିରିଜ୍ ଫାଇନାଲ୍ସ ଭୁବନେଶ୍ବରରେ ଆୟୋଜନ ହେବ କି ନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ସମ୍ବନ୍ଧିତ ଖବର