ହକି ଖେଳାଳିଙ୍କ ରୁଟିନରେ ଶରୀର ଓଜନ ବ୍ୟାୟାମ

ହକି ଇଣ୍ଡିଆ ଦେଲା ୨୫ ଲକ୍ଷ ଟଙ୍କା

ବେଙ୍ଗାଲୁରୁ : ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମାର୍ଚ ୨୪ ଲକ୍‌ଡାଉନ୍‌ର ଦୁଇ ସପ୍ତାହ ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳିମାନେ ବେଙ୍ଗାଲୁରୁରେ ଥିବା ୮୧ ଏକର ବିଶିଷ୍ଟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ କେନ୍ଦ୍ର (ସାଇ)ରେ ପହଞ୍ଚିଥିଲେ। ସେହି ସମୟରେ ସେମାନେ ଅଭ୍ୟାସରେ ବ୍ୟସ୍ତ ରହିଥିଲେ। କିନ୍ତୁ ଏହି ଗୋଟିଏ ସପ୍ତାହ ହେଲା ସେମାନେ ବିଳାସକୁ ଭୁଲି ଯାଇଛନ୍ତି। କେବଳ ସେମାନେ ସାମାଜିକ ଦୂରତା ଓ ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ପ୍ରଶିକ୍ଷଣ ଶିବିର ବାତିଲ ହୋଇଯାଇଛି ଏବଂ ହକି ପଡ଼ିଆରେ ତାଲା ପଡ଼ିଯାଇଛି। ଏଥିସହ ଜିମ୍ନାସିୟମକୁ ମଧ୍ୟ ବନ୍ଦ ରଖାଯାଇଛି। ଗୋଟିଏ କୋଠରୀରେ ଦୁଇ ଜଣ ରହୁଥିଲେ। କିନ୍ତୁ ଏବେ ଜଣେ ଗୋଟିଏ କୋଠରୀରେ ରହୁଛନ୍ତି। କେବଳ‌ ଖେଳାଳିମାନଙ୍କୁ ଫିଟ୍‌ ରଖିବା ଲାଗି ଆଥ୍‌ଲେଟ୍‌ ଟ୍ରାକ୍‌ ବ୍ୟବହାର କରିବା ଲାଗି ଅନୁମିତି ମିଳିଛି ଏବଂ ତାଙ୍କ ଦୈନଦିନ କାର୍ଯ୍ୟ ସାରଣୀରେ ଶରୀରର ଓଜନ ବ୍ୟାୟାମ ଯୋଡ଼ି ଦିଆଯାଇଛି। ପୁରୁଷ ଓ ମହିଳା ଦଳର ଅଧିନାୟକ ମନ୍‌ପ୍ରୀତ ସିଂହ ଓ ରାଣୀ ରାମପାଲଙ୍କ ପରି ଅନ୍ୟମାନେ ମଧ୍ୟ କୌଶଳ ଓ ଫିଟ୍‌ନେସ୍‌ ବ୍ୟବସ୍ଥା ଜାରି ରଖିବାକୁ ଏହି ଅଭିନବ ପ୍ରଣାଳୀକୁ ବ୍ୟବହାର କରିଛନ୍ତି। ମହାମାରୀ କରୋନା ଲାଗି ଘରକୁ ଯିବା ସୁରକ୍ଷିତ ନଥିବାରୁ ଉଭୟ ଦଳର ଖେଳାଳିଙ୍କ ଛୁଟି ବାତିଲ କରି ଦିଆଯାଇଥିଲା। ମାର୍ଚ ୧୦ ତାରିଖରେ ‘ସାଇ’ରେ ଲକ୍‌ଡାଉନ୍‌ ନିର୍ଦେଶ ଦିଆଯାଇଥିଲା।

ଟୋକିଓ ଅଲିମ୍ପିକ୍ସ ‌ଗୋଟିଏ ବର୍ଷ ଘୁଞ୍ଚିବା ଖେଳାଳିମାନଙ୍କ ଉତ୍ସାହ ଓ ମାନସିକସ୍ତରରେ ଫିଟ୍‌ ରଖିବା ଏକ ଆହ୍ବାନ ହୋଇପାରେ। ଖେଳାଳିମାନେ ଛୁଟିରେ ଘରକୁ ଫେରିଥିଲେ ସେମାନଙ୍କ ପାଇଁ ଅସୁରକ୍ଷିତ ହୋଇଥାନ୍ତା ବୋଲି କହିଛନ୍ତି ହକି ଇଣ୍ଡିଆ ହାଇପର୍ଫର୍ମାନ୍ସ ନିର୍ଦେଶକ ଡେଭିଡ ଜନ୍‌। ତାରକା କ୍ରୀଡ଼ାବିତ୍‌ମାନେ ଅଧିକ ସମୟ ଉଚ୍ଚ ତୀବ୍ରତା ପ୍ରଶିକ୍ଷଣ ବଜାୟ ରଖିପାରିବେନି। ସେମାନଙ୍କୁ ମଝିରେ ମଝିରେ ବିରତି ଦରକାର ପଡ଼ିଥାଏ। ସେଥିପାଇଁ ଉଭୟ ଦଳର ବୈଜ୍ଞାନିକ ପରାମର୍ଶଦାତା ଖେଳାଳିମାନଙ୍କୁ ପ୍ରଶିକ୍ଷଣ କ୍ୟାଲେଣ୍ଡରରେ ବିରତି ରଖିଥାନ୍ତି। ହେଲେ କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଆମ ଖେଳାଳିମାନଙ୍କୁ ଘରକୁ ଛାଡ଼ିବାକୁ ଚାହିଁନଥିଲୁ। ସଂପ୍ରତି ସାଇ ପ୍ରଶିକ୍ଷଣ ଶିବିରରେ ସେମାନେ ସୁରକ୍ଷିତ ଅଛନ୍ତି। ଏଠାରେ ପ୍ରଶିକ୍ଷିକ ଓ ସହଯୋଗୀ ଅଧିକାରୀମାନଙ୍କ ସହ ଖେଳାଳିମାନେ ନିଜର ଅଗ୍ରଗତି ଉପରେ ଆଲୋଚନା କରିବାର ସୁଯୋଗ ପାଉଛନ୍ତି ବୋଲି ବୋଲି ଜନ୍‌ କହିଛନ୍ତି।

ଆମେ ଖେଳାଳିମାନଙ୍କୁ ଫିଟ୍‌ ରଖିବା ଲାଗି ଦୈନଦିନ କାର୍ଯ୍ୟ ସାରଣୀରେ ଶରୀରର ଓଜନ୍‌ ବ୍ୟାୟମକୁ ଯୋଡ଼ିଛୁ। ‌ସେମାନଙ୍କ ପାଇଁ ସମୟ ନିର୍ଧାରଣ କରିଛୁ। ଏକାଧିକ ଭିଡିଓ ଫୁଟେଜ୍‌ ଦେଖାଇବାର ବ୍ୟବସ୍ଥା କରିଛୁ ଯେଉଁଥିରୁ ସେମାନେ ନିଜର ତ୍ରୁଟି ସୁଧାରି ପାରିବେ। ନିଜ ନିଜର ଖେଳରେ ଉନ୍ନତି ଲାଗି ଆମେ ଏକ ସଫ୍‌ଟୱେୟାର ତିଆରି କରିଛୁ। ଯେଉଁଥିରେ କ୍ରୀଡ଼ା ସହ ଜଡ଼ିତ କୁଇଜ୍‌ ରହିଛି। ଏଥିସହ ସେମାନଙ୍କ ଇଂଲିସ୍‌ ଜ୍ଞାନ ବଢ଼ାଇବା ଲାଗି ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଛୁ ବୋଲି ପୁରୁଷ ଦଳର ପ୍ରଶିକ୍ଷକ ଗ୍ରାହମ ରିଡ୍‌। ଖେଳାଳିମାନେ ପରିବାର ଓ ସାଥୀମାନଙ୍କଠୁ ଦୂରରେ ରହିଛନ୍ତି। ସେମାନଙ୍କୁ ସୁସ୍ଥ ମନରେ ରଖିବା ଲାଗି ଆମେ ସବୁ ପ୍ରକାର ବନ୍ଦୋବସ୍ତ କରିଛୁ। ‌ସାମାଜିକ ଦୂରତା ଅବଲମ୍ବନ କରି ଦଳୀୟ ସାଥୀମାନଙ୍କ ସହ ସମୟ କାଟୁଛନ୍ତି ବୋଲି ମହିଳା ଦଳର ପ୍ରଶିକ୍ଷକ ଜୋଏର୍ଡ ମାରିନ କହିଛନ୍ତି।

ହକି ଇଣ୍ଡିଆ ଦେଲା ୨୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ : ମହାମାରୀ କରୋନା ଭୂତାଣୁ ବିପକ୍ଷ ଲଢ଼େଇ ପାଇଁ ହକି ଇଣ୍ଡିଆ ବୁଧବାର ପ୍ରଧାନମନ୍ତ୍ରୀ ସୁରକ୍ଷା ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛି। କରୋନା ବିପକ୍ଷ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଲାଗି ସ୍ବତନ୍ତ୍ର ଆପଦକାଳୀନ ପାଣ୍ଠି ଗଠନ କରିଥିଲେ। ଏହି ଘୋଷଣା ପରେ ହକି ଇଣ୍ଡିଆ କାର୍ଯ୍ୟକାରିଣୀ ବୋର୍ଡ ଏଭଳି ପରସ୍ଥିତିରେ କିଛି ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିଲା। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଦେଶର ନାଗରିକ ଭାବେ ଆମର କିଛି କର୍ତ୍ତବ୍ୟ ରହିଛି। ଏଥିଲାଗି ଆମର କାର୍ଯ୍ୟକାରିଣୀ ବୋର୍ଡ ପ୍ରଧାନମନ୍ତ୍ରୀ ସୁରକ୍ଷା ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦେବା ଲାଗି ନିଷ୍ପତ୍ତି ନେଇଥିଲା ‌ବୋଲି ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ କହିଛନ୍ତି। ସାରା ବିଶ୍ବ ଏବେ କରୋନା ଯୋଗୁଁ ଆତଙ୍କିତ। ଏହି ଭୂତାଣୁ ଯୋଗୁଁ ବହୁ ଲୋକ ଜୀବନ ହାରିଲେଣି। ଏଭଳି ବିପଦ ସମୟରେ କିଛିଟା ସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଥିଲୁ ବୋଲି ହକି ଇଣ୍ଡିଆ ମହାସଚିବ ରାଜିନ୍ଦର ସିଂହ କହିଛନ୍ତି। ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଯାହା କରିବା କଥା କରୁଛନ୍ତି। ଆମେ କେବଳ ସରକାରଙ୍କ ଉପଦେଶ ମାନିବା। ଏହି ଗୃହାବଦ୍ଧ ସମୟରେ ଆମେ ସଚେତନ ନାଗରିକ ଭାବେ ଘରେ ରହିବା ବୋଲି କହିଛନ୍ତି ହକି ଇଣ୍ଡିଆର ମହାସଚିବ ରାଜିନ୍ଦର ସିଂହ।

ସମ୍ବନ୍ଧିତ ଖବର