ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ପୁରୁଷ ହକି ବିଶ୍ୱକପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ହକି ଇଣ୍ଡିଆ ଭାରତୀୟ ଦଳର ଖେଳାଳି ଏବଂ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍ଙ୍କ ନେତୃତ୍ବାଧୀନ ପ୍ରଶିକ୍ଷଣ ମଣ୍ଡଳି ସହ ଆଲୋଚନା କରିଥିଲା। ଏହି ଆଲୋଚନା ପରେ ଫାଇନାଲ୍ ଶେଷ ହେବାର ପରଦିନ ସୋମବାର ହିଁ ରିଡ୍ଙ୍କ ସହ ଆନାଲିଟିକାଲ ପ୍ରଶିକ୍ଷକ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ ପେମବର୍ଟନ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏମାନେ ଇସ୍ତଫା ଦେବାର ୨୪ ଘଣ୍ଟା ନପୁରୁଣୁ ହକି ଇଣ୍ଡିଆ ଖାଲି ପଡ଼ିଥିବା ଏହି ୩ ପଦ ଲାଗି ବିଜ୍ଞାପନ ଦେଇଛି। ସଫଳ ଆବେଦନକାରୀ ହକି ଇଣ୍ଡିଆ/ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସହ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ଚୁକ୍ତି କରିବ। ଏଥିରେ ଚଳିତ ବର୍ଷ ଏସୀୟ କ୍ରୀଡ଼ା ଏବଂ ୨୦୨୪ ପ୍ୟାରିସ ଅଲିମ୍ପିକ୍ ପାଇଁ ସେ କାମ କରିବେ। ଏଥିସହ ୬ ମାସର ପ୍ରୋବେସନ ପିରିୟଡରେ ସଫଳ କାର୍ଯ୍ୟ ପରେ ଏହି ଚୁକ୍ତି ସ୍ଥାୟୀ ହେବ। ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୫ ରହିଛି ବୋଲି ମଙ୍ଗଳବାର ପ୍ରକାଶିତ ବିଜ୍ଞାପନରେ ଦର୍ଶାଯାଇଛି। ପ୍ୟାରିସ ଅଲିମ୍ପିକ୍ ପର୍ଯ୍ୟନ୍ତ ରିଡ୍ଙ୍କ ସହ ଚୁକ୍ତି ରହିଥିଲା। କିନ୍ତୁ ଭାରତ ବିଶ୍ବକପ୍ କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡଠୁ ହାରି କ୍ବାର୍ଟରଫାଇନାଲ୍ରୁ ବଞ୍ଚିତ ହେବାରୁ ତାଙ୍କ କାର୍ଯ୍ୟକାଳ ଅଧାରୁ ଶେଷ ହୋଇଯାଇଥିଲା। ବିଜ୍ଞାପନ ବାହାରିବା ପରେ ଏହି ପଦ ପାଇଁ ଏବେ ପାକିସ୍ତାନ ପ୍ରଶିକ୍ଷକ ନେଦରଲାଣ୍ଡ୍ସର ସିଫ୍ରାଏଡ୍ ଐକମାନ, ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଏବଂ ଉଚ୍ଚଗୁଣବତ୍ତା ନିର୍ଦେଶକ ରୋଲାଣ୍ଡ ଓଲ୍ମାନ୍ସ, ୨୦୧୮ ବିଶ୍ବକପ୍ ଏବଂ ଅଲିମ୍ପିକ୍ ବିଜେତା ବେଲ୍ଜିୟମ ପ୍ରଶିକ୍ଷକ ନ୍ୟୁଜିଲାଣ୍ଡର ସେନ୍ ମ୍ୟାକ୍ଲିଅଡଙ୍କ ସହ ଭାରତର ହରେନ୍ଦ୍ର ସିଂହ ଆଗ୍ରହୀ ଥିବା ଜଣା ପଡ଼ିଛି।
ଦରମା ପ୍ରଦାନ କରିନଥିବାରୁ ପାକିସ୍ତାନ ହକି ମହାସଂଘ (ପିଏଚ୍ଏଫ୍) ସହ ସିଫ୍ରାଏଡ୍ ଐକମାନଙ୍କର ସମ୍ପର୍କ ଭଲ ନାହିଁ। ଯଦି ସେ ଦରମା ନପାଆନ୍ତି ତେବେ ଏକମାନ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସର ଦ୍ବାରସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ସେ ଭାରତର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଇଚ୍ଛୁକ ଥିବା କହିଛନ୍ତି। ବିଶ୍ବକପ୍ ଦେଖିବା ଲାଗି ଐକମାନ ଓଡ଼ିଶା ମଧ୍ୟ ଆସିଥିଲେ। ସଂପ୍ରତି ମଧ୍ୟପ୍ରଦେଶ ଏକାଡେମିର ପରାମର୍ଶଦାତା ଥିବା ଓଲଟମାସ ମଧ୍ୟ ଏହି ପଦ ପାଇଁ ଆଗ୍ରହୀ ଥିବା ସୂଚନା ଦେଇଛନ୍ତି। ସେ ବିଶ୍ବକପ୍ ବେଳେ ଓଡ଼ିଶାରେ ରହିବା ସହ ହକି ଇଣ୍ଡିଆ ଅଧିକାରୀଙ୍କ ସହ ମିଶିଥିଲେ। ବେଲ୍ଜିୟମର ପୂର୍ବତନ ପ୍ରଶିକ୍ଷକ ମ୍ୟାକ୍ଲିଅଡ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷରେ ଆମେରିକାର ମୁଖ୍ୟ ପ୍ରଶିକ୍ଷକ ଥିବା ଭାରତର ପୂର୍ବତନ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କୁ ଫେରାଇ ଆଣିବା ସହ ଏହି ପଦରେ ନିଯୁକ୍ତି କରିବାକୁ ହକି ଇଣ୍ଡିଆ ଚିନ୍ତା କରୁଛି। ହରେନ୍ଦ୍ର ୨୦୧୬ କନିଷ୍ଠ ବିଶ୍ବକପ୍ ବିଜେତା ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ବରିଷ୍ଠ ହକି ଦଳ ୨୦୧୮ ବିଶ୍ବକପ୍ର କ୍ବାର୍ଟରଫାଇନାଲ୍ରେ ପହଞ୍ଚି ପାରିଥିଲା। ହରେନ୍ଦ୍ର ଭାରତୀୟ ହକି ସହ ବେଶୀ ପରିଚିତ। ତେଣୁ ବିଦେଶୀ ପ୍ରଶିକ୍ଷକ ଅପେକ୍ଷା ସେ ଖେଳାଳିଙ୍କ ସହ ଶୀଘ୍ର ମିଶିପାରିବେ। ବିଦେଶୀ ପ୍ରଶିକ୍ଷକ ପାଉଥିବା ଦରମା ଭଳି ସେ ଚାହାନ୍ତି। ସେ ମଧ୍ୟ ବିଶ୍ବକପ୍ ବେଳେ ଭୁବନେଶ୍ବରରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/hockey-india-logo.jpg)