ବାତ୍ରାଙ୍କ ହସ୍ତକ୍ଷେପ ନେଇ ହକି ଇଣ୍ଡିଆ ବିସ୍ମିତ

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳର ଅସ୍ଥିର ପ୍ରଦର୍ଶନ ନେଇ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ତଥା ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରେନ୍ଦ୍ର ବାତ୍ରା କଡ଼ା ଶବ୍ଦରେ ଲେଖିଥିବା ପତ୍ରକୁ ନେଇ ହକି ଇଣ୍ଡିଆ ବିସ୍ମୟ ପ୍ରକଟ କରିଛି। ହକି ଇଣ୍ଡିଆର କୌଣସି ପଦ ପଦବିରେ ନଥାଇ ବାତ୍ରା କରିଥିବା ଏଭଳି ହସ୍ତକ୍ଷେପକୁ କିଛି କର୍ମକର୍ତ୍ତା ପସନ୍ଦ କରିନାହାନ୍ତି। ତଥାପି ଚଳିତ ସପ୍ତାହରେ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରାଯିବ ବୋଲି ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି। ଅତୀତରେ ହକି ଇଣ୍ଡିଆର ସଭାପତି ପଦ ମଣ୍ଡନ କରିଥିବା ବାତ୍ରା ଏବେକାର ସଭାପତି ଜ୍ଞାନେନ୍ଦ୍ର ନଙ୍ଗୋମବାମଙ୍କ ପାଖକୁ ଲେଖିଥିବା ଏହି ବିବାଦୀୟ ପତ୍ରରେ ନିକଟରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରୁତ୍ସହଜନକ ରହିଛି। ଏହାକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇ ପାରିବ ନାହିଁ। ତୁରନ୍ତ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ। ତା ସହ ଆତ୍ମସମୀକ୍ଷା କରି ଦୋଷ ଦୁର୍ବଳତା ଦୂର କରିବାକୁ ଆହ୍ବାନ କରିବାକୁ ଚେଷ୍ଟା କରନ୍ତୁ ବୋଲି ଲେଖିଥିଲେ।

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିବା ପରେ ଭାରତୀୟ ଦଳ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ କରିବା ଏବଂ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍‌ରେ ଫ୍ରାନ୍ସ ଭଳି ନିମ୍ନ ମାନ୍ୟତାପ୍ରାପ୍ତ ଦଳଠାରୁ ହାରିବା ନେଇ ବାତ୍ରା ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ସେହିଭଳି ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ଦଳର ମାତ୍ର ୮ ଜଣ ଖେଳାଳି ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଖେଳିବା ନେଇ ମଧ୍ୟ ବାତ୍ରା ବିଶେଷ ଖୁସି ନଥିବା ଜଣାପଡ଼ିଛି। ଦଳର ପରିଚାଳନା ଢାଞ୍ଚା ଏବଂ ଶୈଳୀକୁ ନେଇ ମଧ୍ୟ ବାତ୍ରା ସ୍ବର ଉତ୍ତୋଳନ କରିଛନ୍ତି। ଏହି ପତ୍ର ହକି ଇଣ୍ଡିଆ ସଂପାଦକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନଙ୍କ ପାଖକୁ ମଧ୍ୟ ପଠାଇଛନ୍ତି ସେ।

ଅଲିମ୍ପିଆନ୍ ତଥା ୧୯୭୫ ବିଶ୍ବକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ଅସଲମ୍ ଶେର ଖାନ୍ ବାତ୍ରାଙ୍କ ଏଭଳି ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ବାତ୍ରାଙ୍କ ହସ୍ତ‌େକ୍ଷେପ ‘ଦ୍ବୈତ ସ୍ବାର୍ଥ’ର ବଳିଷ୍ଠ ନମୁନା ବୋଲି ସେ ମତ ରଖିଛନ୍ତି। ‘‘ଏହା ଏକ ଭଲ ପରମ୍ପରା ନୁହେଁ। ସେ (ବାତ୍ରା) ଏଫ୍‌ଆଇଏଚ୍‌ର ସଭାପତି ଅଛନ୍ତି। ସେହି ପଦରେ ଥାଇ ସେ କୌଣସି ଜାତୀୟ ସଂଘର ପରିଚାଳନାରେ ହସ୍ତକ୍ଷେପ କରିପାରିବେ ନାହିଁ। ହକି ଇଣ୍ଡିଆ ଅଧିକାରୀମାନେ ନିଜ ଆତ୍ମସମ୍ମାନ ପାଇଁ ଏକାଠି ଏହାର ବିରୋଧ କରିବା କଥା। ହକି ଇଣ୍ଡିଆ ଏକ ସ୍ବାଧୀନ ସଂସ୍ଥା। ଏହା କେବଳ କ୍ରୀଡ଼ା ମନ୍ତ୍ରାଳୟକୁ ଉତ୍ତରଦା‌ୟୀ। କାରଣ କ୍ରୀଡ଼ା ମନ୍ତ୍ରାଳୟ ହିଁ ହକି ଇଣ୍ଡିଆକୁ ମୋଟା ଅଙ୍କର ଅନୁଦାନ ଦେଉଛି’’ ବୋଲି କହିଥିଲେ ଖାନ୍।

ସମ୍ବନ୍ଧିତ ଖବର