ବିଶ୍ବ ମାଷ୍ଟର୍ସ ହକିରେ ସାମିଲ ହେଲା ହକି ଇଣ୍ଡିଆ

ନୂଆଦିଲ୍ଲୀ : ହକି ଇଣ୍ଡିଆ ସୋମବାର ବିଶ୍ବ ମାଷ୍ଟର୍ସ ହକି (ଡବ୍ଲ୍ୟୁଏମ୍‌ଏଚ୍‌)ର ସଦସ୍ୟ ଭାବେ ଯୋଗ ଦେଇଛି। ଭାରତ ପୂର୍ବରୁ ଡବ୍ଲ୍ୟୁଏମ୍‌ଏଚ୍‌ରେ ବିଶ୍ବର ୩୮ ଦେଶର ଜାତୀୟ ସଂଘ ସଦସ୍ୟତା ଗ୍ରହଣ କରିସାରିଛନ୍ତି। ହକି ଇଣ୍ଡିଆ ମଧ୍ୟ ସୋମବାର ଏଥିଲାଗି ମାଷ୍ଟର୍ସ ସମିତି ଗଠନ କରିଛି। ପୂର୍ବତନ ଅଧିନାୟକ ଆର୍‌ପି ସିଂହଙ୍କୁ ଆବାହକ ଏବଂ ହରବିନ୍ଦର ସିଂହଙ୍କୁ ଅଧ୍ୟକ୍ଷ ଭାବେ ହକି ଇଣ୍ଡିଆ ନିଯୁକ୍ତ କରିଛି। ବିପି ଗୋବିନ୍ଦ, ଜଗବୀର ସିଂହ, ଏବି ସୁବାୟା, ସୁରିନ୍ଦର କୌର ଓ ଏମ୍ ରେଣୁକା ଲକ୍ଷ୍ମୀ ସମିତିର ସଦସ୍ୟ ରହିଛନ୍ତି। ସାରା ବିଶ୍ବର ମାଷ୍ଟର୍ସ ହକିର ବିକାଶ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଡବ୍ଲ୍ୟୁଏମ୍‌ଏଚ୍‌ ଗଠନ କରିଛି। ଏହା ଦ୍ବାରା ଉଭୟ ମହିଳା ଓ ପୁରୁଷରେ ବୟସ୍କ ବର୍ଗର ହକି ଖେଳାଳିମାନେ କ୍ରୀଡ଼ାରେ ସକ୍ରିୟ ହେବାର ସୁଯୋଗ ପାଇପାରିବେ।

ସମ୍ବନ୍ଧିତ ଖବର