ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍) ଏଥର ନୂଆ ଅବତାର ସହିତ ଫେରିବାକୁ ଯାଉଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍) ଏଥି ପାଇଁ ୱିଣ୍ଡୋ ନିର୍ଧାରଣ କରିନଥିଲେ ମଧ୍ୟ ହକି ଇଣ୍ଡିଆ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ କିମ୍ବା ୨୦୨୫ ପ୍ରାରମ୍ଭରୁ ଏହି ଲିଗ୍କୁ ପୁନଃ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଆର୍ଥିକ ପ୍ରସଙ୍ଗ ଏବଂ ଦଳୀୟ ମାଲିକଙ୍କ ଅସହଯୋଗ କାରଣରୁ ୨୦୧୭ ମସିହାରୁ ଏଚ୍ଆଇଏଲ୍ ବନ୍ଦ ରହିଛି। କିଂବଦନ୍ତି ଖେଳାଳି ଡକ୍ଟର ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି ହେବା ପରଠାରୁ ଏହି ଲିଗ୍କୁ ପୁନଃର୍ଜୀବିତ କରିବା ଲାଗି ପ୍ରଚେଷ୍ଟା କରି ଆସିଛନ୍ତି। ଏଚ୍ଆଇଏଲ୍ ମାଧ୍ୟମରେ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ଯୋଗାଇବାକୁ ଡକ୍ଟର ତିର୍କି ଆଶା ରଖିଛନ୍ତି। ଏଫଆଇଏଚ୍କୁ ୱିଣ୍ଡୋ ପ୍ରଦାନ ଲାଗି ହକି ଇଣ୍ଡିଆ ଅନୁରୋଧ କରିବା ସହ ଉତ୍ତର ଅପେକ୍ଷାରେ ରହିଛି। ଏଫଆଇଏଚ୍ରୁ ସବୁଜ ସଙ୍କେତ ମିଳିଲେ ପ୍ୟାରିସ୍ ଅଲିମ୍ପିକ୍ସ ପରେ କିମ୍ବା ଆସନ୍ତା ବର୍ଷ ଜାନୁଆରିରେ କରାଯିବାର ଯୋଜନା ହେଉଛି ବୋଲି ଡକ୍ଟର ତିର୍କି ପ୍ରକାଶ କରିଛନ୍ତି।
ହକି ଇଣ୍ଡିଆର ଯୋଜନା ଅନୁସାରେ ଏଚ୍ଆଇଏଲ୍ର ନୂଆ ସଂସ୍କରଣରେ ପ୍ରଥମ ଥର ପାଇଁ ମହିଳା ବର୍ଗ ସାମିଲ ହେବ। ପୁରୁଷ ବିଭାଗରେ ୮ ଏବଂ ମହିଳା ବିଭାଗରେ ୪ ଦଳ ଅଂଶଗ୍ରହଣ କରିବେ। ବିଗ୍ ବ୍ୟାଙ୍ଗ୍ ମେଡିଆ ଭେଞ୍ଚର୍ସ ଏହାର ବ୍ୟାବସାୟିକ ଓ ବିପଣନ ଅଂଶୀଦାର ଭାବେ କାର୍ଯ୍ୟ କରିବ। ଏ ଦିଗରେ ସମସ୍ତ ଔପଚାରିକତା ଶେଷ ହୋଇଛି ଏବଂ ଅନ୍ୟ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ହେଉଛି। ଜୁଲାଇ ୫ ତାରିଖରେ ସମସ୍ତ ସମ୍ପୃକ୍ତ ସଂସ୍ଥାକୁ ନେଇ ଏକ ବୈଠକ ମଧ୍ୟ ବସୁଛି। ‘ଏଚ୍ଆଇଏଲ୍ ଆମର ଶିଶୁ ଭଳି। ଏହାକୁ ବଡ଼ କରିବା ଦାୟିତ୍ବ ନିଶ୍ଚିତ ଆମର। ନିର୍ବାଚନ ବେଳେ ମଧ୍ୟ ଆମେ ଏହି ପ୍ରତିଶ୍ରୁତି ଦେଇଥିଲୁ’ ବୋଲି ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ ପ୍ରକାଶ କରିଛନ୍ତି। ୨୦୧୩ରେ ୬ ଦଳକୁ ନେଇ ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ଶେଷ ସଂସ୍କରଣ ୨୦୧୭ରେ କଳିଙ୍ଗ ଲାନସର୍ସ ବିଜେତା ହୋଇଥିଲା। ପୂର୍ବ ସଂସ୍କରଣ ଗୁଡିକରେ ରାଞ୍ଚି ରାଇନୋସ୍, ଦିଲ୍ଲୀ ୱେଭରାଇଡର୍ସ, ରାଞ୍ଚି ରେଜ୍, ପଞ୍ଜାବ ୱାରିୟର୍ସ ବିଜେତା ହୋଇଥିଲେ।