ଭୁବନେଶ୍ବର: ତାମିଲନାଡ଼ୁରେ ଚାଲିଥିବା ପ୍ରଥମ ହକି ଇଣ୍ଡିଆ ମାଷ୍ଟର୍ସ ଲିଗ୍‌ରେ ଗୁରୁବାର ଓଡ଼ିଶାକୁ ମିଶ୍ର ସଫଳତା ମିଳିଛି। ଓଡ଼ିଶା ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ମହିଳା ଦଳ ପରାଜୟ ବରଣ କରିଛି। ଲାଜରୁସ ବାର୍ଲାଙ୍କ ନେତୃତ୍ବାଧୀନ ଓଡ଼ିଶା ପୁରୁଷ ଦଳ ୬-୩ ଗୋଲ୍‌ରେ ପୁଡ଼ୁଚେରୀକୁ ପରାସ୍ତ କରିଛି। ଓଡ଼ିଶା ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ଏମ୍‌ ହରିକ୍ରିଷ୍ଣନ୍‌ (୧୭‌ ମିନିଟ୍‌)ଙ୍କ ଗୋଲ୍‌ରେ ପୁଡ଼ୁଚେରୀ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୧୯ତମ ମିନିଟ୍‌ରେ ଲାଜରୁସ ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଥିଲେ। ୨୩ତମ ମିନିଟ୍‌ରେ ବି ଅଧିକେଶବନଙ୍କ ଗୋଲ୍‌ରେ ପୁଣି ପୁଡ଼ୁଚେରୀ ଆଗୁଆ ହୋଇଥିଲା। ଏହାପରେ ଶାନ୍ତିଏଲ୍‌ ମୁଣ୍ଡୁ (୩୨, ୪୧, ୪୩ ମିନିଟ୍‌)ଙ୍କ ହ୍ୟାଟ୍ରିକ୍‌ ଏବଂ ଲାଧୁ ଏକ୍କା (୫୨ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ୬-୨ରେ ଆଗୁଆ ହୋଇଥିଲା। ‌୫୮ତମ ମିନିଟ୍‌ରେ ପୁଡ଼ୁଚେରୀର ଦେଲ୍ଲୀଗଣେଶ ଗୋଟିଏ ଗୋଲ୍‌ ଶୁଝିଥିଲେ। 

Advertisment

ଲୁସେଲା ଏକ୍କାଙ୍କ ନେତୃତ୍ବାଧୀନ ମହିଳା ଦଳ ୧-୩ ଗୋଲ୍‌ରେ ପଞ୍ଜାବଠୁ ହାରିଯାଇଛି। ପଞ୍ଜାବର ସଙ୍ଗୀତା ମିଞ୍ଜ (୩ ମିନିଟ୍‌), ଅଧିନାୟିକା ଅମନଦୀପ କୌର (୫ ମିନିଟ୍‌), ନୀତି (୨୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ୫୦ତମ ମିନିଟ୍‌ରେ ଓଡ଼ିଶାର ରଞ୍ଜିତା ବେକ୍‌ ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ।