ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ହକି ଇଣ୍ତିଆର ବିରୋଧ, ଅନ୍ତରୀଣ ନିର୍ଦ୍ଦେଶ କାଏମ ରହିଲା

‘ହକି ଓଡ଼ିଶା’ ପରିବର୍ତ୍ତେ ‘ଓଡ଼ିଶା’ ନାମରେ ଦଳ ଖେଳିବାକୁ ଯୁକ୍ତି

କଟକ: ଜାତୀୟ ପ୍ରତିଯୋଗିତାରେ ହକି ଓଡ଼ିଶାର ଅ˚ଶଗ୍ରହଣକୁ ବିରୋଧ କରିଛି ହକି ଇଣ୍ତିଆ। ଓଡ଼ିଶା ଖେଳାଳି ଖେଳନ୍ତୁ, କିନ୍ତୁ ‘ହକି ଓଡ଼ିଶା’ ନାମରେ ନୁହେଁ। ଯଦି ‘ଓଡ଼ିଶା’ ନାମରେ ଦଳ ଖେଳିବ, ତାହେଲେ ସୁଯୋଗ ଦିଆଯାଉ। ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ଦଳର ପଞ୍ଜୀକରଣ ହୋଇନଥିବାରୁ ଏହାକୁ ଖେଳିବା ପାଇଁ ଅନୁମତି ଦେବା ଉଚିତ୍‌ ହେବନି ବୋଲି ହକି ଇଣ୍ତିଆ ପକ୍ଷରୁ ଶୁକ୍ରବାର ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି। ହକି ଓଡ଼ିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୦ ତାରିଖରେ ଥିଲେ ବି ହକି ଇଣ୍ତିଆ ପକ୍ଷରୁ ସ୍ବତନ୍ତ୍ର ଅନୁରୋଧ କ୍ରମେ ଶୁକ୍ରବାର ମାମଲା ଉପରେ ଶୁଣାଣି ହୋଇଥିଲା। ‘ହକି ଓଡ଼ିଶା’ ପରିବର୍ତ୍ତେ ‘ଓଡ଼ିଶା’ ନାମକୁ ହକି ଇଣ୍ତିଆ ଅଧିକ ଜୋର‌୍‌ ଦେଇଥିଲା। ଏପରିକି, ଯଦି ଦଳର ଖେଳାଳିମାନେ ଓଡ଼ିଶା ନାମରେ ଖେଳନ୍ତି, ତାହେଲେ କୌଣସି ଆପତ୍ତି ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଉଭୟ ହକି ଇଣ୍ତିଆ ଓ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣମାତ୍ରାରେ ହକି ଓଡ଼ିଶା ପକ୍ଷରୁ ବିରୋଧ କରାଯାଇଥିଲା ବେଳେ ସିଏଜି କ୍ଷେତ୍ରରେ ଯେଉଁଭଳି ଭାବେ ନରମ ଭାବ ପୋଷଣ କରାଯାଇଥିଲା, ସେହି ଆଧାରରେ ହକି ଓଡ଼ିଶାକୁ ମଧ୍ୟ ଖେଳିବାକୁ ସୁଯୋଗ ମିଳିବା ଉଚିତ୍‌ ବୋଲି ପୁନଃ ଯୁକ୍ତି କରାଯାଇଥିଲା। ହାଇକୋର୍ଟ ମାମଲାକୁ ଗୁରୁତ୍ବର ସହ ନେଇ ପୂର୍ବ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି। ଏଥିସହିତ ଅନ୍ତରୀଣ ନିର୍ଦ୍ଦେଶ ବଳରେ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ଯାଉଥିବା ହକି ଓଡ଼ିଶାକୁ କୌଣସି ମାନ୍ୟତା ଅଦାଲତଙ୍କ ବିନା ଅନୁମତିରେ ପ୍ରଦାନ କରାଯାଇପାରିବନାହିଁ ବୋଲି ଶୁକ୍ରବାର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ହକି ଇଣ୍ତିଆର ଏମ୍‌ୟୁ ପୋର୍ଟାଲରେ ଦଳର ପଞ୍ଜୀକରଣ ହୋଇପାରିନଥିବାରୁ ହକି ଓଡ଼ିଶା ସମେତ ଆଉ କିଛି ରାଜ୍ୟ ସ˚ଘମାନଙ୍କୁ ମଧ୍ୟ ଜାତୀୟ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାରୁ ବଞ୍ଚିତ କରାଯାଇଥିଲା। ତେବେ ଏହା ଉପରେ ହକି ଓଡ଼ିଶା ପକ୍ଷରୁ ଗତ ୨୧ ତାରିଖରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା। କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶକ୍ରମେ ହକି ଓଡ଼ିଶା ଜାତୀୟ ପ୍ରତିଯୋଗିତାରେ ଖେଳିବାକୁ ପୁଣି ଥରେ ସୁଯୋଗ ପାଇଲା। ଏପରିକି ହକି ଇଣ୍ତିଆର ଖେଳସୂଚୀରେ ପରିବର୍ତ୍ତନ କରାଯାଇଥିଲା ବେଳେ ଓଡ଼ିଶାର ପୁରୁଷ ଦଳ ୨୨ ତାରିଖରେ ଝାନ୍‌ସୀ ଗସ୍ତ କରିଥିଲା। କିନ୍ତୁ ଗୁରୁବାର ହକି ଇଣ୍ତିଆ ପକ୍ଷରୁ ଅନ୍ତରୀଣ ନିର୍ଦ୍ଦେଶକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଧାର୍ଯ୍ୟ ସମୟସୀମା ପରେ ସିଏଜି ଜାନୁଆରି ୧୫ ତାରିଖରେ ନିଜ ଦଳର ପଞ୍ଜୀକରଣ ଶେଷ କରିଥିଲେ ହେଁ ଏହି ଦଳକୁ ଖେଳିବା ପାଇଁ ସୁଯୋଗ ଦିଆଯାଇଥିଲା। ସିଏଜି କମ୍ପ୍ୟୁଟର ତଥା ଅନ୍‌ଲାଇନ୍‌ କାର୍ଯ୍ୟରେ ଅଭ୍ୟସ୍ତ ହୋଇଥିଲେ ବି ଏହି ଦଳର ପଞ୍ଜୀକରଣ କିପରି ବିଳମ୍ବ ହୋଇପାରିଲା ବୋଲି ପ୍ରଶ୍ନ ଉଠିଥିଲା। ଏହାସତ୍ତ୍ବେ ସିଏଜିକୁ ଜାତୀୟ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇଥିଲା। ଏହାକୁ ଭିତ୍ତିକରି ହକି ଓଡ଼ିଶାକୁ କାହିଁକି ଖେଳିବାକୁ ସୁଯୋଗ ମିଳିବନି ବୋଲି ଯୁକ୍ତି କରାଯାଇଥିଲା। ତେବେ ଶୁକ୍ରବାର ହକି ଇଣ୍ତିଆ ପକ୍ଷରୁ କୁହାଯାଇଥିଲା ଯେ ସିଏଜି ପରି ହକି ଓଡ଼ିଶାକୁ ଫୋନ୍‌ ଯୋଗେ ପଞ୍ଜୀକରଣ କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଏହା ଉପରେ ସେତେବେଳେ ହକି ଓଡ଼ିଶା କୌଣସି ଜବାବ ଦେଇନଥିବା ଦର୍ଶଯାଇଥିଲା। ଏହା ଉପରେ ହକି ଓଡ଼ିଶା ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଜାନୁଆରି ୧୦ ତାରିଖରୁ ପୋର୍ଟାଲ ବନ୍ଦ କରିଦିଆଯାଇଛି। ଏପରିକି ଆମକୁ କୌଣସି ଫୋନ୍‌ ମଧ୍ୟ ଆସିନାହିଁ। ଯଦି କୋର୍ଟ ଅନୁମତି ଦେବେ ତାହେଲେ ଏହା ଉପରେ ସତ୍ୟପାଠ ମଧ୍ୟ ଦାଖଲ କରାଯିବ। ତେବେ ମାମଲାର ଚୂଡ଼ାନ୍ତ ରାୟ ଉପରେ ହକି ଓଡ଼ିଶାର ଭବିଷ୍ୟତ ନିର୍ଭର କରିବ।

ଜାତୀୟ ମହିଳା ହକି ପାଇଁ ଓଡ଼ିଶା ଦଳ
କଟକ: କେରଳର କୋଲାମରେ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁଥିବା ଜାତୀୟ ମହିଳା ହକି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ଏହି ପ୍ରତିଯୋଗିତା ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ଚାଲିଥିବା ଶିବିରରୁ ଓଡ଼ିଶା ଦଳର ଚୟନ ହୋଇଛି। ଦଳ ସହିତ ଲୁସେଲା ଏକ୍କା ପ୍ରଶିକ୍ଷକ ଓ ନିର୍ମଳ ବଳ ପ୍ରବନ୍ଧକ ଭାବେ ରହିବେ। ୨୮ ତାରିଖରେ ଓଡ଼ିଶା ଦଳ କୋଲାମ ଯାତ୍ରା କରିବ। ପ୍ରତିଯୋଗିତାର ପୁଲ୍‌ ଏ’ରେ ଓଡ଼ିଶା ସ୍ଥାନ ପାଇଥିଲା ବେଳେ ୩୦ ତାରିଖରେ କେରଳ, ୩୧ ତାରିଖରେ ମଧ୍ୟପ୍ରଦେଶ, ଫେବ୍ରୁଆରି ୨ ତାରିଖରେ ଭୋପାଳ, ୩ ତାରିଖରେ ହିମାଚଳ ପ୍ରଦେଶ ବିପକ୍ଷରେ ମ୍ୟାଚ୍‌ ଖେଳିବ।
ଓଡ଼ିଶା ଦଳ: ଅସିମା ମିଞ୍ଜ, ଅସ୍ମିତା ବାର୍ଲା, ଖୁସ୍‌ବୁ କୁଜୁର, ଭାରତୀ ଏକ୍କା, ଅଜମିନା କୁଜୁର, ରଶ୍ମିତା ମିଞ୍ଜ, ପ୍ରେମିତା ବାରା, ମନିଷା ମିଞ୍ଜ, ରିଙ୍କି କୁଜୁର, ନେହା ଲାକ୍ରା, ଦୀପ୍ତି ଲାକ୍ରା, ଅସିମା କାଞ୍ଜନ ବାର୍ଲା, ସରିତା କେର୍କେଟା, ରୋଜିତା କୁଜୁର, ସୁରଭି ପ୍ରଧାନ, ଜାହ୍ମବୀ ପ୍ରଧାନ, ଅବିନାସୀ ମୁକ୍ତି ସୁରିନ୍‌, ରୋଜାଲିଆ ଲାକ୍ରା।

ସମ୍ବନ୍ଧିତ ଖବର