ଭୁବନେଶ୍ବର: ୮ ବର୍ଷର ବ୍ୟବଧାନ ପରେ ହକି ଇଣ୍ଡିଆ ଲିଗ୍ ଚଳିତ ବର୍ଷ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଆଇପିଏଲ୍ ଢାଞ୍ଚାରେ ଖେଳାଯାଉଥିବା ଏହି ପେସାଦାର ହକି ଲିଗ୍ ଚଳିତବର୍ଷ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଚାଲିବ। ସବୁ ମ୍ୟାଚ୍ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ (ଦର୍ଶକ କ୍ଷମତା ଅନୁଯାୟୀ) ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡି୍ୟମ୍ ଓ ରାଞ୍ଚିରେ ଖେଳାଯିବ। ଲିଗ୍ରେ ଉଭୟ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ଏହି ସୂଚନା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଦେଇଥିବା ଜଣାପଡ଼ିଛି। ପୁରୁଷ ଲିଗ୍ରେ ୮ ଓ ମହିଳାରେ ୬ଦଳ ଅଂଶଗ୍ରହଣ କରିବେ। ଲିଗ୍ରେ ଓଡ଼ିଶାର ମଧ୍ୟ ଏକ ଦଳ ରହିବ। ତେବେ ଏହା ପୁରୁଷ କିମ୍ବା ମହିଳା ଦଳ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ସୂଚନାଯୋଗ୍ୟ ଯେ ହକି ଇଣ୍ଡିଆ ଲିଗ୍ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ୫ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆୟୋଜିତ ହେଉଥିଲା ଏଥର ଓଡ଼ିଶାରୁ କଳିଙ୍ଗ ଲାନସର୍ସ ନାମରେ ଦଳ ଅଂଶଗ୍ରହଣ କରିଥିଲା। ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଏହି ଦଳ ୨୦୧୪ରୁ ଖେଳିବା ଆରମ୍ଭ କରି ୨୦୧୭ରେ ବିଜେତା ହୋଇଥିଲା। ହେଲେ ଏହା ପରେ ବିଭିନ୍ନ କାରଣ ପାଇଁ ବନ୍ଦ ହୋଇଯାଇଥିଲା। ଅବଶ୍ୟ ସେତେବେଳେ କେବଳ ପୁରୁଷ ଲିଗ୍ ଖେଳାଯାଉଥିଲା। ଏଥର କିନ୍ତୁ ମହିଳାଙ୍କୁ ନେଇ ମଧ୍ୟ ଲିଗ୍ ଖେଳାଯିବ।
ଭୁବନେଶ୍ବର: କୋଲ୍କାତାରେ ଜୁଲାଇ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦ୍ବିତୀୟ ହକି ଇଣ୍ଡିଆ ପୂର୍ବାଞ୍ଚଳ ବାଳକ ହକି ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଶୁକ୍ରବାର ଘୋଷିତ ହୋଇଛି। ବିବେକ ଲାକ୍ରା, ଅଭିଷେକ ୟାଦବ ଗୋଲି ମନୋନୀତ ହୋଇଥିବା ବେଳେ ଅଙ୍କିତ ଜୋଜୋ, ଅଭିଷେକ ଟୋପ୍ପୋ, ନୀତେଶ ମିଞ୍ଜ୍, ସନ୍ଦୀପ ଏକ୍କା, ପ୍ରଦୀପ ମଣ୍ଡଳ, ସୁଜିତ ତିର୍କି ରକ୍ଷଣଭାଗରେ ରହିବେ। ଆଦ୍ରୋହିତ ଏକ୍କା, ସଚିନ କିଣ୍ଡୋ, ପ୍ରେମଦୟାଲ ଗିରି, ରୋହିତ କୁଲୁ, ସୁରେଶ ଶର୍ମା ମଧ୍ୟଭାଗ ଏବଂ କରଣ ଲାକ୍ରା, ଦୀପକ ପ୍ରଧାନ, ଦେବୋନାଥ ନନୱାର, ଆରୢନ ଖେସ୍, ସୁନିଲ ଲାକ୍ରା ଅଗ୍ରଭାଗର ଦାୟିତ୍ବ ସମ୍ଭାଳିବେ। ଖେଳାଳିମାନେ ଏହି ପ୍ରତିଯୋଗିତା ଲାଗି ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଦଳର ପ୍ରଶିକ୍ଷକ ଲକ୍ଷ୍ମୀନାରାୟଣ ପତି।
କୋଲ୍କାତାରେ ଜୁଲାଇ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ପୂର୍ବାଞ୍ଚଳ ବାଳିକା ହକି ପ୍ରତିଯୋଗିତା ଲାଗି ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ୧୮ ଜଣିଆ ଦଳ ଶୁକ୍ରବାର ଘୋଷିତ ହୋଇଛି। ଅମୀମା କୁଲୁ ଓ ପବିତ୍ରା ହୋଡମ୍ ଗୋଲରକ୍ଷଣ ଦାୟିତ୍ବରେ ଥିବାବେଳେ ସୋନାଲି ଏକ୍କା, ନିହାରିକା ଟୋପ୍ପୋ, ଅହଲ୍ୟା ଲାକ୍ରା, ପୂଜା ରାମଛୁରିଆ, ପ୍ରେମଶୀଳା ବାଗେ, ପ୍ରିୟଙ୍କା କୁଜୁର ଦଳର ରକ୍ଷଣଭାଗ ସମ୍ଭାଳିବେ। ସୁପ୍ରିୟା, ଅମୀସା ଏକ୍କା, ରମ୍ଭା କୁଜୁର, ଜାହ୍ନବୀ ବାଡ଼, ଦ୍ରୁପତି ନାୟକ ଦଳର ଗୁରୁତ୍ବପୂର୍ଣ୍ଣ ମଧ୍ୟଭାଗ ଏବଂ ଡଲି ଭୋଇ, ପ୍ରିୟଙ୍କା ଟୋପ୍ପୋ, ଯଶୋଦା, ଜ୍ୟୋତି ଖାଖା, ଅନୁଷ୍କା ଭାୱରେ ଅଗ୍ରଭାଗ ଦାୟିତ୍ବରେ ରହିବେ। ଗୋଟିଏ ମାସର ଜୋରଦାର ତାଲିମ ପରେ କୋଲକାତା ଗସ୍ତ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ପିହଂସ ଦାସ କହିଛନ୍ତି ‘ଦଳ ଭଲ ପ୍ରଦର୍ଶନ ନେଇ ଆତ୍ମବିଶ୍ବାସରେ ଅଛି’। ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଖେଳାଳିମାନଙ୍କୁ ଶୁଭକାମନା ଦିଆଯାଇଛି।