ବିଶ୍ବକପ୍‌ ଷ୍ଟାଡିୟମ୍‌ ଅନୁଧ୍ୟାନ କଲା ହକି ଇଣ୍ଡିଆ, ଖର୍ଚ୍ଚ ହେଉଛି ୧୩୦ କୋଟି ଟଙ୍କା

ରାଉରକେଲା: ଆଗାମୀ ୨୦୨୩ ପୁରୁଷ ବିଶ୍ବକପ୍‌ ହକି ପାଇଁ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) କ୍ୟାମ୍ପସ ପରିସରରେ ନିର୍ମାଣ ଚାଲିଛି ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମ୍‌। ଆସନ୍ତା ୨୦୨୨ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ହକି ଷ୍ଟାଡିୟମ ସହ ମଲ୍ଟି ଆକ୍ଟିଭିଟି ସେଣ୍ଟର ମଧ୍ୟ ନିର୍ମାଣ ହେବାକୁ ଯାଉଛି।

ନିର୍ମାଣ କାମ ଅନୁଧ୍ୟାନ କରିବାକୁ ସୋମବାର ରାଉରକେଲାରେ ପହଞ୍ଚିଥିଲେ ହକି ଇଣ୍ଡିଆର ବୈଷୟିକ ଦଳ। ହକି ଇଣ୍ଡିଆର ଯୁଗ୍ମ ସଚିବ ବି. ନାଗ ଭୂଷଣ, ସିନିୟର ମେନେଜର ବିକ୍ରମ ପାଲ ସିଂ, ଓଡ଼ିଶା କ୍ରୀଡା ଭିତ୍ତିଭୂମିର ଦୁଇ ଅଧିକାରୀ ସ୍ୱାଗତ ସିଂ ଓ ଅବଦୁଲ ଶେଖ ଷ୍ଟାଡିୟମ ବୁଲି ଦେଖିଥିଲେ। କେଉଁ କେଉଁ ସ୍ଥାନ କ’ଣ କାମ ଚାଲିଛି ଠିକାସଂସ୍ଥା ଓ ଇଡ୍‌କୋ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାମ ସାରିବାକୁ ଠିକା ସଂସ୍ଥାକୁ ବିଭାଗୀୟ ଅଧିକାରୀ ତାଗିଦ୍‌ କରିଥିଲେ। ହକି ଷ୍ଟାଡିୟମ ନିର୍ମାଣ ପାଇଁ ମୋଟ ୧୩୦ କୋଟି ଟଙ୍କା ମଞ୍ଜୁରି ହୋଇଛି। ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କେବଳ ବିଶ୍ବ ପୁରୁଷ ହକି ନୁହେଁ ବରଂ ଷ୍ଟାଡିୟମ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଶହ ଶହ ପୁରୁଷ ମହିଳା ହକି ଖେଳାଳି ଉପକୃତ ହେବେ। ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ହୋଇଥିବା ଏହି ଷ୍ଟାଡିୟମକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର